ପଦ୍ମାବତୀ ବିବାଦ: ସଂସଦୀୟ ପ୍ୟାନେଲ୍‌ରେ ପକ୍ଷ ରଖିିଲେ ବଂଶାଲି, ଯୋଶୀ

ନୂଆଦିଲ୍ଲୀ: ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲିଲା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ପ୍ରତ୍ୟହ ନୂଆ ବିବାଦ ଓ ବିରୋଧ ମୁଣ୍ଡ ଟେକିବାରେ ଲାଗିଥିବା ବେଳେ ଆଜି ସଂସଦୀୟ କମିଟି ସମ୍ମୁଖରେ ବଂଶାଲି ଏବଂ ସେନ୍‌ସର ବୋର୍ଡ ଅଧ୍ୟକ୍ଷ ପ୍ରସୁନ ଯୋଶୀ ତାଙ୍କର ପକ୍ଷ ରଖିଛନ୍ତି। ଯୋଶୀ ତାଙ୍କ ମତ ଉପସ୍ଥାପନ କରି କହିଥିଲେ ଯେ ଏ ପର୍ଯ୍ୟନ୍ତ ଫିଲ୍ମକୁ ପ୍ରମାଣପତ୍ର ଦିଆଯିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ଏବଂ ପ୍ରକ୍ରିୟା ଜାରି ରହିଛି। ସଂସଦୀୟ ପ୍ୟାନେଲ୍‌ ଫିଲ୍ମକୁ ନେଇ ଉଭୟ ନିର୍ମାତା ଏବଂ ସେନ୍‌୍‌ସର ବୋର୍ଡର ପକ୍ଷ ଶୁଣିବାପରେ ଏ ବାବଦରେ ଅଧିକ ତର୍ଜମା କରାଯିବ ବୋଲି କହିଛନ୍ତି। ତେବେ ପ୍ୟାନେଲ୍‌ର ୩ ଜଣ ସଦସ୍ୟ ଫିଲ୍ମକୁ ବ୍ୟାନ୍‌ କରାଯିବା ସପକ୍ଷରେ ଥିବା ଜଣାପଡ଼ିଛି। ଏହି ୩ ସଦସ୍ୟଙ୍କ ମଧ୍ୟରେ ୨ ଜଣ ବିଜେପି ଓ ଜଣେ ଶିବସେନାର ରହିଛନ୍ତି। ଯୋଶୀ ତାଙ୍କ ପକ୍ଷ ରଖି କହିଥିଲେ ଆବଶ୍ୟକ ହେଲେ କେନ୍ଦ୍ରୀୟ କମିଟି ଫିଲ୍ମ ଦେଖିବେ ଏବଂ ଏହା ପରେ ନିଷ୍ପତ୍ତି ନିଆଯିବ। ଫିଲ୍ମକୁ ବିରୋଧ କରୁଥିବା ସଦସ୍ୟମାନେ ଏହାର ପ୍ରୋମୋକୁ ମଧ୍ୟ ପ୍ରତ୍ୟାହାର କରିନେବାକୁ ଦାବି କରିଥିବା ଜଣାପଡ଼ିଛି ।

ଫିଲ୍ମକୁ ରିଲିଜ୍‌ କରିବା ପାଇଁ ଅନୁମତି ନଦେବା ପାଇଁ ଆବେଦନ କରି ସୁପ୍ରିମ୍‌ କୋର୍ଟରେ ଦାଏର ହୋଇଥିବା ତୃତୀୟ ମାମଲାକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିବା ବେଳେ ଏବେ ସେନ୍‌୍‌ସର ବୋର୍ଡର ନିଷ୍ପତ୍ତିକୁ ହିଁ ଅପେକ୍ଷା କରାଯାଇଛି । ସେନ୍‌୍‌ସର ବୋର୍ଡର କାର୍ଯ୍ୟରେ କୌଣସି ପ୍ରକାର ହସ୍ତକ୍ଷେପ ହେବନାହିଁ ବୋଲି କୋର୍ଟ କହିଥିବାରୁ ସଂସଦୀୟ ପ୍ୟାନେଲ୍‌ କେବଳ ଏ ବାବଦରେ ନିଜର ପରାମର୍ଶ ହିଁ ସେନ୍‌୍‌ସର ବୋର୍ଡକୁ ଦେଇପାରିବେ। ଦୁଇଦିନ ତଳେ ସୁପ୍ରିମକୋର୍ଟ ଫିଲ୍ମ ବିରୋଧରେ ବୟାନ ଦେଉଥିବା ନେତା ଏବଂ ମୁଖ୍ୟମନ୍ତ୍ରୀମାନଙ୍କ କାର୍ଯ୍ୟକୁ ସିଧାସଳଖ ବିରୋଧ କରି କହିଛନ୍ତି ଯେ ଉଚ୍ଚ ପଦ ପଦବୀରେ ଥିବା ବ୍ୟକ୍ତିଙ୍କ ଏଭଳି ଆଚରଣ କଦାପି ଗ୍ରହଣୀୟ ନୁହେଁ। ଫିଲ୍ମକୁ ନେଇ ଅନାବଶ୍ୟକ ବୟାନବାଜି ବନ୍ଦ ହେବା ଆବଶ୍ୟକ ବୋଲି କୋର୍ଟ କହିବା ପରେ ଏବେ ବିବାଦ ସାମାନ୍ୟ ଥମିଛି।

‘ପଦ୍ମାବତୀ’ ଫିଲ୍ମରେ ରାଣୀ ପଦ୍ମାବତୀ ଏବଂ ଆଲାଉଦ୍ଦିନ୍‌ ଖିଲଜିଙ୍କ ମଧ୍ୟରେ ରହିଥିବା କେତେକ ଦୃଶ୍ୟକୁ ବିରୋଧ କରାଯାଇ ବିବାଦ ଉଗ୍ର ରୂପ ନେଇଛି। ପାଞ୍ଚଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଫିଲ୍ମକୁ ରିଲିଜ ନ କରିବାକୁ ଘୋଷଣା କରିଛନ୍ତି। ପ୍ରଥମ ରାଜ୍ୟଭାବେ ଗୁଜରାଟ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଇ ଫିଲ୍ମକୁ ନେଇ ବିଜ୍ଞପ୍ତି ଜାରି କରିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିକଟରେ ନିର୍ଦ୍ଦେଶକ ସଞ୍ଜୟ ଲିଲା ବଂଶାଲି ଲୋକଙ୍କ ଭାବନା ସହ ଖେଳୁଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର