ପହଲଗାମ: ପହଲଗାମ୍ ଆତଙ୍କୀ ଆକ୍ରମଣରେ ଅନେକ ନିରୀହ ଜୀବନ ବଳି ପଡ଼ିଗଲା । କିଏ ପୁଅକୁ ହରାଇଛି ତ ଆଉ କିଏ ନିଜର ସ୍ୱାମୀକୁ ହରାଇଛି । ଏହି ଘଟଣାରେ ପୂରା ଦେଶ ସ୍ତବ୍ଧ ପାଲଟି ଯାଇଛି । ଏହି ଆକ୍ରମଣର ଶିକାର ହୋଇଛନ୍ତି ବେଙ୍ଗାଲୁରୁର ଭରତ ଭୂଷଣ ଏବଂ ଶିବମୋଙ୍ଗାର ମଞ୍ଜୁନାଥ ରାଓ । ଭରତ ଭୂଷଣ ପତ୍ନୀ ସୁଜାତା ଏବଂ ୩ ବର୍ଷର କୁନି ପୁଅ ସହ ପହଲଗାମ୍ ବୁଲିବାକୁ ଯାଇଥିଲେ । ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଭରତଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସ୍ତ୍ରୀର ଆଖି ଆଗରେ ଟଳିପଡ଼ିଲେ ଭରତ, ଏହାପରେ ପୁଅର ଜୀବନ ବଞ୍ଚାଇବା ସହ ସ୍ୱାମୀର ଶେଷ ସନ୍ତକ ଭାବେ ତାଙ୍କ ପରିଚୟ ପତ୍ର ଧରି ସେଠାରୁ ଦୌଡ଼ିଲେ ସୁଜାତା ।
ଅନ୍ୟପଟେ ମଞ୍ଜୁନାଥ ରାଓ ମଧ୍ୟ ନିଜ ପରିବାର ସହ ଛୁଟି କାଟିବାକୁ ଯାଇଥିଲେ କାଶ୍ମୀର। ତାଙ୍କ ଭଉଣୀଙ୍କ କହିବା ଅନୁସାରେ ଏହା ତାଙ୍କର ପ୍ରଥମ ପାରିବାରିକ ଗସ୍ତ ଥିଲା । ୨୪ ଏପ୍ରିଲରେ ସେମେନେ ଘରକୁ ଫେରିଥାଆନ୍ତେ କିନ୍ତୁ ଆଖି ପିଛୁଳାକେ ସବୁକିଛି ଶେଷ ହୋଇଗଲା । କାଶ୍ମୀର ଯାତ୍ର ପାଲଟିଗଲା ଶେଷ ଯାତ୍ରା । ଏହି ଆକ୍ରମଣରେ କେତେ ଘର ସଂସାର ଉଜୁଡ଼ି ଯାଇଛି । ପହଲଗାମ୍ରେ ବହି ଯାଉଛି ରକ୍ତର ନଦୀ ।
ତେବେ ଆଜି ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ଅଢ଼େଇ ଘଣ୍ଟା ଧରି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଆଜି ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଏଥିରେ ପହଲଗାମ୍ରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ନେଇ ସବୁ ଦଳକୁ ଜଣାଇବେ କେନ୍ଦ୍ର ସରକାର । ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇଛି । ଏବେ ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି । ଚର୍ଚ୍ଚା ହେଉଛି ସର୍ଜିକାଲ ଷ୍ଟ୍ରାଇକ ଭଳି ଭାରତ ସୀମାପାର ଆତଙ୍କବାଦକୁ ମୂଳୋତ୍ପାଟନ ପାଇଁ ପଦକ୍ଷେପ ନେଇପାରେ । ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ଘନ ଘନ ବୈଠକ, ତିନି ସେନାକୁ ପ୍ରସ୍ତୁତ ରହିବାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ବଡ଼ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଉଛି ।