ହାଇକୋର୍ଟ ବିଚାରପତିଙ୍କ ପାଇଁ ‘ପଦ୍ମାବତ୍‌’ର ସ୍ୱତନ୍ତ୍ର ପ୍ରଦର୍ଶନ

ନୂଆଦିଲ୍ଲ: ବିବାଦୀୟ ଫିଲ୍ମ ‘ପଦ୍ମାବତ୍‌’ ମୁକ୍ତିଲାଭ କରି ସାରିଥିଲେ ମଧ୍ୟ ଏହାକୁ ନେଇ ଅନେକ ବିବାଦ ଏବେ ମଧ୍ୟ ଲାଗି ରହିଛି। ରାଜସ୍ଥାନରେ କୌଣସି ଫିଲ୍ମ ହଲ୍‌ରେ ଫିଲ୍ମଟି ରିଲିଜ୍‌ ହୋଇନଥିବାବେଳେ ଜୋଧପୁର ସହରରେ ଆଜି ସନ୍ଧ୍ୟାରେ ପ୍ରଥମ ଥର ପାଇଁ ଫିଲ୍ମଟିର ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଛି। କଡ଼ା ସୁରକ୍ଷା ବଳୟରେ ହାଇକୋର୍ଟ ବିଚାରପତି ସନ୍ଦିପ ମେହଟାଙ୍କ ସହ ଅନ୍ୟ ଷ୍ଟାଫ୍‌ଙ୍କୁ ମିଶାଇ ସମୁଦାୟ ୪ ଜଣ ‘ପଦ୍ମାବତ୍‌’ର ସ୍ୱତନ୍ତ୍ର ପ୍ରଦର୍ଶନ ଦେଖିଛନ୍ତି। ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ବଂଶାଲିଙ୍କ ଏକ ଆବେଦନକୁ ଆଧାର କରି ଫିଲ୍ମର ଏହି ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଛି। ୨୦୧୭ ମସିହା ମାର୍ଚ୍ଚ ମାସରେ ନିର୍ଦ୍ଦେଶକ ସଞ୍ଜୟ ଲୀଳାଙ୍କ ସହ ଦୀପିକା ପାଦୁକୋନ୍‌ଙ୍କ ବିରୋଧରେ ହୋଇଥିବା ଏଫଆଇଆର ଖାରଜ କରିବାପାଇଁ ସଞ୍ଜୟ ଏକ ପିଟିସନ୍‌ ଦାଏର କରିଛନ୍ତି। କୋର୍ଟଙ୍କ ପାଇଁ
ଫିଲ୍ମର ସ୍ୱତନ୍ତ୍ର ପ୍ରଦର୍ଶନ ପାଇଁ ସଞ୍ଜୟ ତାଙ୍କ ଆବେଦନରେ ଦର୍ଶାଇ ତାଙ୍କ ବିରୋଧରେ ହୋଇଥିବା ଏଫଆଇଆର ଖାରଜ କରିବାପାଇଁ କହିବାପରେ ଫିଲ୍ମଟିର ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଛି। ଉଲ୍ଲେଖଯୋଗ୍ୟ ବୀରେନ୍ଦ୍ର ସିଂହ ଏବଂ ନାଗପାଳ ସିଂହ ନାମକ ଦୁଇଜଣ ବ୍ୟକ୍ତି ଫିଲ୍ମଟିରେ ଇତିହାସର ବିକୃତିକରଣ ହୋଇଛି କହି ସଞ୍ଜୟ ଏବଂ ଦୀପିକାଙ୍କ ବିରୋଧରେ ଏଫଆଇଆର ଦାଏର କରିଥିଲେ। କେବଳ ସ୍ୱତନ୍ତ୍ର ପ୍ରଦର୍ଶନ ତଥା ଫିଲ୍ମ ପାଇଁ ଗୋଟିଏ ଶୋ’ର ଆୟୋଜନ କରିବାପାଇଁ ହଲ୍‌ ମାଲିକଙ୍କୁ ଏକ ସ୍ୱତନ୍ତ୍ର ପାସଓ୍ଵର୍ଡ ଦିଆଯାଇଛି। ଉଭୟ ସିନେମା ହଲ୍‌ ଭିତରେ ଏବଂ ବାହାରେ ଶହ ଶହ ପୁଲିସ ମୁତୟନ ହୋଇଛନ୍ତି। ତେବେ ଉକ୍ତ ସ୍ୱତନ୍ତ୍ର ପ୍ରଦର୍ଶନ ପାଇଁ ରାଜପୁତ କର୍ଣ୍ଣି ସେନାଙ୍କର କିଛି ଆପତ୍ତି ଥିବାନେଇ ପ୍ରଶ୍ନ କରିବା ସମୟରେ ରାଜପୁତ କର୍ଣ୍ଣି ସେନା ମୁଖ୍ୟ ଲୋକେନ୍ଦ୍ର ସିଂହ କଲ୍‌ଭି କହିଛନ୍ତି ଯେ ନ୍ୟାୟିକ ପଦ୍ଧତି ମାଧ୍ୟମରେ ଫିଲ୍ମ ପ୍ରଦର୍ଶନ ହେଲେ ଆମର କିଛି କହିବାର ନାହିଁ।

ସମ୍ବନ୍ଧିତ ଖବର