ନୂଆଦିଲ୍ଲୀ: ପ୍ରତିଶୋଧ... ପ୍ରତିଶୋଧ... ପ୍ରତିଶୋଧ... କେବେ ନିଆଯିବ ପହଲଗାମ୍ ପ୍ରତିଶୋଧ ? ଇତି ମଧ୍ୟରେ ପହଲଗାମ ଆକ୍ରମଣକୁ ୭ ଦିନ ବିତିଗଲାଣି । ଆଉ ଏହି ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ ମାରଥନ ବୈଠକ କରିଛନ୍ତି ।
ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରି ପାକିସ୍ତାନକୁ ପାନେ ଦେବା ପାଇଁ ସ୍ବତନ୍ତ୍ର ରଣନୀତି କରିଛନ୍ତି । ତିନି ସେନା ମୁଖ୍ୟଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପାଇବା ପରେ ଜଳ, ସ୍ଥଳ, ଆକାଶ ବାହିନୀ ପ୍ରସ୍ତୁତ ହୋଇ ରହିଛନ୍ତି । ନିର୍ଦ୍ଦେଶ ଆସିବା ପରେ କିଛି ଗୋଟେ ବଡ ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଭାରତର ଏହି ପ୍ରସ୍ତୁତିକୁ ଦେଖି ପାକିସ୍ତାନ ଭୟଭୀତ ହୋଇପଡିଛି ।
ଭାରତ ଯଦି କୌଣସି ଆକ୍ରମଣ କରେ ସେଥିରୁ ବର୍ତ୍ତିବା ପାଇଁ ଆଗୁଆ ପଦକ୍ଷେପ ନେଇଛି ପାକିସ୍ତାନ । ସୀମାରେ ତ ଲଗାତାର ୫ ଦିନ ଧରି ଗୁଳିମାଡ କରୁଛନ୍ତି ପାକ୍ ସେନା । ସେପଟେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ ଭାରତର ଏୟାରଷ୍ଟ୍ରାଇକ ନେଇ ଆଗୁଆ ସୂଚନା ପାଇବା ପାଇଁ ପାକିସ୍ତାନୀ ସେନା ସିଆଲକୋଟ ସୀମାରେ ନିଜର ରାଡାର ମୂତୟନ କରିଛି । ଫିରୋଜପୁରକୁ ଲାଗି ରହିଥିବା ଅଂଚଳରେ ଭାରତୀୟ ସେନାର ଗତିବିଧିକୁ ଜାଣିବା ପାଇଁ ଇଲୋକଟ୍ରୋନିକ ୱାରଫେୟାରକୁ ମୂତୟନ କରାଯାଇଛି । ପୂର୍ବରୁ ଭାରତ-ପାକ୍ ସୀମାଠାରୁ ପ୍ରାୟ ୫୮ କିଲୋମିଟର ଦୂର ସ୍ଥାନରେ ଟିପିଏସ- ୭୭ ରାଡାରକୁ ମୂତୟନ କରିଥିଲା ପାକ୍ ସେନା ।
ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ପ୍ରତିଶୋଧ ନେବାକୁ ପଣ କରିଛି ଭାରତ। ଆତଙ୍କବାଦୀ ଓ ସେମାନଙ୍କୁ ବର୍ଷ ବର୍ଷ ଧରି ପାଳି ଆସୁଥିବା ପାକିସ୍ତାନ ବିରୋଧରେ କଡା ଆକ୍ସନ ନେବାକୁ ସାରାଦେଶରୁ ଦାବି ଉଠୁଛି । ଦଳ ମତ ନିର୍ବିଶେଷରେ ଆତଙ୍କବାଦୀଙ୍କୁ ନିପାତ ପାଇଁ ଦାବି ହେଉଛି ।
ପାକିସ୍ତାନକୁ ଭାରତର ଭୟ ଘାରିଥିବା ବେଳେ ପରମାଣୁ ଯୁଦ୍ଧର ଧମକ ଦେବାକୁ ପଛାଇନାହାନ୍ତି ପାକିସ୍ତାନ ମନ୍ତ୍ରୀ । ଯୁଦ୍ଧରେ ଭାରତକୁ ହରାଇବା ସମ୍ଭବ ନୁହେଁ, ଏକଥା ପାକିସ୍ତାନ ଭଲ ଭାବେ ଜାଣିଛି । ହେଲେ ମୁହଁ ଟାଣ କରି ଓଲଟା ପରମାଣୁ ଆକ୍ରମଣର କଥା କହି ଡରାଇବାକୁ ଚେଷ୍ଟା କରୁଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହିଛନ୍ତି ଯେକୌଣସି ସମୟରେ ଆକ୍ରମଣ କରିପାରେ ଭାରତ । ଏଥିପାଇଁ ଆମ ସୈନ୍ୟଙ୍କୁ ମୁତୟନ କରିସାରିଛୁ । ପାକିସ୍ତାନକୁ ବିପଦ ଆସିଲେ ପରମାଣୁ ଆକ୍ରମଣ ହେବ ।