ପଦ୍ମାବତୀ ବିବାଦରେ ମହାରାଷ୍ଟ୍ର ହାଇକୋର୍ଟଙ୍କ ଉଦ୍‌ବେଗ

ଦେଶର ଗତି କୁଆଡ଼େ ବୋଲି ପ୍ରଶ୍ନ କଲେ

ମୁମ୍ବାଇ: ସମ୍ପ୍ରତି ସଞ୍ଜୟ ଲୀଳା ବଂଶାଲିଙ୍କ ପଦ୍ମାବତୀ ବିବାଦକୁ ନେଇ ଦେଶବ୍ୟାପୀ ବାଦାନୁବାଦ ଜାରି ରହିଥିବା ବେଳେ ଆଜି ମହାରାଷ୍ଟ୍ର ହାଇକୋର୍ଟ ଏଥିରେ ତୀବ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଣକୁ ଖୋଲା ଧମକ ଦେଇ ଅନ୍ୟ ଜଣେ ମୁକ୍ତ ଭାବେ ବିଚରଣ କରିପାରୁଥିବା ବେଳେ ଦେଶର ଗତି କୁଆଡ଼େ ବୋଲି ମାନ୍ୟବର ଅଦାଲତ ପ୍ରଶ୍ନ କରିଛନ୍ତି। କଳାକାରମାନଙ୍କୁ ହତ୍ୟା କରିବା ପାଇଁ ପୁରସ୍କାର ଘୋଷଣା କରି ଲୋକେ ଗର୍ବ ଅନୁଭବ କରୁଥିବା ବେଳେ ଆତଙ୍କିତ ଅବସ୍ଥାରେ କାଳ କାଟୁଥିବା ନିରୀହ ଜନତାଙ୍କ ଅବସ୍ଥା କ’ଣ ହେବ ବୋଲି ଅଦାଲତ ପରୋକ୍ଷରେ ସରକାରଙ୍କ ଠାରୁ ଉତ୍ତର ଆଶା କରିଛନ୍ତି।

ହେତୁବାଦୀ ନରେନ୍ଦ୍ର ଦାଭୋଲକର ଏବଂ ଗୋବିନ୍ଦ ପନ୍‌ସାରେଙ୍କ ହତ୍ୟାକାରୀଙ୍କୁ ଠାବ କରିିବାରେ ସିବିଆଇ ଏବଂ ରାଜ୍ୟ ଗୁଇନ୍ଦା ବିଭାଗର ବିଫଳତା ପରିପ୍ରେକ୍ଷୀରେ ଜଷ୍ଟିସ ଏସ୍‌ସି ଧର୍ମାଧିକାରୀ ଏବଂ ଭାରତୀ ଡାଙ୍ଗରେଙ୍କ ଖଣ୍ଡପୀଠ ଏଭଳି ଉଦ୍‌ବେଗ ପ୍ରକାଶ କରିବା ସହ ଉପରୋକ୍ତ ଟିପ୍ପଣୀ କରିଛନ୍ତି। ପଦ୍ମାବତୀ ଫିଲ୍ମ ବିବାଦରେ ଖଣ୍ଡପୀଠଙ୍କ କହିବା ହେଲା, କେତେ କଷ୍ଟରେ ଜଣେ କଳାର ପୂଜାରୀ ସାଜି ସିନେମା ନିର୍ମାଣ କରୁଛି। ତାହା ସହିତ ମଧ୍ୟ ସଂଖ୍ୟାଧିକ ଲୋକଙ୍କର ଅକ୍ଳାନ୍ତ ପରିଶ୍ରମ ଏବଂ ପେଟପାଟଣା ଜଡ଼ିତ ରହୁଛି। ଅଥଚ ଲଗାତାର ଧମକ ବଳରେ ଏହାର ଶୁଭମୁକ୍ତି ହୋଇପାରୁନି। କଳାକାର, ଅଭିନେତା, ଅଭିନେତ୍ରୀ କାହାକୁ ବି ଜଣକୁ ହତ୍ୟା କଲେ ପୁରସ୍କାର ମିଳିବ ବୋଲି ଜଣେ ଘୋଷଣା କରଦେଉଛି ଏବଂ ତାହା ମଧ୍ୟ ସର୍ବସାଧାରଣ ଟେଲିଭିଜନ୍‌ରେ ପ୍ରସାରଣ କରାଯାଉଛି। ଏପରିକି ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଫିଲ୍ମକୁ ନିଜ ରାଜ୍ୟରେ ଖେଳାଇଦେବେନି ବୋଲି ଧମକ ଦେଉଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବାର ସାମର୍ଥ୍ୟ ରଖିଥିବା ଧନୀଶ୍ରେଣୀ ପାଇଁ ଯଦି ଏଭଳି ଧମକକୁ ବରଦାସ୍ତ କରାଯାଉଛି, ସାଧାରଣ ନିରୀହ ଜନତାଙ୍କ ସ୍ଥିତି କ’ଣ ହେବ ବୋଲି ଅଦାଲତ ଚିନ୍ତା ପ୍ରକଟ କରିବା ସହ ଏଭଳି ଅନ୍ୟର କଣ୍ଠରୋଧ କେତେ ଦିନ ବୋଲି ପ୍ରଶ୍ନ କରିଛନ୍ତି।

ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରୀ କଳର ଉଦାସୀନତାରେ ମଧ୍ୟ ଖଣ୍ଡପୀଠ ଅସନ୍ତୋଷ ପ୍ରକଟ କରିଛନ୍ତି। କଳାକାରଙ୍କ ପ୍ରତି ଏଭଳି ଧମକ ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେନି ବୋଲି ଅଦାଲତ ସୂଚେଇଦେବା ସହ ପୃଥିବୀର ଅନ୍ୟ ପ୍ରାନ୍ତରେ ହେଉଥିବା ତ୍ୱରିତ ପଦକ୍ଷେପକୁ ଭୂୟସୀ ତାରିଫ କରିଛନ୍ତି। କେହି ଜଣେ ନିଜ ମତ ଉପସ୍ଥାପନ କରିବାକୁ ଚାହିବସିଲେ ଅନ୍ୟ କେହି ଜଣେ ଏହା କରିବାକୁ ଦିଆଯିବନି ବୋଲି ପ୍ରତିବନ୍ଧକ ସାଜୁଛି। ଯେଉଁମାନେ ନିଜ ମତକୁ ଜୋର୍‌ କରି ପ୍ରକାଶ କରିବାକୁ ଆଗେଇ ଆସୁଛନ୍ତି, ସେମାନେ ହିଁ ଆକ୍ରମଣର ଶିକାର ହେଉଛି। ସୁତରାଂ ଆମ ଦେଶରେ କେହି ଜଣେ ନିଜ ମତ ରଖିବାରୁ ବଞ୍ଚିତ ହେଲା ପରି ସ୍ଥିତି ଜାରି ରହିବା ଜରୁରୀ କି ବୋଲି ଅଦାଲତ ପ୍ରଶ୍ନ କରିବା ସହ ମତ ରଖିବାର ସାମ୍ବିଧାନିକ ଅଧିକାରକୁ କେବେ କ୍ଷୁଣ୍ଣ ହେବାକୁ ଦିଆଯିବନି ବୋଲି ଦୃଢ଼ ଭାବେ କହିଛନ୍ତି।

ସମ୍ବନ୍ଧିତ ଖବର