ମାର୍ଚ୍ଚ ପୂର୍ବରୁ ‘ପଦ୍ମାବତୀ’ ଶୁଭମୁକ୍ତି ହେବନି

ସିବିଏଫ୍‌ସି ଗଠିତ ଐତିହାସିକମଣ୍ଡଳୀ କରିବେ ତର୍ଜ୍ଜମା

ନୂଆଦିଲ୍ଲୀ: ବିବାଦୀୟ ହିନ୍ଦୀ ଚଳଚ୍ଚିତ୍ର ‘ପଦ୍ମୀବତୀ’ ନୂଆବର୍ଷ ଆରମ୍ଭରେ ଶୁଭମୁକ୍ତି କରିବ ବୋଲି ସିନେପ୍ରେମୀମାନେ ଅପେକ୍ଷା କରି ରହିଥିବା ବେଳେ ଏବେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଆସନ୍ତା ମାର୍ଚ୍ଚ ପୂର୍ବରୁ ଫିଲ୍ମଟି ସିନେମା ହଲ୍‌ରେ ଖେଳିବନି ବୋଲି ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌(ସିବିଏଫ୍‌ସି) ସୂତ୍ରରୁ ଜଣାଯାଇଛି।

ଉଲ୍ଲେଖ ଥାଉ କି, ସଞ୍ଜୟ ଲୀଳା ବଂଶାଳିଙ୍କ ଏହି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ ସ୍ଥାନ ପାଇଥିବା କିଛି ବିବାଦୀୟ ଦୃଶ୍ୟ ଓ କଥାବସ୍ତୁକୁ ବିରୋଧ କରି ଦେଶବ୍ୟାପୀ ପ୍ରତିବାଦ ଓ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ସିନେମାଟି ଆଂଶିକ ଭାବେ ଐତିହାସିକ କଥାବସ୍ତୁ ଉପରେ ଆଧାରିତ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସଫେଇ ଦିଆଯାଇଥିଲା। ତେଣୁ ଫିଲ୍ମଟିକୁ ପୁଙ୍ଖାନୁପୁଙ୍ଖ ଦେଖି ତାହାର କଥାବସ୍ତୁକୁ ତର୍ଜ୍ଜମା କରିବା ଲାଗି ସିବିଏଫ୍‌ସି ଏକ ଐତିହାସିକମଣ୍ଡଳୀ ଗଠନ କରିବେ ଏବଂ ଘଟଣାର ସତ୍ୟାସତ୍ୟ ବିଚାର ପରେ ଫିଲ୍ମଟିକୁ ପ୍ରଦର୍ଶନ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସିବିଏଫ୍‌ସି ସୂତ୍ରରୁ ଜଣାଯାଇଛି।

ସୂଚନାଯୋଗ୍ୟ, ଫିଲ୍ମଟିର ପ୍ରଦର୍ଶନ ପ୍ରମାଣପତ୍ର ହାସଲ ପାଇଁ ହୋଇଥିବା ଆବେଦନପତ୍ରରେ ଏହା କାଳ୍ପନିକ କଥାବସ୍ତୁ ନା ଐତିହାସିକ କଥାକୁ ନେଇ ନିର୍ମିତ, ସେ ସମ୍ପର୍କରେ କିଛି ଉଲ୍ଲେଖ ହୋଇନଥିଲା। ସୁତରାଂ ଏହାକୁ ପୁଣି ଥରେ ପ୍ରଯୋଜନା ସଂସ୍ଥାକୁ ଫେରାଇ ଦିଆଯାଇଥିଲା। ତେବେ ସଂପୃକ୍ତ ପ୍ରଯୋଜନା ସଂସ୍ଥା ଚଳଚ୍ଚିତ୍ରଟି ଆଂଶିକ ଐତିହାସିକ କଥାବସ୍ତୁକୁ ଭିତ୍ତି କରି ନିର୍ମାଣ ହୋଇଛି ବୋଲି ପରେ ଉଲ୍ଲେଖ କରି ପ୍ରମାଣପତ୍ର ହାସଲ ଦିଗରେ ଅଯଥା ଦ୍ୱନ୍ଦ୍ୱ ଉପୁଜାଇଛନ୍ତି। ତେବେ ଐତିହାସିକ ମଣ୍ଡଳୀଙ୍କ ନିଷ୍ପତ୍ତି ପରେ ହିଁ ଏହାକୁ ପ୍ରମାଣପତ୍ର ମିଳିବ ବୋଲି ସିବିଏଫ୍‌ସି ପକ୍ଷରୁ କୁହାଯାଇଛି। ତେଣୁ ଏ ସବୁ ପ୍ରକ୍ରିୟା ସରିଲା ବେଳକୁ ମାର୍ଚ୍ଚ କିମ୍ବା ଏପ୍ରିଲ ହୋଇଯାଇପାରେ। ସୁତରାଂ ଆସନ୍ତା ମାର୍ଚ୍ଚ ପୂର୍ବରୁ ଏହା ରିଲିଜ୍‌ ହେବାର ସମ୍ଭାବନା ନାହିଁ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର