ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଟିଆର୍ଏଫ୍ (ଦି ରେଜିଷ୍ଟାନ୍ସ ଫ୍ରଣ୍ଟ୍)କୁ ଆମେରିକା ପ୍ରଶାସନ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ହାତ ଥିବା ଟିଆରଏଫ୍ ଏବେ ଆତଙ୍କବାଦୀ ଗୋଷ୍ଠୀ ଘୋଷିତ ହେବା ନିଷ୍ପତ୍ତିକୁ ଭାରତ ସ୍ବାଗତ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଆଜି ଏକ ବିବୃତି ଜାରି କରି କହିଛି ଯେ ଭାରତ ଲଗାତାର ଆତଙ୍କବାଦ ବିରୋଧୀ ଲଢ଼େଇ ଏବଂ ଆତଙ୍କବାଦୀଙ୍କ ଆଡ଼ାସ୍ଥଳ ଧ୍ବଂସ କରିବା ପାଇଁ ବୈଶ୍ବିକ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରି ଆସିଛି। ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ଠିକ୍ ସମୟରେ ଟିଆର୍ଏଫ୍କୁ ଏକ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରାଯାଇଛି ଏବଂ ଏହା ଆତଙ୍କବାଦ ନିରୋଧ ଉପରେ ଭାରତ ଓ ଆମେରିକା ଗଭୀର ସହଯୋଗକୁ ପ୍ରତିଫଳନ କରୁଛି ବୋଲି ମନ୍ତ୍ରାଳୟ ଏକ ବିବୃତିରେ କହିଛି। ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତିକୁ ସରକାର ପୁଣିଥରେ ସୁନିଶ୍ଚିତ କରିଛନ୍ତି ଏବଂ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଏହାର ଅନ୍ତର୍ଜାତୀୟ ସହଯୋଗୀଙ୍କ ସହ ସମନ୍ବୟ ରକ୍ଷା କରି କାମ କରିବ ବୋଲି ମନ୍ତ୍ରାଳୟ କହିଛି।
ସ୍ବାଗତ କଲା ଭାରତ
ନିଷ୍ପତ୍ତିକୁ ସ୍ବାଗତ କରି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଭାରତ-ଆମେରିକା ଆତଙ୍କବାଦ ନିରୋଧୀ ସହଯୋଗର ଏହା ଏକ ଦୃଢ଼ ପ୍ରତିଜ୍ଞା। ଟିଆରଏଫ୍କୁ ଏଫ୍ଟିଓ (ବିଦେଶୀ ଆତଙ୍କବାଦୀ ସଂଗଠନ) ଏବଂ ଲସ୍କର ଆତଙ୍କୀ ସଂଗଠନର ଏକ ପ୍ରକ୍ସି ଭାବେ ବିବେଚନା କରିଥିବାରୁ ଜୟଶଙ୍କର ଏଥିପାଇଁ ଆମେରିକା ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷେ ୱାସିଂଟନ୍ସ୍ଥିତ ଭାରତୀୟ ଦୂତାବାସ କହିଛି ଯେ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ-ଆମେରିକା ସହଯୋଗର ଦୃଢ଼ ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି ।