ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲାକୁ ବିତିଗଲାଣି ୭ ଦିନ । ସପ୍ତାହେ ହେଲାଣି ଆତଙ୍କୀମାନେ କାଶ୍ମୀରରେ ନରସଂହାର କରି ସାରା ଭାତରରେ ଭୟର ବାତାବରଣ ଖେଳାଇ ଦେଇଥିଲେ । ୨୨ ଏପ୍ରିଲ ୨୦୨୫, ମଙ୍ଗଳବାର- ଆଜିକୁ ଠିକ୍ ଆଠ ଦିନ ପୂରିଥିବା ବେଳେ ଇତି ମଧ୍ୟରେ ବିତି ଯାଇଛି ଗୋଟିଏ ସପ୍ତାହ । ସେ ମଙ୍ଗଳବାରରୁ ଏ ମଙ୍ଗଳବାର- ସପ୍ତାହେ ଭିତରେ ୨୬ ଜଣଙ୍କୁ ହରାଇଛନ୍ତି ୨୬ଟି ପରିବାର । କେତେ କେତେ ପ୍ରିୟଜନ ଓ ସମ୍ପର୍କୀୟ ନିଜର ଲୋକଙ୍କୁ ହରାଇ ଭାଙ୍ଗି ପଡିଛନ୍ତି । ହେଲେ ଯେଉଁ ସୈତାନମାନେ ରକ୍ତର ହୋଲି ଖେଳି ଭାରତର ଭୂସ୍ବର୍ଗରେ ଭୟ ଆତଙ୍କ ଖେଳାଇ ଛୁ ମାରିଲେ ସେମାନଙ୍କ ବିରୋଧରେ ଏଯାଏଁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହୋଇନି ।
ଧର୍ମ ପଚାରି ହିନ୍ଦୁଙ୍କୁ ହତ୍ୟା କରିଥିବା ଆତଙ୍କୀ ପହଲଗାମରେ ରକ୍ତର ନଦୀ ବୁହାଇ ଦେଇଥିବା ବେଳେ ରକ୍ତର ଜବାବ ଏଯାଏଁ ରକ୍ତରେ ମିଳିଲାନି କି ସେମାନଙ୍କ ଉପରେ ଶକ୍ତ ଆକ୍ରମଣ ହୋଇନାହିଁ । ଯଦି ଭାରତର ପ୍ରଧାନମନ୍ତ୍ରୀ ପହଲଗାମ୍ ହମଲାର ପ୍ରତିଶୋଧ ନେବାକୁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଆଉ ପାତାଳରେ ଲୁଚିଥିଲେ ବି ଆତଙ୍କୀଙ୍କୁ ଖୋଜି ଖୋଜି ମାରିବାକୁ ଧମକ ଦେଇଛନ୍ତି ତଥାପି ଦେଶବାସୀ ସିଧା ସିଧା ହମଲାର ବଦଲା ନେବାକୁ ଭାରତର ସରକାରଙ୍କୁ ଅନୁରୋଧ କରିଛନ୍ତି ।
ମୋଦୀ ହୈ ତୋ ମୁମକିନ୍ ହୈ... ଏହି କଥା ଖାଲି ରାଜନୀତିରେ ନରହୁ ବରଂ ଆତଙ୍କୀଙ୍କ ଘରେ ପଶି ସେମାନଙ୍କୁ ଖୋଜି ଖୋଜି ମାରି... ସେମାନଙ୍କ ଛାତିରୁ କଲିଜା ଅଲଗା କରିଦେବାରେ ମୋଦୀ ସକ୍ଷମ ହୁଅନ୍ତୁ ବୋଲି ମୃତକଙ୍କ ପରିବାର ଲୋକେ ଗୁହାରୀ କରିଛନ୍ତି । ତାହାଲେ ଯାଇ ସେମାନେ ହରାଇଥିବା ସେମାନଙ୍କ ପୁଅ, ସ୍ବାମୀ, ଭାଇଙ୍କ ଆତ୍ମା ଶାନ୍ତି ପାଇବ...
ଆତଙ୍କବାଦର ମୂଳପୋଛ ପାଇଁ ଏବଂ ପହଲଗାମ୍ ପ୍ରତିଶୋଧ ନେବା ପାଇଁ ଭାରତ ସରକାର ଯଦିଓ ଆକ୍ରମଣ ପରେ ପରେ ହିଁ ଆକ୍ସନ ମୋଡକୁ ଆସିଛନ୍ତି ଆଉ ଆତଙ୍କୀଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ପାନେ ଦେବାକୁ ସବୁ ପ୍ରକାର ଉଦ୍ୟମ କରିଛନ୍ତି । ପ୍ରଥମେ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ, ପରେ ପାକିସ୍ତାନୀଙ୍କ ଭିସା ରଦ୍ଦ, ପାକିସ୍ତାନୀଙ୍କୁ ଭାରତରୁ ତଡ଼ିବାକୁ ନିର୍ଦ୍ଦେଶ ଏବଂ ଜଳ ଷ୍ଟ୍ରାଇକ୍ ପରେ ଡିଜିଟାଲ୍ ଷ୍ଟ୍ରାଇକ୍ ଭଳି ବଡ ବଡ କାର୍ୟ୍ୟାନୁଷ୍ଠାନ ପାକିସ୍ତାନକୁ ପାନେ ଦେବାକୁ ପ୍ରାରମ୍ଭିର ପ୍ରହାର କୁହାଯାଉଥିବା ବେଳେ ୨୬ ଜଣଙ୍କ ଜୀବନ ବଦଳରେ ଆତଙ୍କୀଙ୍କ ମୁଣ୍ଡ ମାଗୁଛନ୍ତି ଦେଶବାସୀ ।
ମୋଦୀ ସରକାର ଏୟାର ଷ୍ଟ୍ରାଇକ୍, ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ଖୁବଶୀଘ୍ର ଆଉ ଏକ ସିଧା ହମଲା କରି ପାକିସ୍ତାନରେ ପଶି ଆତଙ୍କୀଙ୍କୁ ମାରନ୍ତୁ ବୋଲି ଦାବି ଜୋର ଧରିଛି । ଦେଶବାସୀ ଚାହୁଛନ୍ତି ପାକିସ୍ତାନକୁ ସବୁ ଦିଗରୁ ପାନେ ଦେଇ ଆତଙ୍କୀ ହମଲାର ବଦଲା ନେବାକୁ ତେଣୁ ଖାଲି କୂଟନୈତିକ ସ୍ତରରେ ନୁହେଁ ସିଧାସିଧା ଯୁଦ୍ଧ କରି ପ୍ରତିଶୋଧ ନେବାକୁ ଦେଶବାସୀ ଦାବି କରି ଆସୁଛନ୍ତି ।
ଆଜି ପରି ସେଦିନ ବି ଥିଲା ମଙ୍ଗଳବାର । ୨୨ ଏପ୍ରିଲ ୨୦୨୫... ସମସ୍ତେ ନିଜ ନିଜ ପ୍ରିୟଜନ, ସମ୍ପର୍କୀୟ, ପରିବାର ସହ ବୁଲିଯାଇଥିଲେ ଭାରତର ଭୂସ୍ବର୍ଗ କାଶ୍ମୀର । କିଏ ନିଜ ସ୍ତ୍ରୀକୁ ନେଇ ବିବାହ ପରେ କାଶ୍ମୀର ବୁଲିବାକୁ ଯାଇଥିଲା ତ ପୁଣି କିଏ ନିଜ ବିବାହ ବାର୍ଷିକୀ ପାଳିବାକୁ ଯାଇଥିଲା । କେହି କେହି ହନିମୁଟ ଟ୍ରିପରେ ସୁଇଜରଲ୍ୟାଣ୍ଡ ପ୍ଲାନ କରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ମିନି ସୁଇଜରଲ୍ୟାଣ୍ଡ ପହଲଗାମ୍ ବୁଲିଯିବାକୁ ମନସ୍ଥ କରିଥିଲେ । କାଶ୍ମୀରର ବିଭିନ୍ନ ସ୍ଥାନ ବୁଲି ସେଦିନ ପହଲଗାମର ବୈସରଣରେ ଏକାଠି ହୋଇଥିଲେ ପର୍ଯ୍ଯଟକ । ଆଉ ପ୍ରକୃତିର ମଜା ବି ନେଉଥିଲେ...
କିଏ ମ୍ୟାଗି ସହ ମିନି ସୁଇଜରଲ୍ୟାଣ୍ଡର ମଜା ନେଉଥିଲା ତ କିଏ ଫଟୋ ଉଠାଇ ସୁନ୍ଦରୀ କାଶ୍ମୀରର କୋଳରେ ସୁନ୍ଦର ସ୍ମୃତି ସାଉଣ୍ଟୁଥିଲା ପୁଣି କିଏ ରିଲ୍ସରେ ମାତିଥିଲା ତ କିଏ କାଶ୍ମୀରର ଛାତି ଉପରେ ପ୍ରେମ-ବିଭୋରତାର କବିତା ଲେଖୁଥିଲା । ନୂଆନୂଆ ବାହା ହୋଇଥିବା ସ୍ତ୍ରୀର କୋଳରେ ଶୋଇ କାଶ୍ମୀରକୁ ଉପଭୋଗ କରୁଥିବା ସ୍ବାମୀଟିଏ ଜୀବନର ପରମ ଶାନ୍ତି ପାଇଯାଇଛି ବୋଲି କିଛି କ୍ଷଣ ଅନୁଭବ କରୁଥିବା ବେଳେ ସେହି ସୁଖ, ସେହି ସ୍ମୃତି ଯେ ସେଇଠି ସରିଯିବ ଆଉ ଶେଷ ସ୍ମୃତି ପାଲଟିଯିବ ନା ସେ ସ୍ବାମୀ ଜଣଙ୍କ ଜାଣିଥିଲେ ନା ସ୍ତ୍ରୀ ଜଣକ । ହଠାତ୍ ସବୁଜ ବନାନୀର ପାଇନ ଗଛ ଭିଡରୁ ବାହାରିଥିଲେ ସୈତାନ ଆଉ ଆଖି ବୁଜି ଗୁଳିମାଡ କରିଥିଲେ । ଠୋ ଠା ଶବ୍ଦରେ କାନ ତାବଦା ହୋଇଯାଇଥିଲା, କେଇ ମୁହୂର୍ତ୍ତରେ ମିନି ସୁଇଜରଲ୍ୟାଣ୍ଡ ମୃତ୍ୟୁର ଉପତ୍ୟକା ପାଲଟିଗଲା । ଆଉ ସବୁଜ ଘାସ ଗାଲିଚାରେ ସବୁଦିନ ଗୋଟେ ରକ୍ତାକ୍ତ କାହାଣୀ ଲେଖା ହେଲା । ଭାରତର ଭୂସ୍ବର୍ଗରେ ଭୟ ଆତଙ୍କର କାହାଣୀ ସାରା ବିଶ୍ବ ଦେଖିଲା ।
ଆତଙ୍କୀଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଗୁଳିମାଡରେ ୨୬ ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ । ଗୁଳିମାଡରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଅସ୍ତ୍ରଧାରୀ ୫ ଆତଙ୍କୀ । କାହାକୁ ସ୍ତ୍ରୀ ଆଗରେ ମାରିଥିଲେ ତ କାହାକୁ ତା ପିଲା ଆଗରେ ଗୁଳିକରି ହତ୍ୟା କରିଥିଲେ । ବୁଢା ବାପାମାଆ ଆଗରେ ବି ବନ୍ଧୁଧାରୀ ସୈତାନମାନେ ପୁଅର ଜୀବନ ନେଇଥିଲେ । ସବୁଠାରୁ ଲୋକଟାଙ୍କୁରା କଥା କଣ ଜାଣନ୍ତି- ଧର୍ମ ପଚାରି ପଚାରି ଗୁଳିମାରୁଥିଲେ ଆତଙ୍କୀ । ହିନ୍ଦୁ ଧର୍ମର ଲୋକଙ୍କୁ ଖୋଜି ଖୋଜି ମାରୁଥିଲେ । ସେମାନଙ୍କୁ ସେମାନଙ୍କ ଧର୍ମ ପଚାରୁଥିଲେ, କଲମା ପଢିବାକୁ କହୁଥିଲେ, ସନ୍ଦେହ ହେଲେ ପ୍ୟାଣ୍ଟ ଖୋଲୁଥିଲେ ଏବଂ ତାପରେ ଯଦି ସେମାନେ ଜାଣିବାକୁ ପାଉଥିଲେ ହିନ୍ଦୁ ବୋଲି ତାହାଲେ ଗୁଳି ମାରୁଥିଲେ – ଓଃ କେତେ ନୃଶଂସ ସେମାନେ ।
ଆତଙ୍କୀଙ୍କ ଗୁଳିରେ ସେଦିନ ଟଳିପଡିଥିଲେ ଖାଲି ପୁରୁଷ । କାଶ୍ମୀର ସାଗୁଆ ଭୂଇଁରେ ଭାଙ୍ଗି ଯାଇଥିଲା ଅନେକ ସ୍ତ୍ରୀଙ୍କ ନାଲି ଶଙ୍ଖା, ସୁନ୍ଦରୀ କାଶ୍ମୀର ସେଦିନ ପୋଛି ଦେଇଥିଲା ଅନେକ ସ୍ତ୍ରୀଙ୍କ ମଥାର ସିନ୍ଦୂର । ଆଉ ସେମାନଙ୍କ ବିଧବା ସଜେଇ ଦେଇଥିଲା । ମୃତକଙ୍କ ମଧ୍ୟରେ ଜଣେ ମୁସଲମାନ ଥିଲେ, ସିଏ ଘୋଡା ଚାଳକ ଥିଲେ, ପର୍ୟ୍ୟଟକଙ୍କୁ ବଞ୍ଚାଇବାକୁ ପ୍ରୟାସ କରିବାରୁ ତାଙ୍କୁ ହତ୍ୟା କରିଥିଲେ ଆତଙ୍କୀ ।
ତେବେ ୟା ଭିତରେ ସେହି ଅମଙ୍ଗଳ ମଙ୍ଗଳବାରକୁ ୮ ଦିନ ପୂରିଛି । ସେଦିନ ଥିଲା ମଙ୍ଗଳବାର ଆଉ ଆଜି ବି ମଙ୍ଗଳବାର । ୟା ଭିତରେ କିନ୍ତୁ ପହଲଗାମ୍ ପ୍ରତିଶୋଧ ସିଧାସଖଳ ନିଆଯାଇନି । ଆତଙ୍କୀଙ୍କୁ ନିପାତ କରାଯାଇନି କି ସେମାନଙ୍କ ମାରିବାକୁ ବଡ ଷ୍ଟ୍ରାଇକ୍ ହୋଇନି । କୂଟନୈତିକ କ୍ଷେତ୍ରରେ ଯାହା ଭାରତ ସରକାର ଆକ୍ସନ ନେଇଛନ୍ତି । ତେବେ ନିଜ ପରିବାରକୁ ହରାଇଥିଲା ଲୋକେ ଆଜି ବି ସେଦିନକୁ ମନେପକାଇ ଭୟରେ କମ୍ପୁଛନ୍ତି କାରଣ ସେମାନଙ୍କ ଆଖି ଆଗରେ ହିଁ ହତ୍ୟା ହୋଇଛି । ଯାହାର ବଦଲା ସେମାନେ ମୋଦୀ ସରକାର ନିଅନ୍ତୁ ବୋଲି ଦାବି କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/29/hVY2iiBIRYlxU9vkHPfN.jpg)