ପଦ୍ମାବତୀ ବିବାଦ: ମହାରାଷ୍ଟ୍ର ଓ ଗୁଜରାଟରେ ବି ନିଷିଦ୍ଧ

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟ ସରକାର ଫିଲ୍ମକୁ ରିଲିଜ୍‌ ନକରାଇ ଦେବାକୁ ଘୋଷଣା କରିବା ପରେ ଏହି ଫିଲ୍ମର ଭାଗ୍ୟ ଏବେ ଅନିଶ୍ଚିତତା ଭିତରେ ରହିଛି। ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପରେ ଆଜି ଗୁଜରାଟ ଏବଂ ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟରେ ଫିଲ୍ମ ରଲିଜ୍‌ କରାଇ ନଦେବାକୁ ଘୋଷଣା କରିଛନ୍ତି। ଆଗକୁ ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟରେ କୌଣସି ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାକୁ ନଦେବା ପାଇଁ ‘ପଦ୍ମାବତୀ’ର ରିଲିଜ୍‌କୁ ସରକାର ଅନୁମତି ଦେଉନାହାନ୍ତି ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି। ରାଜ୍ୟରେ ବିଭିନ୍ନ ବର୍ଗର ଜନସାଧାରଣ ଫିଲ୍ମକୁ ବିରୋଧ କରୁଥିବାରୁ ଫିଲ୍ମ ରିଲିଜ୍‌ ହେଲେ ହିଂସା ସୃଷ୍ଟି ହୋଇପାରେ, ସେଥିଲାଗି ରାଜ୍ୟ ଗୃହ ବିଭାଗ ଫିଲ୍ମ ରିଲିଜ୍‌କୁ ବିରୋଧ କରି ଏହି ନିଷ୍ପତ୍ତି ନେଇଥିବା ରୁପାନି ସୂଚନା ଦେଇଛନ୍ତି। ସେହିପରି ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଜୟକୁମାର ରାଓ୍ଵଲ ଆଜି ଏହି ବିବାଦୀୟ ଫିଲ୍ମ ‘ପଦ୍ମାବତୀ’କୁ ରାଜ୍ୟରେ ରିଲିଜ୍‌ ହେବାକୁ ଦିଆଯିବନି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଫିଲ୍ମଟିକୁ ଭଲଭାବେ ଯାଞ୍ଚ ପାଇଁ ସେନ୍‌ସର ବୋର୍ଡ ବିଶେଷଜ୍ଞ ଐତିହାସିକ କମିଟିଙ୍କୁ ଫିଲ୍ମ ଦେଖାଇବା ଲାଗି ସେ ସେନ୍‌ସର ବୋର୍ଡଙ୍କୁ ମଧ୍ୟ ପତ୍ର ଲେଖିଛନ୍ତି। ତେବେ ଫିଲ୍ମରୁ ଆପତ୍ତିଜନକ ଦୃଶ୍ୟଗୁଡ଼ିକୁ ହଟାଇଦେବା ପରେ ହିଁ ଏହାକୁ ରାଜ୍ୟରେ ରିଲିଜ୍‌ କରିବାକୁ ଦିଆଯିବ ବୋଲି ରାଓ୍ଵଲ କହିଛନ୍ତି। ଉଲ୍ଲେଖଯୋଗ୍ୟ ପଦ୍ମାବତୀ ଫିଲ୍ମରେ ରାଣୀ ପଦ୍ମାବତୀ ଏବଂ ଆଲାଉଦ୍ଦିନ ଖିଲଜିଙ୍କ ମଧ୍ୟରେ ରହିଥିବା ରୋମାଣ୍ଟିକ୍‌ ଦୃଶ୍ୟକୁ ନେଇ ବିବାଦ ଘନେଇଛି। ଏହା ବ୍ୟତୀତ ଇତିହାସରେ ରହିଥିବା ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ବିକୃତ କରି ପରିବେଷଣ କରାଯାଇଥିବା ଅଭିଯୋଗ ହୋଇଛି।

ରିପୋର୍ଟ ମାଗିଲେ ସଂସଦୀୟ କମିଟି

ଗତ ଦୁଇ ସପ୍ତାହ ଧରି ପଦ୍ମାବତୀ ବିବାଦ ଅତି ଜଟିଳ ସ୍ଥିତିରେ ପହଞ୍ଚିଥିବାବେଳେ ଆଜି ଏକ ସଂସଦୀୟ କମିଟି ଫିଲ୍ମ ବାବଦରେ ସେନ୍‌ସର ବୋର୍ଡ, ସୂଚନା ଏବଂ ପ୍ରସାର ମନ୍ତ୍ରାଳୟଠାରୁ ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ତଲବ କରିଛନ୍ତି। ଏଥିସହ ଉଭୟ ସେନ୍‌ସର ବୋର୍ଡ ଓ ସୂଚନା ଏବଂ ପ୍ରସାର ମନ୍ତ୍ରାଳୟ ଅଧିକାରୀମାନଙ୍କୁ କମିଟି ନିକଟରେ ହାଜର ହେବାପାଇଁ ମଧ୍ୟ କୁହାଯାଇଛି।

ସେନ୍‌ସର ବୋର୍ଡ ପ୍ରମାଣପତ୍ର ଦେବାପରେ ନିଷ୍ପତ୍ତି ନିଆଯିବ: ଖଟ୍ଟର
ପଦ୍ମାବତୀ ବିବାଦର ଚେର ଏବେ ସବୁ ରାଜ୍ୟକୁ ମାଡ଼ି ଯାଇଥିବାବେଳେ ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ବଂଶାଲିଙ୍କ ଫିଲ୍ମ ପଦ୍ମାବତୀକୁ ନେଇ ନିଜର ନରମ ମନୋଭାବ ପୋଷଣ କରିଛନ୍ତି। ଫିଲ୍ମ ଉପରେ ସେନ୍‌ସର ବୋର୍ଡ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଫିଲ୍ମକୁ ବନ୍ଦ କରିବା ଆଦୌ ଠିକ୍‌ ନୁହେଁ ବୋଲି ଖଟ୍ଟର କହିଛନ୍ତି। ଅନ୍ୟପକ୍ଷରେ ସେନ୍‌ସର ବୋର୍ଡ ଫିଲ୍ମକୁ ପ୍ରମାଣପତ୍ର ଦେବାପରେ ହିଁ ସେ ପଦ୍ମାବତୀ ଉପରେ କୌଣସି ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ତେବେ ପୂର୍ବରୁ ହରିଆଣା ବିଜେପି ନେତା ସୁରଜ୍‌ ପାଲ ଅମୁ ପଦ୍ମାବତୀର ନାୟିକା ଦୀପିକା ଏବଂ ଫିଲ୍ମ ନିର୍ମାତା ବଂଶାଲୀଙ୍କ ମୁଣ୍ଡକାଟ ଲାଗି ୧୦ କୋଟି ଟଙ୍କା ପୁରସ୍କାର ଘୋଷଣା କରି ଝଡ଼ ସୃଷ୍ଟି କରିଥିଲେ। ଆଜି ଖଟ୍ଟର ଭିନ୍ନ ମତ ପୋଷଣ କରି ଏହା ଅମୁଙ୍କର ବ୍ୟକ୍ତିଗତ ମତାମତ ବୋଲି କହିଛନ୍ତି ।

ଶତ୍ରୁଘ୍ନ ସିହ୍ନାଙ୍କ ପ୍ରଶ୍ନ: ମୋଦି, ବିଗ୍‌୍‌ ବି ନିରବ କାହିଁକି ?

ପଦ୍ମାବତୀ ବିବାଦ ଦିନକୁ ଦିନ ଅତି ଜଟିଳ ରୂପ ନେଉଥିବାବେଳେ ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନିରବତାକୁ ନେଇ ପ୍ରଶ୍ନ କରିଛନ୍ତି ବରିଷ୍ଠ ଅଭିନେତା ତଥା ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା। ସେମାନେ କାହିଁକି ଏ ବାବଦରେ ନିଜ ମତ ରଖୁନାହାନ୍ତି ବୋଲି ସିହ୍ନା ପ୍ରଶ୍ନ କରିଛନ୍ତି। ତେବେ ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ବଂଶାଲି ଏଯାବତ୍‌ ବିବାଦ ନେଇ ଆଦୌ ମୁହଁ ଖୋଲିନଥିବାରୁ ଶତ୍ରୁଘ୍ନ ସେଥିଲାଗି ଫିଲ୍ମ ବାବଦରେ ତାଙ୍କ ନିଜସ୍ୱ ମନ୍ତବ୍ୟ ଦେଇନଥିବା କହିଛନ୍ତି। ତେବେ ତାଙ୍କ ସମର୍ଥନ ବଂଶାଲିଙ୍କ ସହ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର