ନୂଆଦିଲ୍ଲୀ : ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତ’ ଆସନ୍ତା ଜାନୁଆରୀ ୨୫ ତାରିଖରେ ମୁକ୍ତି ଲାଭ କରିବା ନେଇ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଫିଲ୍ମକୁ ନେଇ ବିବାଦ ଓ ବିରୋଧ ଥମିବାର ନାଁ ନେଉନି। ପୂର୍ବରୁ ରାଜସ୍ଥାନ ଏବଂ ଗୁଜରାଟ୍ରେ ଫିଲ୍ମ ରିଲିଜ୍ ହେବାକୁ ଦିଆଯିବନି ବୋଲି କୁହାଯାଇଥିବାବେଳେ ଆଜି ହରିୟାଣାରେ ମଧ୍ୟ ଫିଲ୍ମ ରିଲିଜ୍କୁ ମନା କରାଯାଇଛି। ‘ପଦ୍ମାବତ’ରେ ଇତିହାସର ବିକୃତିକରଣ କରାଯାଇଛି ଏବଂ ଏହାଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିପାରେ କୁହାଯାଇ ରାଜ୍ୟ କ୍ୟାବିନେଟ୍ ଦ୍ୱାରା ରାଜ୍ୟରେ ଫିଲ୍ମ ରିଲିଜ୍ ହେବାକୁ ଦିଆଯିବନି ବୋଲି ନିଷ୍ପତ୍ତି ନିଆଯାଇଛି।
ତେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ପ୍ରାରମ୍ଭରେ କହିଥିଲେ ଯେ ସେନ୍ସର ବୋର୍ଡ ଉକ୍ତ ଫିଲ୍ମକୁ ପ୍ରମାଣପତ୍ର ଦେବାପରେ ଏନେଇ ନିଷ୍ପତ୍ତି ନିଆଯିବ। କିନ୍ତୁ ଆଜିର କ୍ୟାବିନେଟ୍ ବୈଠକରେ ଫିଲ୍ମଟିକୁ ରାଜ୍ୟରେ ରିଲିଜ୍ ହେବାକୁ ଦିଆଯିବନି ବୋଲି ନିଷ୍ପତ୍ତି ନିଆଯାଇଛି। ଆଜିର ବୈଠକରେ ହରିୟାଣା ମନ୍ତ୍ରୀ ଅନିଲ୍ ଭିଜ୍ ରାଜ୍ୟରେ ଫିଲ୍ମ ରିଲିଜ୍ ନକରିବାପାଇଁ ପ୍ରସ୍ତାବ ରଖିବାପରେ ତାଙ୍କ ପ୍ରସ୍ତାବକୁ ସମସ୍ତେ ଗ୍ରହଣ କରିଥିଲେ। ଫିଲ୍ମକୁ ସାରା ଦେଶରେ ବିଭିନ୍ନ ରାଜପୁତ୍ ଗୋଷ୍ଠୀ ବିରୋଧ କରିଆସୁଛନ୍ତି। ନିର୍ଦ୍ଦିଷ୍ଟ ଭାବେ ରାଜପୁତ କର୍ଣ୍ଣି ସେନା ଏହାର ତୀବ୍ର ବିରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ପୂର୍ବରୁ ‘ପଦ୍ମାବତୀ’ ନାମରେ ବିଭିନ୍ନ ବିରୋଧ ଏବଂ ଆନ୍ଦୋଳନକୁ ସାମ୍ନା କରିଥିବା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତ’କୁ ପରିବର୍ତ୍ତନ ହେବାପରେ ଏବଂ ସେନ୍ସର ବୋର୍ଡର ପ୍ରମାଣପତ୍ର ମିଳିବାପରେ ମଧ୍ୟ ସଙ୍କଟ ଟଳିନି। ଏଯାବତ୍ ବିରୋଧ ଲାଗି ରହିଛି।