ନୂଆଦିଲ୍ଲୀ: ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ୩ ବିଶିଷ୍ଟ ପ୍ରତିଭା- ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ବୈତ ଚରଣ ଗଡ଼ନାୟକ, ଖ୍ୟାତନାମା ଚିକିତ୍ସିକ ଡାକ୍ତର ଅଶୋକ କୁମାର ମହାପାତ୍ର ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ପଦ୍ମଶ୍ରୀ ଗ୍ରହଣ କରିବା ପାଇଁ ଯିବା ପୂର୍ବରୁ ଶ୍ରୀ ଗଡ଼ନାୟକ ଜୋତା ଓହ୍ଲାଇ ପୋଡ଼ିୟମକୁ ଛୁଇଁଥିଲେ। ଶ୍ରୀ ଗଡ଼ନାୟକଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ପ୍ରଦାନ କରିବାବେଳେ ଗଣତନ୍ତ୍ର ଭବନ କରତାଳିରେ କମ୍ପି ଉଠିଥିଲା। ଆଜି ରାଷ୍ଟ୍ରପତି ମୁର୍ମୁ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣରେ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ ଓ ୫୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ଆସନ୍ତା ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରାଯିବ।

Advertisment

ସେଥିରେ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ଆଉ ଜଣେ ଓଡ଼ିଆ- ସାହିତ୍ୟିକା ଓ ଶିକ୍ଷାବିତ୍ ଡ. ପ୍ରତିଭା ଶତପଥୀ ସମ୍ମାନିତ ହେବେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମୋଟ ୧୩୯ ଜଣ (୬ ପଦ୍ମ ବିଭୂଷଣ, ୧୯ ପଦ୍ମଭୂଷଣ ଓ ୧୧୩ ପଦ୍ମଶ୍ରୀ)ଙ୍କୁ ପଦ୍ମ ସମ୍ମାନ ପ୍ରଦାନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଆଜିର ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବେସାରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ସମେତ ମନ୍ତ୍ରିପରିଷଦର ସଦସ୍ୟ, ଦିଲ୍ଲୀ ଉପରାଜ୍ୟପାଳ ବିନୟ ସାକସେନ‌ା, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସଙ୍କ ସମେତ ପଦ୍ମ ବିଜେତାଙ୍କ ପରିବାର ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।