ଵାସିଂଟନ: ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ବୁଧବାର ଅତି କମ୍‌ରେ ଦୁଇଟି ଇତିହାସ ରଚିଛନ୍ତି। ପ୍ରଥମରେ ସେ ପ୍ରଥମ ମହିଳା ଭାବେ ଉପରାଷ୍ଟ୍ରପତି ଆସନ ମଣ୍ଡନ କରିଛନ୍ତି, ଦ୍ବିତୀୟରେ ସେ ପ୍ରଥମ ଅଣଶ୍ବେତାଙ୍ଗୀ ଭାବେ ହ୍ବାଇଟହାଉସ୍‌ର ଦ୍ବିତୀୟ ସର୍ବାଧିକ କ୍ଷମତାଶୀଳ ବ୍ୟକ୍ତିତ୍ବ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ ଏପରି ଲିଙ୍ଗଗତ ବୈଷମ୍ୟକୁ ସମତୁଲ କରିପାରିଥିବା କମଳାଙ୍କ ଭାରତୀୟ ପରମ୍ପରା ସେ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ଦିନରୁ ହିଁ ଚର୍ଚ୍ଚାରେ ରହି ଆସିଛି। ଭାରତୀୟ ବଂଶୋଦ୍ଭବ କମଳାଙ୍କ ବିଷୟରେ ଆଲୋଚନା କରିବାରେ ଭାରତୀୟମାନେ ଶତମୁଖ ହେବା ସହ ବିଶେଷ କରି ତାମିଲମାନେ ଖୁବ୍‌ ଗର୍ବ ଅନୁଭବ କରି ଆସୁଛନ୍ତି।

Advertisment

କମଳା ମଧ୍ୟ ତାଙ୍କ ମାଆ ତଥା ତାମିଲନାଡୁରେ ଜନ୍ମିତ ଶ୍ୟାମଳା ଗୋପାଳନଙ୍କ ବିଷୟରେ ଉଲ୍ଲେଖ କରିବା ସହ ନିଜେ କିପରି ତାଙ୍କର ପ୍ରିୟ ଭାରତୀୟ ଖାଦ୍ୟ ତେନ୍ତୁଳି ଅନ୍ନ ପ୍ରସ୍ତୁତ କରନ୍ତି ବୋଲି ପ୍ରକାଶ କରିବାରେ କୁଣ୍ଠାବୋଧ ନକରିବା ଘଟଣା ଭାରତୀୟମାନଙ୍କୁ ଉଲ୍ଲସିତ କରି ଆସିଛି। ଏ ପରିପ୍ରେକ୍ଷୀରେ କମଳାଙ୍କ ସମ୍ମାନାର୍ଥେ ଲୋକପ୍ରିୟ ମଡେଲ ତଥା ଆଙ୍କର ପଦ୍ମା ଲକ୍ଷ୍ମୀ ତେନ୍ତୁଳି ଅନ୍ନ ରାନ୍ଧିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ବେଳେ ତାହା ବେଶ ଲୋକପ୍ରିୟ ହେବାରେ ଲାଗିଛି। ଆମେରିକୀୟମାନେ କିଭଳି ଏହି ଖାଦ୍ୟ ପ୍ରସ୍ତୁତ କରିପାରିବେ ସେ ସଂପର୍କରେ ମଧ୍ୟ ପଦ୍ମା ବୁଝାଇଛନ୍ତି।