ବଢ଼ୁଛି ପଦ୍ମାବତୀ ବିବାଦ:ବେଫିକର୍‌ ସରକାର

ଦୀପିକାଙ୍କୁ ଜିଅନ୍ତା ଜାଳିବା ଲାଗି କୋଟିଏ:ମଧ୍ୟପ୍ରଦେଶରେ ବି ରିଲିଜ୍‌କୁ ନା

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ଥମିବାର ନାଁ ନେଉନି। ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ ଏଥିରେ ଥିବା କିଛି ବିବାଦୀୟ ଦୃଶ୍ୟକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଜଳାପୋଡ଼ା ହୋଇଛି। ଆନ୍ଦୋଳନକାରୀମାନେ ରାଜସ୍ଥାନର କିଛି ଐତିହାସିକ ଦୁର୍ଗକୁ ପର୍ଯ୍ୟଟକଙ୍କ ପ୍ରବେଶ ରୋକିଦେଇଛନ୍ତି। ଏପରିକି ଚଲଚ୍ଚିତ୍ରରେ ରାଣୀ ପଦ୍ମାବତୀ ସାଜିିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଏବଂ ଚଳଚ୍ଚତ୍ର ନିର୍ମାତା ବଂଶାଲିଙ୍କ ମୁଣ୍ଡକାଟ ଲାଗି ଗତକାଲି ହରିଆଣା ବିଜେପି ନେତା ସୁରଜ ପାଲ୍‌ ଅମୁ ୧୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରି ଝଡ଼ ସୃଷ୍ଟି କରିଥିଲେ। ସେହିପରି ଦୀପିକାଙ୍କୁ ଜିଅନ୍ତା ଜାଳିବା ଲାଗି ଆଜି ଅନ୍ୟ ଏକ ଅନୁଷ୍ଠାନ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛି। ତେବେ ପରିତାପର ବିଷୟ, ସ୍ୱାଧୀନ ଭାରତରେ ଏପରି ଧମକ ଚମକ ଜାରି ରହିଥିବା ବେଳେ ସରକାର ଉଦାସୀନ ରହିଛନ୍ତି। ସମ୍ପ୍ରତି ଦେଖାଦେଇଥିବା ଏହି ସମ୍ବେଦନଶୀଳ ସମସ୍ୟାର ଆଶୁ ସମାଧାନ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନେଇ
ନାହାନ୍ତି।
‘ପଦ୍ମାବତୀ’ର ନାୟିକା ଦୀପିକା ପାଦୁକୋନ୍‌ଙ୍କୁ ଜିଅନ୍ତା ଜାଳିବା ଲାଗି ଆଜି ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ଅଖିଳ ଭାରତୀୟ କ୍ଷତି୍ରୟ ମହାସଭା (ଏବିକେଏମ୍‌)ର ଭୁବନେଶ୍ୱର ସିଂହ। ରାଣୀ ପଦ୍ମାବତୀଙ୍କ ତ୍ୟାଗ ବିଷୟରେ ଦୀପିକା ସମ୍ପୂର୍ଣ୍ଣ ଭାବେ ଅଜ୍ଞ। ତେଣୁ ସେ ଜିଅନ୍ତା ଜଳିବାର କଷ୍ଟ ଅନୁଭବ କରିବା ଦରକାର ବୋଲି ଭୁବନେଶ୍ୱର କହିଛନ୍ତି। ତେଣୁ ଯେ କେହି ବି ଦୀପିକାଙ୍କୁ ଜିଅନ୍ତା ଜାଳିଦେବାର ସାହସ କରିବ ତାଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଏହି ଅବସରରେ ଏବିକେଏମ୍‌ ସଦସ୍ୟମାନେ ଦୀପିକାଙ୍କର ଶହେରୁ ଊର୍ଦ୍ଧ୍ୱ କୁଶପୁତ୍ତଳିକା ଦାହ କରିଛନ୍ତି।
ତ୍ତରପ୍ରଦେଶ ପରେ ଆଜି ମଧ୍ୟପ୍ରଦେଶ ସରକାର ମଧ୍ୟ ରାଜ୍ୟରେ ‘ପଦ୍ମାବତୀ’ ଫିଲ୍ମ ରିଲିଜ୍‌ ହୋଇପାରିବନି ବୋଲି କହିଛନ୍ତି। ଏକ ରାଜପୁତ ସମ୍ପ୍ରଦାୟ ‘ପଦ୍ମାବତୀ’ ବନ୍ଦ କରିବା ନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଦେବା ପରେ ଶ୍ରୀ ଚୌହାନ ଆଜି ବଂଶାଲିଙ୍କ ଏହି ବହୁ ଚର୍ଚ୍ଚିତ ଫିଲ୍ମ ରାଜ୍ୟରେ ମୁକ୍ତିଲାଭ କରିବାକୁ ଦିଆଯିବନି ବୋଲି କହିଛନ୍ତି। ଇତିହାସକୁ ବିକୃତ କରିବା ଆଦୌ ଗ୍ରହଣୀୟ ନୁହେଁ ଏବଂ ଫିଲ୍ମରୁ ବିବାଦୀୟ ଦୃଶ୍ୟଗୁଡ଼ିକୁ ନହଟାଇବା ପର୍ଯ୍ୟନ୍ତ ଫିଲ୍ମଟିକୁ ରାଜ୍ୟରେ ପ୍ରଦର୍ଶନ କରାଯିବନି ବୋଲି ସେ କହିଛନ୍ତି। ସେନ୍‌ସର ବୋର୍ଡ ଫିଲ୍ମଟିକୁ ପ୍ରମାଣପତ୍ର ଦେଲେ ମଧ୍ୟ ସେ ତାଙ୍କ ରାଜ୍ୟରେ ଫିଲ୍ମ ପ୍ରଦର୍ଶନ କରାଇଦେବେନି ବୋଲି ଚୌହାନ ରୋକଠୋକ ଶୁଣାଇଛନ୍ତି। ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ଆନ୍ଦୋଳନକାରୀଙ୍କୁ ସମର୍ଥନ କରି ପଦ୍ମାବତୀର ରିଲିଜ୍‌କୁ ବିରୋଧ କରିଛନ୍ତି।
ଉଲ୍ଲେଖ ଥାଉ କି, ଗତକାଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଚଳଚ୍ଚିତ୍ରରୁ ଆପତ୍ତିଜନକ ଦୃଶ୍ୟ ବାଦ୍‌ ନଦେଲେ ରାଜ୍ୟରେ ଫିଲ୍ମ ରିଲିଜ୍‌ ହେବାକୁ ଦିଆଯିବନି ବୋଲି କହିଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ସମାନ ମନ୍ତବ୍ୟ ରଖି ବିବାଦୀୟ ଦୃଶ୍ୟ ହଟିବା ପରେ ହିଁ ଫିଲ୍ମ ରିଲିଜ୍‌ ହେବା ଆବଶ୍ୟକ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର