ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପହଲଗାମର ବୈସରନ ଉପତ୍ୟକାରେ ଗତ ମଙ୍ଗଳବାର ସନ୍ଧ୍ୟାରେ କିଛିସମୟ ମଧ୍ୟରେ ସବୁକିଛି ଛାରଖାର ହୋଇଯାଇଥିଲା। ଦେଶ-ବିଦେଶରୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କ ସହିତ ଉପତ୍ୟକାରେ ଲୋମଟାଙ୍କୁରା ଘଟଣା ଘଟିଥିଲା। ହଠାତ ବୈସରନ ଉପତ୍ୟକାରେ ଆତଙ୍କବାଦୀମାନେ ପହଞ୍ଚି ପର୍ଯ୍ୟଟକଙ୍କ ଉପରକୁ ଗୁଳି କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଘଟଣାସ୍ଥଳରେ ୨୬ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Advertisment

ମହାରାଷ୍ଟ୍ରର ନାଗପୁରରେ ବସବାସ କରୁଥିବା ପର୍ଯ୍ୟଟକ ତିଲକ ରୁପ ଚନ୍ଦାନି ବି ବୈସରନ ଉପତ୍ୟକାକୁ ବୁଲିବାକୁ ଯାଇଥିଲେ। ସୌଭାଗ୍ୟବଶତଃ ସେ ଆତଙ୍କବାଦୀଙ୍କ ଗୁଳିରୁ ନିଜକୁ ବଞ୍ଚାଇ ଦେଇଥିଲେ।

ସେ ସମୟର ଭୟାବହ ଘଟଣାକୁ ବଖାଣି ତିଲକ କହିଛନ୍ତି, ‘ ଆମେ ମିନି ସୁଇଜରଲ୍ୟାଣ୍ଡରୁ ବହାରିବା କ୍ଷଣି ୨୦ଫୁଟ ଦୂରରୁ ଗୁଳିଫୁଟିବା ଶବ୍ଦ ହୋଇଥିଲା। ଏହି ଗୁଳି କିଏ ଫୁଟାଉଛନ୍ତି ପଛରେ କିଏ ଅଛନ୍ତି ସେ ସବୁ ଦେଖିବା ପାଇଁ ମୋର ସାାହାସ ହୋଇ ନଥିଲା। ଗୁଳିଶବ୍ଦ ଅନେକ ସମୟ ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ବାସ ଜୀବନ ବିକଳରେ ଭଗବାନଙ୍କ ନାମ ନେଇ ଆମେ ସମସ୍ତେ ଆଗକୁ ଆଗକୁ ଦୌଡ଼ି ଚାଲିଥିଲୁ।

 ଭିଡ଼ ଭିତରେ ଅର୍ଥାତ ୪ରି ୫ହଜାର ପର୍ଯ୍ୟଟକ ଏକାଠି ଦୌଡ଼ୁଥିଲେ। ଭୟରେ ଦୌଡ଼ି ନପାରି କିଛି ପର୍ଯ୍ୟଟକ ଜଣକ ଉପରେ ଜଣେ ପଡ଼ି ବି ଯାଉଥିଲେ। ଘଟଣାସ୍ଥଳରେ ଯଦି ଆମେ କିଛିକ୍ଷଣ ବି ଅଟକି ଥାଆନ୍ତୁ ତେବେ ଶରୀରରେ ଗୁଳି ବାଜିବାର ଅନେକ ସମ୍ଭାବନା ରହିଥିଲା। ଦୁଃଖର ବିଷୟ ପଛରେ ଯେଉଁ ପର୍ଯ୍ୟଟକମାନେ ରହି ଯାଇଥିଲେ ସେମାନେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ। ’