ନୂଆ ସଂସଦରେ ସ୍ପର୍ଶ ଦେଇଥାନ୍ତେ, ଦିଲ୍ଲୀ ଦରବାରରେ ପ୍ରସିଦ୍ଧ ଥିଲେ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର
୧୯୭୪ରେ ସଂସଦ ସେଣ୍ଟ୍ରାଲ ହଲ୍ରେ ଛାପ ଛାଡ଼ିଥିଲେ
ଅକ୍ଷରଧାମ ମନ୍ଦିରରେ ପ୍ରୟୋଗ କରିଥିଲେ ଉତ୍କଳର ସ୍ଥାପତ୍ୟ କଳା
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ : ଜୁଲାଇ ୧୮, ୨୦୧୮ରେ ରାଜ୍ୟସଭାର ମନୋନୀତ ସଦସ୍ୟ ରୂପେ ଯେତେବେଳେ ରଘୁନାଥ ମହାପାତ୍ର ଶପଥ ନେଇଥିଲେ ସେତେବେଳେ ଗୃହରେ ଉପସ୍ଥିତ ଥିବା ଅଧିକାଂଶ ସଦସ୍ୟ ରଘୁନାଥ ମହାପାତ୍ରଙ୍କର କଳା ଓ ସ୍ଥାପତ୍ୟ କ୍ଷେତ୍ରର ଯୋଗଦାନ ସମ୍ପର୍କରେ ଅବଗତ ଥିଲେ। ଶପଥ ଗ୍ରହଣ ପରେ ତାଙ୍କୁ କିଛି ସଦସ୍ୟ କହିଥିଲେ ଆମେ ତ ଆପଣଙ୍କର କଳାକୁ ସଂସଦର ସେଣ୍ଟ୍ରାଲ ହଲ୍ରେ ଦେଖିସାରିଛୁ। ଏ କଥା ଶୁଣି ରଘୁନାଥ ମହାପାତ୍ର ଅତ୍ୟନ୍ତ ନମ୍ରତାର ସହ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିରେ କୌଣସି ଦ୍ୱିମତ ନାହିଁ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପଥର ଖୋଦଇ କାର୍ଯ୍ୟ କେବଳ ଓଡ଼ିଶାରେ ସୀମିତ ନଥିଲା, ଦେଶ ବିଦେଶରେ ମଧ୍ୟ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲା।
ସଂସଦର ସେଣ୍ଟ୍ରାଲ ହଲ୍ରେ ୧୯୭୪ ମସିହାରେ ୬ ଫୁଟ୍ ଉଚ୍ଚତା ବିଶିଷ୍ଟ ଭଗବାନ ସୂର୍ଯ୍ୟଙ୍କ ପ୍ରତିମାସ ସେ ନିର୍ମାଣ କରିଥିଲେ। କୋଡିଏ ଦିନ ଭିତରେ ପଥର ପ୍ରତିମା ନିର୍ମାଣ କାର୍ଯ୍ୟକୁ ସେ ସମ୍ପୂର୍ଣ୍ଣ କରିଥିଲେ। ସେହି ସମୟରେ ରଘୁନାଥ ମହାପାତ୍ର କହିଥିଲେ, ତାଙ୍କ ଦ୍ୱାରା ସେଣ୍ଟ୍ରାଲ ହଲ୍ରେ ନିର୍ମିତ ପ୍ରତିମା ସଂସଦରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଛି। ଏମିତି ଥିଲେ ସେ ଜଣେ ମହାନ କଳାକାର। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧଳା ମୁଗୁନି (ଧୋଲାପୁରି) ପଥର ନିର୍ମିତ ପ୍ରଦୀପ ତାଙ୍କର ଏକ ଅନନ୍ୟ କୃତୀ ରହିଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରିବାର ସହିତ ମଧ୍ୟ କଳା ଓ ସ୍ଥାପତ୍ୟ ପ୍ରସଙ୍ଗକୁ ନେଇ ତାଙ୍କ ସମ୍ପର୍କ ଖୁବ୍ ଉତ୍ତମ ରହିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ବୀରଭୂମିସ୍ଥିତ ସମାଧିସ୍ଥଳରେ ୩୦ ଫୁଟ୍ ଲମ୍ବ ଓ ୩୦ ଫୁଟ୍ ଓସାରରେ କେବଳ ଗୋଟିଏ କଳାମୁଗୁନି ପଥରରେ ନିର୍ମିତ ପଦ୍ମଫୁଲ ତାଙ୍କ ହସ୍ତକଳାର ନିପୁଣତାକୁ ବୟାନ କରୁଛି। ଏହାବାଦ୍ ଦିଲ୍ଲୀରେ ନିର୍ମିତ ହୋଇଥିବା ସ୍ୱାମୀ ନାରାୟଣ ଅକ୍ଷରଧାମ ମନ୍ଦିରର କାରୁକାର୍ଯ୍ୟରେ ରଘୁନାଥ ମହାପାତ୍ରଙ୍କର ପ୍ରତ୍ୟକ୍ଷ ରୂପେ ସମ୍ପୃକ୍ତ ରହିବା ମନ୍ଦିର ନିର୍ମାଣକୁ ଏକ ଭିନ୍ନ ଶୈଳୀ ଦେଇଥିଲା। ତାଙ୍କ ଦ୍ୱାରା ପ୍ରଶିକ୍ଷିତ ୫୦୦ ଜଣ କଳାକାର ଛାତ୍ର ଏହି ନିର୍ମାଣ କାର୍ଯ୍ୟରେ ଲିପ୍ତ ରହିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରଘୁନାଥ ମହାପାତ୍ର ପ୍ରାଚୀନ ଉତ୍କଳ ମନ୍ଦିର ସ୍ଥାପତ୍ୟ କଳାର ଅନେକ ନୂଆ ଶୈଳୀ ଅକ୍ଷରଧାମ ମନ୍ଦିର ନିର୍ମାଣରେ ପ୍ରୟୋଗ କରିଥିଲେ। ରଘୁନାଥଙ୍କ ଦେଶର ବିଭିନ୍ନ ସ୍ଥାନରେ ୧୪ଟି ମନ୍ଦିର ନିର୍ମାଣରେ ସାମିଲ ଥିଲେ ମଧ୍ୟ ଅକ୍ଷରଧାମ ମନ୍ଦିରର ନିର୍ମାଣ କାର୍ଯ୍ୟରେ ପଥର ଖୋଦେଇ କାରୁକାର୍ଯ୍ୟ ଭିନ୍ନ ଧରଣର ରହିଥିଲା ଏବଂ ଏହା ତାଙ୍କର କଳା ଶୈଳୀକୁ ବିଭିନ୍ନ ମହଲରେ ଆଦୃତ କରାଇଥିଲା। ଏତଦ୍ବ୍ୟତୀତ ଦିଲ୍ଲୀର କିଛି ପ୍ରାଚୀନ ମନ୍ଦିରର କାରୁକାର୍ଯ୍ୟରେ କିଭଳି ନୂଆ ଶୈଳୀ ପ୍ରୟୋଗ କରାଯାଇ ପାରିବ, ତାହାକୁ ନେଇ ରଘୁନାଥ ମହାପାତ୍ର କିଛି ନୂଆ ଯୋଜନା ପାଇଁ ଚିନ୍ତା କରୁଥିଲେ। ରାଜ୍ୟସଭାର ସାଂସଦ ରୂପେ ଯେକୌଣସି କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରୁଥିଲେ ତାଙ୍କରେ ହାତ ନିର୍ମିତ ପଥର ଖୋଦଇ ହସ୍ତଶିଳ୍ପକୁ ଉପହାର ଦେଉଥିଲେ। ଚଳିତ ବର୍ଷ ବଜେଟ୍ ଅଧିବେଶନ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କରୋନାର କାୟା ବିସ୍ତାର କରିଥଲେ ମଧ୍ୟ ସେ ରାଜ୍ୟସଭାରେ ଉପସ୍ଥିତ ରହୁଥିଲେ। ରଘୁନାଥ ମହାପାତ୍ରଙ୍କ କରୋନା ସଂକ୍ରମଣରେ ଅକାଳ ବିୟୋଗ ଦିଲ୍ଲୀ ଦରବାରରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ ସଂସଦରେ ନିର୍ମାଣାଧୀନ ନୂତନ ସଂସଦ ଗୃହରେ ତାଙ୍କର କଳାର ଛାପ ରହିବା ସ୍ୱପ୍ନ ଅଧୁରା ରହିଗଲା।