ଦୀପିକାଙ୍କୁ ଜିଅନ୍ତା ଜାଳିବା ଲାଗି କୋଟିଏ

ନୂଆଦିଲ୍ଲୀ : ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ଥମିବାର ନାଁ ନେଉନି। ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ ଏଥିରେ ଥିବା କିଛି ବିବାଦୀୟ ଦୃଶ୍ୟକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଜଳାପୋଡ଼ା ହୋଇଛି। ଆନ୍ଦୋଳନକାରୀମାନେ ରାଜସ୍ଥାନର କିଛି ଐତିହାସିକ ଦୁର୍ଗକୁ ପର୍ଯ୍ୟଟକଙ୍କ ପ୍ରବେଶ ରୋକିଦେଇଛନ୍ତି। ଏପରିକି ଚଲଚ୍ଚିତ୍ରରେ ରାଣୀ ପଦ୍ମାବତୀ ସାଜିିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଏବଂ ଚଳଚ୍ଚତ୍ର ନିର୍ମାତା ବଂଶାଲିଙ୍କ ମୁଣ୍ଡକାଟ ଲାଗି ଗତକାଲି ହରିଆଣା ବିଜେପି ନେତା ସୁରଜ ପାଲ୍‌ ଅମୁ ୧୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରି ଝଡ଼ ସୃଷ୍ଟି କରିଥିଲେ। ସେହିପରି ଦୀପିକାଙ୍କୁ ଜିଅନ୍ତା ଜାଳିବା ଲାଗି ଆଜି ଅନ୍ୟ ଏକ ଅନୁଷ୍ଠାନ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛି। ତେବେ ପରିତାପର ବିଷୟ, ସ୍ୱାଧୀନ ଭାରତରେ ଏପରି ଧମକ ଚମକ ଜାରି ରହିଥିବା ବେଳେ ସରକାର ଉଦାସୀନ ରହିଛନ୍ତି। ସମ୍ପ୍ରତି ଦେଖାଦେଇଥିବା ଏହି ସମ୍ବେଦନଶୀଳ ସମସ୍ୟାର ଆଶୁ ସମାଧାନ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନେଇ ନାହାନ୍ତି।

‘ପଦ୍ମାବତୀ’ର ନାୟିକା ଦୀପିକା ପାଦୁକୋନ୍‌ଙ୍କୁ ଜିଅନ୍ତା ଜାଳିବା ଲାଗି ଆଜି ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ଅଖିଳ ଭାରତୀୟ କ୍ଷତି୍ରୟ ମହାସଭା (ଏବିକେଏମ୍‌)ର ଭୁବନେଶ୍ୱର ସିଂହ। ରାଣୀ ପଦ୍ମାବତୀଙ୍କ ତ୍ୟାଗ ବିଷୟରେ ଦୀପିକା ସମ୍ପୂର୍ଣ୍ଣ ଭାବେ ଅଜ୍ଞ। ତେଣୁ ସେ ଜିଅନ୍ତା ଜଳିବାର କଷ୍ଟ ଅନୁଭବ କରିବା ଦରକାର ବୋଲି ଭୁବନେଶ୍ୱର କହିଛନ୍ତି। ତେଣୁ ଯେ କେହି ବି ଦୀପିକାଙ୍କୁ ଜିଅନ୍ତା ଜାଳିଦେବାର ସାହସ କରିବ ତାଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଏହି ଅବସରରେ ଏବିକେଏମ୍‌ ସଦସ୍ୟମାନେ ଦୀପିକାଙ୍କର ଶହେରୁ ଊର୍ଦ୍ଧ୍ୱ କୁଶପୁତ୍ତଳିକା ଦାହ କରିଛନ୍ତି।

ସମ୍ବନ୍ଧିତ ଖବର