ପଦ୍ମାବତୀ ବିବାଦ ଘନେଇଲା: ଦୀପିକାଙ୍କ ନାକ, ବଂଶାଲିଙ୍କ ମୁଣ୍ଡ କାଟିବାକୁ ଧମକ

ଜୟପୁର/ଲକ୍ଷ୍ନୌ: ସଞ୍ଜୟ ଲୀଲା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’ ମୁକ୍ତିଲାଭ କରିବା ପୂର୍ବରୁ ଏହାକୁ ନେଇ ତମ୍ବିତୋଫାନ ସୃଷ୍ଟି ହୋଇଛି। ଏବେ ଏହି ବିବାଦ ହିଂସାତ୍ମକ ମୋଡ଼ ନେଇଥିବା ବେଳେ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ବିରୋଧ ତେଜିବାରେ ଲାଗିଛି। ପଦ୍ମାବତୀ ବିରୋଧରେ ରାଜପୁତ କରଣୀ ସେନା ତା’ର ବିରୋଧର ସ୍ୱରକୁ ଅଧିକ ଶାଣିତ କରିଛି। ଡିସେମ୍ବର ୧ ତାରିଖରେ ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ହେବାକୁ ଦିଆଯିବ ନାହିଁ ଏବଂ ରାଣୀ ପଦ୍ମାବତୀଙ୍କ ଚରିତ୍ର ସଂହାର କରି ଯେଉଁ ଦୃଶ୍ୟ ଏଥିରେ ରହିଛି ତାହାକୁ ବାଦ ଦିଆନଗଲେ ଅଣାୟତ୍ତ ସ୍ଥିତି ସୃଷ୍ଟି ହେବ ବୋଲି ଧମକ ଦିଆଯାଇଛି । ପଦ୍ମାବତୀଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ପାଦୁକୋନଙ୍କ ନାକ ଏବଂ ନିର୍ମାତା-ନିର୍ଦ୍ଦେଶକ ବଂଶାଳୀଙ୍କ ମୁଣ୍ଡ କାଟିଦେବାକୁ କରଣୀ ସେନା ଧମକ ଦେଇଛି। ରାଜପୁତ କରଣୀ ସେନା ସଦସ୍ୟ ମହିପାଲ ସିଂହ ମକରନା ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ରାଜପୁତମାନେ ମହିଳାଙ୍କ ଉପରକୁ କେବେ ହାତ ଉଠାନ୍ତି ନାହିଁ, କିନ୍ତୁ ପଦ୍ମାବତୀ କ୍ଷେତ୍ରରେ ଅମେ ଯେ କୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। ରାକ୍ଷସୀ ସୂର୍ପଣଖାକୁ ଦଣ୍ଡଦେବା ପାଇଁ ତା’ର ନାକକୁ ଯେଭଳି ଲକ୍ଷ୍ମଣ କାଟି ଦେଇଥିଲେ, ଆମେ ମଧ୍ୟ ଦୀପିକାଙ୍କ ସହ ଠିକ୍‌ ତାହା କରିବୁ ବୋଲି ଏହି ଭିଡିଓରେ ଧମକ ଦିଆଯାଇଛି। ରାଜପୁତ ସମ୍ପ୍ରଦାୟ ବଂଶାଳୀଙ୍କ ମୁଣ୍ଡକାଟ ପାଇଁ ୫କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। । ରାଜସ୍ଥାନ ମହିଳା କମିସନ ମଧ୍ୟ ଏହି ଚଳଚିତ୍ରକୁ ବିବାଦମୁକ୍ତ କରିବାକୁ ନିର୍ଦ୍ଦେଶକ ବଂଶାଲି ତୁରନ୍ତ ପ୍ରୟାସ କରିବାକୁ କହିଛି। ଦୀପିକାଙ୍କୁ ଆକ୍ରମଣ ଧମକ ପରିପ୍ରେକ୍ଷୀରେ ମୁମ୍ବାଇ ପୁଲିସ ତାଙ୍କର ସୁରକ୍ଷା ବଢ଼ାଇ ଦେଇଛି। ତାଙ୍କୁ ସ୍ୱତନ୍ତ୍ର ପୁଲିସ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି।

ଆସନ୍ତା ଡିସେମ୍ବର ୧ ତାରିଖରେ ‘ପଦ୍ମାବତୀ’ ମୁକ୍ତିଲାଭ କରିବାକୁ ଧାର୍ଯ୍ୟ ହୋଇଥିବା ବେଳେ ଉତ୍ତରପ୍ରଦେଶ ସରକାର ଆଜି ଫିଲ୍ମର ରିଲିଜ୍‌ ତାରିଖ ଘୁଞ୍ଚାଇଦେବା ଲାଗି କେନ୍ଦ୍ର ସରକାରଙ୍କୁ କହିଛନ୍ତି। ୟୁପି ସରକାର କହିଛନ୍ତି, ଯେଉଁ ପରିସ୍ଥିତିରେ ଫିଲ୍ମଟି ରିଲିଜ୍‌ ହେବ, ସେ ସମୟରେ ସୁରକ୍ଷା ସ୍ଥିତି ଜଟିଳ ହୋଇପାରେ ଏବଂ ରାଜ୍ୟରେ ଆଶନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ। ଉତ୍ତରପ୍ରଦେଶର ଗୃହ ସଚିବ ଅରବିନ୍ଦ କୁମାର କେନ୍ଦ୍ର ସୂଚନା ଏବଂ ପ୍ରସାର ମନ୍ତ୍ରାଳୟକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ପଦ୍ମାବତୀର ରିଲିଜ୍‌ ତାରିଖରେ ପ୍ରଶାସନ ପୌର ନିର୍ବାଚନ ଭୋଟ୍‌ ଗଣନା ନେଇ ବ୍ୟସ୍ତ ରହିବ । ଚଳଚ୍ଚିତ୍ରକୁ ନେଇ ବ୍ୟାପକ ହିଂସା ଆଶଙ୍କା ରହିଥିବାରୁ ଏହାର ମୁକ୍ତିଲାଭ ତାରିଖ ଘୁଞ୍ଚାଇବାକୁ ନିବେଦନ କରାଯାଇଛି । ରାଜସ୍ଥାନର କୋଟାରେ ଏକ ସିନେମା ହଲ୍‌ରେ ପଦ୍ମାବତୀର ଟ୍ରେଲର ସ୍କ୍ରିନିଂ ସମୟରେ କରଣୀ ସେନା ବ୍ୟାପକ ଭଙ୍ଗାରୁଜା କରିବା ପରେ ଅନ୍ୟ ରାଜ୍ୟରେ ମଧ୍ୟ ଏହାକୁ ନେଇ ହିଂସା ଆଶଙ୍କା ଦେଖାଦେଇଛି। ଫିଲ୍ମରେ ଦୀପିକା ପାଦୁକୋନ୍‌ ରାଣୀ ପଦ୍ମାବତୀଙ୍କ ଭୂମିକା ଏବଂ ରଣବୀର ସିଂହ ଆଲାଉଦ୍ଦିନ ଖିଲଜି ଚରିତ୍ରରେ ଅଭିନୟ କରିଛନ୍ତି ଏବଂ ଉଭୟଙ୍କ ମଧ୍ୟରେ ଅନେକ ରୋମାଣ୍ଟିକ ଦୃଶ୍ୟ ଚିତ୍ରଣ କରାଯାଇଛି । ନିର୍ଦ୍ଦେଶକ ବଂଶାଲି ଏ ବାବଦରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ଚଳଚ୍ଚିତ୍ରରେ ରାଜପୁତଙ୍କ ମର୍ଯ୍ୟାଦାକୁ ସଂପୂର୍ଣ୍ଣ ଧ୍ୟାନରେ ରଖାଯାଇଛି ଏବଂ କୌଣସି ଆପତ୍ତିଜନକ ବିଷୟ ଏଥିରେ ନାହିଁ।

ହିନ୍ଦୁ ମହାସଭା ନିର୍ମାଣ କଲା ଗଡ୍‌ସେ ମନ୍ଦିର

ଭୋପାଳ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହତ୍ୟାର ୬୯ ବର୍ଷ ପରେ ତାଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ସମ୍ମାନରେ ମଧ୍ୟପ୍ରଦେଶର ଗ୍ଵାଲିଅରରେ ହିନ୍ଦୁ ମହାସଭା ଏକ ମନ୍ଦିର ନିର୍ମାଣ କରିଛି। ମହାତ୍ମାଙ୍କ ପ୍ରତି ଏହାଠାରୁ ବଳି ଆଉ ନିଷ୍ଠୁର ଅପମାନ ଆଉ କିଛିନାହିଁ ବୋଲି କଂଗ୍ରେସ କହିଛି। ମନ୍ଦିର ନର୍ମାଣ କରିଥିବା ହିନ୍ଦୁ ମହାସଭା ନେତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଦଳ ଦାବି କରିଛି। ମଧ୍ୟପ୍ରଦେଶର ଗ୍ଵାଲିଅରରେ ହିନ୍ଦୁ ମହାସଭା ଏହାର କାର୍ଯ୍ୟାଳୟ ପରିସରରେ ଗଡସେଙ୍କ ପ୍ରତିମୁର୍ତ୍ତି ସ୍ଥାପନ କରିବା ସହ ଏଠାରେ ପୂଜାର୍ଚ୍ଚନା କରିଛିି। ମହାସଭାର ନେତାମାନେ କହିଛନ୍ତି ଯେ ପ୍ରତ୍ୟେକ ମଙ୍ଗଳବାର ଦିନ ସେମାନେ ମନ୍ଦିରରେ ଅଖଣ୍ଡ ଭାରତ ଆରତୀ କରିବା ସହ ଯୁବପିଢିଙ୍କୁ ଗଡସେଙ୍କ ଜୀବନୀ ଉପରେ ଅବଗତ କରାଇବେ। ଏହାକୁ ତୀବ୍ର ବିରୋଧ କରି କଂଗ୍ରେସ ଏହି ମନ୍ଦିରକୁ ହଟାଇବା ଲାଗି କୋର୍ଟର ଦ୍ୱାରସ୍ଥ ହେବ ବୋଲି ଧମକ ଦେଇଛି। ଏହି ମନ୍ଦିର ପ୍ରତିଷ୍ଠାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାନେଇ କୋର୍ଟରେ ଏକ ପିଟିସନ ଦାଖଲ କରିବାପାଇଁ କଂଗ୍ରେସ ପ୍ରସ୍ତୁତି ଚଳାଇଛି। ତେବେ ଏହି ଘଟଣା ପ୍ରଥମ ନୁହେଁ। ହିନ୍ଦୁ ମହାସଭା ମଧ୍ୟ ପୂର୍ବରୁ ମିରଟ୍‌ରେ ଏହାର କାର୍ଯ୍ୟାଳୟରେ ଗଡସେଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲା। ନାଥୁରାମ ଗଡସେଙ୍କୁ ୧୯୪୯ ମସିହା ନଭେମ୍ବର ୧୫ ତାରିଖରେ ଫାଶୀଦଣ୍ଡ ଦିଆଯାଇଥିଲା।

ସମ୍ବନ୍ଧିତ ଖବର