ନୂଆଦିଲ୍ଲୀ: ୨୦୨୫ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ପୁରସ୍କାର ‘ପଦ୍ମ ପୁରସ୍କାର’ (ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ) ଘୋଷଣା କରାଯାଇଛି। କଳା, ସମାଜସେବା, ସାଧାରଣ ବ୍ୟାପାର, ବିଜ୍ଞାନ ଓ ଇଞ୍ଜିନିୟରିଂ, ବାଣିଜ୍ୟ ଓ ଉଦ୍ୟୋଗ, ଔଷଧ, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା, ପ୍ରଶାସନିକ ସେବା ଇତ୍ୟାଦି ବିଭିନ୍ନ କ୍ଷେତ୍ର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ୨୦୨୫ ମସିହା ପାଇଁ ରାଷ୍ଟ୍ରପତି  ୧୩୯ଟି ପଦ୍ମ ପୁରସ୍କାରକୁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ୭ ପଦ୍ମବିଭୂଷଣ, ୧୯ ପଦ୍ମଭୂଷଣ ଓ ୧୧୩ ପଦ୍ମଶ୍ରୀ ରହିଛି। ଏହି ତାଲିକାରେ ବିଦେଶୀ/ଏନ୍‌ଆର୍‌ଆଇ/ପିଆଇଓ/ଓସିଆଇ ବର୍ଗର ୧୦ ଜଣ ଏବଂ ୧୩ ଜଣ ମହିଳା ଅଛନ୍ତି। ପ୍ରଖ୍ୟାତ ଗାୟିକା ଶାରଦା ସିହ୍ନା ଏବଂ  ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କୁ ପଦ୍ମବିଭୂଷଣ(ମରଣୋତ୍ତର) ସମ୍ମାନରେ ସମ୍ମାନିତ କରାଯାଇଛି।

Advertisment

ସେହିପରି ଖ୍ୟାତନାମା ଗାୟକ ପଙ୍କଜ ଉଧାସ ଓ ରାଜନେତା ସୁଶୀଲ ମୋଦୀଙ୍କ ସମେତ ୧୯ ଜଣଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି।  ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ କରିଥିବା ପୋଷ୍ଟ୍‌ରେ ଲେଖିଛନ୍ତି,‘ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ। ସେମାନଙ୍କ ଅସାଧାରଣ ଉପଲବ୍ଧିକୁ ସମ୍ମାନିକରି ଭାରତ ଗର୍ବିତ। ସେମାନଙ୍କର ନିଷ୍ଠା  ପ୍ରକୃତରେ ପ୍ରେରଣାଦାୟକ। ପ୍ରତ୍ୟେକ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କ କଠିନ ପରିଶ୍ରମ, ଉତ୍ସାହ ଏବଂ ଅଭିନବତା ଅଗଣିତ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି। ସେମାନେ ଆମକୁ ଉତ୍କର୍ଷତା ପାଇଁ ପ୍ରୟାସ କରିବା ଏବଂ ନିଃସ୍ୱାର୍ଥପର ଭାବରେ ସମାଜର ସେବା କରିବାର ମୂଲ୍ୟ ଶିଖାନ୍ତି।’

ପଦ୍ମବିଭୂଷଣ (୭)
୧. ଶ୍ରୀ ଦୁବ୍ବୁର ନାଗେଶ୍ୱର ରେଡ୍ଡୀ, ଔଷଧ, ତେଲେଙ୍ଗାନା
୨. ଜଷ୍ଟିସ (ଅବସରପ୍ରାପ୍ତ) ଜଗଦୀଶ ସିଂହ ଖେହର, ସାର୍ବଜନୀନ ବ୍ୟାପାର, ଚଣ୍ଡିଗଡ଼
୩. ଶ୍ରୀମତୀ କୁମୁଦିନୀ ରଜନୀକାନ୍ତ ଲଖିଆ, କଳା, ଗୁଜରାଟ
୪. ଶ୍ରୀ ଲକ୍ଷ୍ମୀନାରାୟଣ ସୁବ୍ରମଣ୍ୟମ୍, କଳା, କର୍ଣ୍ଣାଟକ
୫. ଶ୍ରୀ ଏମ୍‌ଟି ବାସୁଦେବନ ନାୟାର (ମରଣୋତ୍ତର), ସାହିତ୍ୟ ଓ ଶିକ୍ଷା, କେରଳ
୬. ଶ୍ରୀ ଓସାମୁ ସୁଜୁକି (ମରଣୋତ୍ତର), ବାଣିଜ୍ୟ ଓ ଶିଳ୍ପ, ଜାପାନ
୭. ଶ୍ରୀମତୀ ଶାରଦା ସିହ୍ନା (ମରଣୋତ୍ତର), କଳା, ବିହାର
ପଦ୍ମଭୂଷଣ (୧୯)
୧. ଶ୍ରୀ ଏ ସୂର୍ଯ୍ୟ ପ୍ରକାଶ, ସାହିତ୍ୟ ଓ ଶିକ୍ଷା-ସାମ୍ବାଦିକତା, କର୍ଣ୍ଣାଟକ
୨. ଶ୍ରୀ ଅନନ୍ତ ନାଗ, କଳା, କର୍ଣ୍ଣାଟକ
୩. ଶ୍ରୀ ବିବେକ ଦେବରାୟ (ମରଣୋତ୍ତର), ସାହିତ୍ୟ ଓ ଶିକ୍ଷା, ଏନ୍‌ସିଟି ଦିଲ୍ଲୀ
୪. ଶ୍ରୀ ଯତୀନ ଗୋସ୍ୱାମୀ, କଳା, ଆସାମ
୫. ଶ୍ରୀ ଜୋସ ଚାକୋ ପେରିୟାପ୍ପୁରମ୍, ଔଷଧ, କେରଳ
୬. ଶ୍ରୀ କୈଳାସ ନାଥ ଦୀକ୍ଷିତ, ଅନ୍ୟାନ୍ୟ-ପ୍ରତ୍ନତତ୍ତ୍ୱ, ଏନ୍‌ସିଟି ଦିଲ୍ଲୀ
୭. ଶ୍ରୀ ମନୋହର ଯୋଶୀ (ମରଣୋତ୍ତର), ସାର୍ବଜନୀନ ବ୍ୟାପାର, ମହାରାଷ୍ଟ୍ର
୮. ଶ୍ରୀ ନାଲି କୁପସ୍ୱାମୀ ଚେତି, ବାଣିଜ୍ୟ ଓ ଉଦ୍ୟୋଗ, ତାମିଲନାଡୁ
୯. ଶ୍ରୀ ନନ୍ଦମୁରୀ ବାଳକୃଷ୍ଣ, କଳା, ଆନ୍ଧ୍ରପ୍ରଦେଶ
୧୦. ଶ୍ରୀ ପି ଆର ଶ୍ରୀଜେଶ, କ୍ରୀଡ଼ା, କେରଳ
୧୧. ଶ୍ରୀ ପଙ୍କଜ ପଟେଲ, ବାଣିଜ୍ୟ ଓ ଉଦ୍ୟୋଗ, ଗୁଜରାଟ
୧୨. ଶ୍ରୀ ପଙ୍କଜ ଉଧାସ (ମରଣୋତ୍ତର), କଳା, ମହାରାଷ୍ଟ୍ର
୧୩. ଶ୍ରୀ ରାମବାହାଦୁର ରାୟ, ସାହିତ୍ୟ ଓ ଶିକ୍ଷା-ସାମ୍ବାଦିକତା, ଉତ୍ତରପ୍ରଦେଶ
୧୪. ସାଧ୍ୱୀ ରୀତାମ୍ବରା, ସାମାଜିକ କାର୍ଯ୍ୟ, ଉତ୍ତର ପ୍ରଦେଶ
୧୫. ଶ୍ରୀ ଏସ୍ ଅଜିତ କୁମାର, କଳା, ତାମିଲନାଡୁ
୧୬. ଶ୍ରୀ ଶେଖର କପୁର, କଳା, ମହାରାଷ୍ଟ୍ର
୧୭. ଶ୍ରୀମତୀ ଶୋଭନା ଚନ୍ଦ୍ରକୁମାର, କଳା, ତାମିଲନାଡୁ
୧୮. ଶ୍ରୀ ସୁଶୀଲ କୁମାର ମୋଦୀ (ମରଣୋତ୍ତର), ସାର୍ବଜନୀନ ବ୍ୟାପାର, ବିହାର
୧୯. ଶ୍ରୀ ବିନୋଦ ଧାମ, ବିଜ୍ଞାନ ଓ ଇଞ୍ଜିନିୟରିଂ, ଯୁକ୍ତରାଷ୍ଟ୍ର ଆମେରିକା

sdsdssd
 

୪ ଓଡ଼ିଆଙ୍କୁ ପଦ୍ମଶ୍ରୀ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ସମ୍ମାନ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ୪ଜଣ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଦୁଇ ଜଣଙ୍କୁ କଳା କ୍ଷେତ୍ରରେ, ଜଣଙ୍କୁ ସାହିତ୍ୟ ଓ ଶିକ୍ଷା, ଜଣଙ୍କୁ ଭେଷଜ କ୍ଷେତ୍ରରେ ପଦ୍ମଶ୍ରୀ ପ୍ରଦାନ କରାଯିବ। ଗତ ଦୁଇ ବର୍ଷ ପରି ଏଥର ମଧ୍ୟ ଓଡ଼ିଶାରୁ ୪ଜଣଙ୍କୁ ପଦ୍ମଶ୍ରୀ ଦେବାକୁ କେନ୍ଦ୍ର ସରକାର ମନେ‌ାନୀତ କରିଛନ୍ତି। ଚଳିତବର୍ଷ ଓଡ଼ିଶାରୁ ଭେଷଜ କ୍ଷେତ୍ରରେ ଡାକ୍ତର ଅଶୋକ କୁମାର ମହାପାତ୍ର, କଳା କ୍ଷେତ୍ରରେ ସ୍ଥପତି ଅଦ୍ବୈତ ଚରଣ ଗଡ଼ନାୟକ, ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀର, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ସୁସାହିତ୍ୟିକା ଓ ଶିକ୍ଷାବିତ୍ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଆସନ୍ତା ମାର୍ଚ୍ଚ/ଏପ୍ରିଲ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ପଦ୍ମ ସମ୍ମାନ ମନୋନୀତଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିବେ।

ଢେଙ୍କାନାଳରେ ଜନ୍ମିତ ୬୧ବର୍ଷ ବୟସ୍କ ବିଶିଷ୍ଟ ସ୍ଥପତି ଅଦ୍ବୈତ ଗଡ଼ନାୟକ ନୂଆଦିଲ୍ଲୀର ନାସନାଲ ଗ୍ୟାଲେରି ଅଫ୍ ମଡର୍ଣ୍ଣ ଆର୍ଟରେ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଦେଶ ବିଦେଶରେ ନିଜର ସ୍ଥାପତ୍ୟ ପାଇଁ ପରିଚିତ ଶ୍ରୀ ଗଡ଼ନାୟକ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ପ୍ରତିମୂର୍ତ୍ତି, ଜାତୀୟ ଯୁଦ୍ଧ ସ୍ମାରକୀରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ସେହିପରି ପୁରୀରେ ଜନ୍ମିତ ୭୨ବର୍ଷୀୟ ଡାକ୍ତର ଅଶୋକ କୁମାର ମହାପାତ୍ର ଦେଶର ଜଣେ ବିଶିଷ୍ଟ ପେଡିଆଟ୍ରିକ୍ ନ୍ୟୁରୋ ସର୍ଜନ। ସେ ଦିଲ୍ଲୀ ଏମ୍‌ସରେ ବହୁ ବର୍ଷ କାର୍ଯ୍ୟ କରିବା ପରେ ଭୁବନେଶ୍ବର ଏମ୍‌ସର ପ୍ରଥମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି।

ଦେଶର ଜଣେ ବିଶିଷ୍ଟ ସାହିତ୍ୟିକା ଭାବେ ପରିଚିତା ୭୯ବର୍ଷୀୟ ଡ. ପ୍ରତିଭା ଶତପଥୀଙ୍କ କବିତା ଦେଶ ବିଦେଶରେ ବେଶ୍ ଆଦୃତି ଲାଭ କରିଛି। ତାଙ୍କର ବହୁ କବିତା ଇଂରାଜୀ ଓ ହିନ୍ଦୀରେ ଅନୂଦିତ ହୋଇଛି। ସେ ୧୯୮୬ ମସିହାରେ ରାଜ୍ୟ ସାହିତ୍ୟ ଏକାଡେମି ପୁରସ୍କାର ଏବଂ ୨୦୦୧ରେ ସାହିତ୍ୟ ଅକାଦେମୀ ପୁରସ୍କାର ସମେତ ବହୁ ପୁରସ୍କାର ଲାଭ କରିଛନ୍ତି। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଜଣେ ପରିଚିତ ନାମ ହେଉଛନ୍ତି ଗୁରୁ ଦୁର୍ଗାଚରଣ ରଣବୀର। ଏହି ୭୩ବର୍ଷୀୟ ନୃତ୍ୟଶିଳ୍ପୀ ନିଜର ନିଖୁଣ ନୃତ୍ୟାଭିନୟ ପାଇଁ ଦେଶ ବିଦେଶରେ ବହୁ ଖ୍ୟାତି ଅର୍ଜନ କରିଛନ୍ତି। ପୂର୍ବରୁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ସମେତ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି।