ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମର ବୈସରଣ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ଅଧିକାଂଶ ହିନ୍ଦୁ ପର୍ଯ୍ୟଟକ ଥିଲେ।
ଏହି ଆକ୍ରମଣ ପାକିସ୍ତାନ ଦ୍ୱାରା ପରିଚାଳିତ ଲସ୍କର-ଏ-ତୈବାର ଏକ ଶାଖା ‘ଦି ରେସିଷ୍ଟାନ୍ସ ଫ୍ରଣ୍ଟ’ ନିଜକୁ ଦାୟୀ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଏହି ଦାବିରୁ ଓହରିଯାଇଥିଲେ। ଭାରତ ଏହି ଆକ୍ରମଣରେ ପାକିସ୍ତାନର ସମର୍ଥନ ଥିବା ଅଭିଯୋଗ କରିଥିବା ବେଳେ ପାକିସ୍ତାନ ଏହାକୁ ଅସ୍ୱୀକାର କରିଥିଲା। ଏହାପରେ ଭାରତ ଇଣ୍ଡସ ଜଳ ଚୁକ୍ତିନାମା ସ୍ଥଗିତ ରଖି ସୀମାନ୍ତ ବନ୍ଦ କରିବା ଭଳି ଅନେକ କଠୋର ପଦକ୍ଷେପ ଗ୍ରହଣ କରିଥିଲା।
ଏହି କ୍ରମରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ସେପ୍ଟେମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯିବାକୁ ଥିବା କ୍ରିକେଟ ମ୍ୟାଚକୁ ନେଇ ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରବର୍ଗ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
୨୬ଜଣ ମୃତକଙ୍କ ମଧ୍ୟରେ ସାମିଲ ଥିବା ଗୁଜୁରାଟର ଭାଗନଗରର ସୁମିତ ପରମାର ଓ ତାଙ୍କ ବାବା ୟତେଶ ପରମାର ସାମିଲ ଥିଲେ।ୟତେଶଙ୍କ ପୁଅ ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘ପାକିସ୍ତାନ ସହିତ ଆମ ଦେଶ କୌଣସି ପ୍ରକାର ସମ୍ପର୍କ ରଖିବା ଉଚିତ ନୁହେଁ। କାରଣ ଏହା ହେଉଛି ଆତଙ୍କବାଦକୁ ପ୍ରସୟ ଦେଉଥିବା ଦେଶ। ଯଦି ଆପଣମାନଙ୍କୁ ପାକିସ୍ତାନ ସହିତ ଖେଳିବାର ଅଛି ଦୟାକରି ମୋ ୧୬ବର୍ଷର ଭାଇକୁ ଫେରାଇଦିଅ। ଯାହାକୁ ପହଲଗାମରେ ଆତଙ୍କବାଦୀମାନେ ହତ୍ୟା କରିଥିଲେ।
ଭାରତ ସରକାର ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଅପରେସନ ସିନ୍ଦୁରର ପଦକ୍ଷେପ ନେଇଥିଲା। ଭାରତ ଯଦି ପାକିସ୍ତାନ ସହିତ ମ୍ୟାଚ ଖେଳେ ତେବେ ସରକାରଙ୍କ ଏ ଅପରେସନ ବୃଥା ଗଲା ବୋଲି ମୁଁ ଭାବିବି।’