ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟର ପର୍ଯ୍ୟଟକଙ୍କ ସମେତ କିଛି ସ୍ଥାନୀୟ ନାଗରିକ ସାମିଲ ଥିଲେ।ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ନେଇ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ନାମକ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା। 

Advertisment

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)କୁ ସାକ୍ଷୀ ଦେଇ କହିଛନ୍ତି, ‘ ଆକ୍ରମଣ ପରେ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ଖୁସିରେ ଆକାଶରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ।

ଜମ୍ମୁ ଏବଂ କାଶ୍ମୀର ପୁଲିସ ଏବଂ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ସହାୟତାରେ ଏନଆଇଏ ଏହି ସାକ୍ଷୀଙ୍କୁ ପାଇଥିଲା। ଆକ୍ରମଣ ପରେ ଏହି ବ୍ୟକ୍ତି ଘଟଣାସ୍ଥଳ ନିକଟରେ ଥିଲେ ଏବଂ ଆତଙ୍କବାଦୀମାନଙ୍କ ସହିତ ମୁହାଁମୁହିଁ ବି ହୋଇଥିଲେ।

ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି, "ଆତଙ୍କବାଦୀମାନେ ଉକ୍ତ ବ୍ୟକ୍ତିଙ୍କୁ ଅଟକାଇ କଲମା ପାଠ କରିବାକୁ କହିଥିଲେ। ସେ ସ୍ଥାନୀୟ କାଶ୍ମୀରୀ ଉଚ୍ଚାରଣରେ କଲମା ପାଠ କରିଥିଲେ, ଯାହା ଫଳରେ ଆତଙ୍କବାଦୀମାନେ ତାଙ୍କୁ ସନ୍ଦେହ ନକରି ଛାଡ଼ି ଦେଇଥିଲେ। ଏହା ପରେ ତୁରନ୍ତ ସେମାନେ ଆକାଶରେ ଚାରି ରାଉଣ୍ଡ ଗୁଳି ଚଳାଇଲେ। ସାକ୍ଷୀଙ୍କ ବୟାନ ଆଧାରରେ ଏନଆଇଏ ଘଟଣାସ୍ଥଳରୁ ଚାରୋଟି ଖାଲି କାର୍ଟ୍ରିଜ୍ ଜବତ ମଧ୍ୟ କରିଛି।

ସାକ୍ଷୀ ଏହା ମଧ୍ୟ କହିଛନ୍ତି ଯେ ସେ ପାହାଡ଼ି ଅଞ୍ଚଳରେ ପରଭେଜ ଅହମ୍ମଦ ଜୋଥାର ଏବଂ ବଶିର ଅହମ୍ମଦ ନାମକ ଦୁଇ ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀଙ୍କ ସାମଗ୍ରୀ ସଂଗ୍ରହ କରୁଥିବାର ଦେଖିବାକୁ ମିଳିଥିଲା।କିଛି ସମୟ ପରେ ଆତଙ୍କବାଦୀମାନେ ଉକ୍ତ ସାମଗ୍ରୀ ନେଇ  ଘଟଣାସ୍ଥଳରୁ ଚାଲିଯାଇଥିଲେ। 

ତଦନ୍ତରୁ ଜଣାପଡିଛି ଯେ ପରଭେଜ ଏବଂ ବଶିରଙ୍କୁ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ପୂର୍ବରୁ ଗିରଫ କରାଯାଇଛି।