ବଂଶାଲିଙ୍କୁ ସମର୍ଥନ:ପୁଣି ସେନ୍‌ସର ବୋର୍ଡର ଝଟ୍‌କା

ହସ୍ତକ୍ଷେପ କଲେନି ସୁପ୍ରିମ୍‌ କୋର୍ଟ

ଅଭିନେତ୍ରୀ ଶବାନା ଆଜ୍‌ମି ଏବଂ ତାଙ୍କ ସ୍ୱାମୀ ତଥା ଲେଖକ ଜାଭେଦ୍‌ ଅଖତାର ଫିଲ୍ମ ବିରୋଧରେ ଦେଖାଦେଇଥିବା ବିବାଦ ଓ ଆନ୍ଦୋଳନକୁ କଡ଼ା ସମାଲୋଚନା କରିଛନ୍ତି। ବିଶେଷ କରି ଅଭିନେତ୍ରୀ ଦୀପିକା ଏବଂ ଫିଲ୍ମ ନିର୍ମାତା ବଂଶାଲିଙ୍କ ମୁଣ୍ଡ କାଟ ଲାଗି ୧୦ କୋଟି ଟଙ୍କାର ପୁରସ୍କାର ଘୋଷଣା ବିରୋଧରେ ସେମାନେ ତୀବ୍ର ପ୍ରିତିକ୍ରିୟା ପ୍ରକାଶ କରିିଛନ୍ତି। ଫିଲ୍ମ ନେଇ କାହାର କିଛି ସମସ୍ୟା ଥିଲେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ, କିନ୍ତୁ ହତ୍ୟା ଧମକ ଦେବା ଅଶୋଭନୀୟ ବୋଲି ସେମାନେ କହିଛନ୍ତି। ଅପରପକ୍ଷେ, ଏହି ଆନ୍ଦୋଳନ ପାଇଁ ଅସଲ ଖେଳାଳି ରାଜପୁତ କରଣୀ ସେନା ନୁହନ୍ତି ବରଂ ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ସରକାର ହିଁ ନୂଆ ନୂଆ ଚାଲ୍‌ ଖେଳି ଚାଲିଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।
ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆନ୍ଦୋଳନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ହରିଆଣା ମୁଖ୍ୟମନ୍ତ୍ରୀ ଏମ୍‌ଏଲ୍‌ ଖଟ୍ଟରଙ୍କୁ ଅନୁରୋଧ କରିଛନ୍ତି। ଏଥି ସହ ଦୀପିକା ବେଙ୍ଗାଲୁରୁରେ ରହିବା ସମୟରେ ତାଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସିଦ୍ଧରମେୟା କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବଂଶାଲିଙ୍କ ସମର୍ଥନରେ ବାହାରିଛନ୍ତି। ନାଗରିକର କଥା କହିବାର ଅଧିକାରକୁ ନଷ୍ଟ କରିଦେବା ଲାଗି ଏହା ରାଜନୈତିକ ଦଳଗୁଡ଼ିକର ଏକ ଗାଣିତିକ ଯୋଜନା ବୋଲି ମମତା କହିଛନ୍ତି।

ସଞ୍ଜୟ ଲୀଲା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’ ଡିସେମ୍ବର ପହିଲାରେ ରିଲିଜ୍‌ ହେବନାହିଁ ବୋଲି ଗତକାଲି ଫିଲ୍ମର ନିର୍ମାଣକାରୀ ସଂସ୍ଥା ଭାୟକମ୍‌-୧୮ ମୋସନ୍‌ ପିକ୍‌ଚର୍ସ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ବୈଷୟିକ ତ୍ରୁଟି ମାର୍ଜନ ପରେ ଏବଂ ସେନ୍‌ସର ବୋର୍ଡଠାରୁ ପ୍ରମାଣପତ୍ର ପାଇବା ପରେ ଫିଲ୍ମଟିର ମୁକ୍ତିଲାଭ ତାରିଖ ସମ୍ପର୍କରେ ଖୁବ୍‌ଶୀଘ୍ର ଘୋଷଣା କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଆଜି ପଦ୍ମାବତୀ ଫିଲ୍ମ ନିର୍ମାତାଙ୍କୁ ପୁଣିଥରେ ଝଟ୍‌କା ଦେଇଛନ୍ତି ସେନ୍‌ସର ବୋର୍ଡ। ଫିଲ୍ମ ଲାଗି ପ୍ରମାଣପତ୍ର ଦେବା କାର୍ଯ୍ୟ ଅଧିକ ତ୍ୱରାନ୍ଵିତ କରିବାକୁ ହୋଇଥିବା ଆବେଦନକୁ ସେନ୍‌ସର ବୋର୍ଡ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

‘ପଦ୍ମାବତୀ’ ଫିଲ୍ମରୁ ଆପତ୍ତିଜନକ ଦୃଶ୍ୟ ହଟାଇବା ଲାଗି ହୋଇଥିବା ଆବେଦନର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେନି ବୋଲି ଶୁଣାଇଛନ୍ତି। ସେନ୍‌ସର ବୋର୍ଡ ଏଯାବତ୍‌ ପଦ୍ମାବତୀକୁ ପ୍ରମାଣପତ୍ର ଦେଇନଥିବାରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିବାର ପ୍ରଶ୍ନ ଉଠୁନି ବୋଲି କୁହାଯାଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‌ ଏ ଏମ୍‌ ଖାନଓ୍ଵିଲକର ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଓକିଲ ଏମ୍‌ ଏଲ୍‌ ଶର୍ମାଙ୍କ ଆବେଦନର ଶୁଣାଣି କରି ଏପରି ରାୟ କରିଛନ୍ତି।

ସମ୍ବନ୍ଧିତ ଖବର