ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ଦୁଇ ମାସ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ତଦନ୍ତରେ ଏକ ବଡ଼ ସଫଳତା ମିଳିଛି। ପାକିସ୍ତାନୀ ଆତଙ୍କବାଦୀଙ୍କୁ ରହିବା, ଖାଇବା ଓ ଯାତାୟାତ ସୁବିଧା ଦେଇଥିବା ଦୁଇ ବ୍ୟକ୍ତିଙ୍କୁ ଏନ୍ଆଇଏ ଗିରଫ କରିଛି। ଏପ୍ରିଲ ୨୨ ପହଲଗାମ ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଇଥିବା ଅଭିଯୋଗରେ ଗିରଫ ଦୁଇ ବ୍ୟକ୍ତି ହେଉଛନ୍ତି ପରଭେଜ୍ ଅହମ୍ମଦ ଜୋଥାର ଓ ବସିର ଅହମ୍ମଦ ଜୋଥାର। ପରଭେଜର ଘର ପହଲଗାମର ବାଟକୋଟେର ହୋଇଥିବା ବେଳେ ବସିରର ଘର ପହଲଗାମ ହିଲ୍ ପାର୍କ ଅଞ୍ଚଳରେ। ପହଲଗାମର ଜଘନ୍ୟ ଆକ୍ରମଣ ମାମଲାରେ ଏନ୍ଆଇଏର ଏହା ପ୍ରଥମ ଗିରଫଦାରୀ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଚରାଉଚରାବେଳେ ଉକ୍ତ ଦୁଇଜଣ ବ୍ୟକ୍ତି ଆତଙ୍କବାଦୀଙ୍କ ପରିଚୟ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ସଦସ୍ୟ ଓ ପାକିସ୍ତାନ ନାଗରିକ ବୋଲି କହିଛନ୍ତି। ସେହି ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କୁ ଏନ୍ଆଇଏ ଚିହ୍ନଟ କରିଛି। ସେମାନେ ହେଲେ ହସିମ ମୁସା ଓରଫ୍ ସୁଲେମାନ୍, ଅଲ୍ଲୀ ଭାଇ ଓରଫ୍ ତଲାହା ଭାଇ (ଉଭୟ ପାକିସ୍ତାନୀ ନାଗରିକ) ଓ ଅନ୍ୟଜଣେ ସ୍ଥାନୀୟ ବାସିନ୍ଦା ଆଦିଲ ହୁସେନ୍ ଠୋକ୍କେର। ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ-୧୯୬୭ର ଧାରା ୧୯ ଅଧୀନରେ ସେମାନେ ଗିରଫ ହୋଇଛନ୍ତି।
ଏନ୍ଆଇଏ ତଦନ୍ତରୁ ଜଣାଯାଇଛି ଯେ ଆକ୍ରମଣ ପୂର୍ବରୁ ପରଭେଜ୍ ଏବଂ ବସିର ଜାଣିଶୁଣି ହିଲ୍ ପାର୍କର ଏକ କୁଡ଼ିଆରେ ୩ ଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ। ସେମାନଙ୍କୁ ଖାଦ୍ୟ, ଆଶ୍ରୟ ସହିତ ଯାତାୟାତ ସୁବିଧା ଯୋଗାଇ ଦେଇଥିଲେ। ଦୁଇମାସ ଧରି ଏନ୍ଆଇଏ ଶତାଧିକ ଲୋକଙ୍କୁ ଏହି ମାମଲାରେ ପଚରାଉଚରା କରିଛି। ଏଥିସହିତ ବୈସରଣ ଘାଟିକୁ ବୁଲିବାକୁ ଯାଇଥିବା ଲୋକଙ୍କ ଫଟୋ ଓ ଭିଡିଓ ଯାଞ୍ଚ କରିଛି। ପହଲଗାମ ଆକ୍ରମଣ ପରେ ଲସ୍କର ଏ ତୋଇବାର ଛାୟା ସଂଗଠନ ‘ଦ ରେଜିଷ୍ଟାନ୍ସ ଫୋର୍ସ’ ଏଥିପାଇଁ ନିଜକୁ ଦାୟୀ କରିଛି। ଅନ୍ତର୍ଜାତୀୟ କଟକଣାକୁ ଏଡ଼ାଇବା ପାଇଁ ଲସ୍କର ଏ ତୋଇବା ଏହି ସଂଗଠନକୁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରୁଛି।