ନୂଆଦିଲ୍ଲୀ: ୟେ ତୋ ସିର୍ଫ ଟ୍ରେଲର ଥା, ପିଲ୍ମ ଅଭି ବାକି ହୈ ମେରେ ଦୋସ୍ତ... ଆତଙ୍କୀଙ୍କ ଉପରେ ଅତର୍କିତ ଆକ୍ରମଣ ଏବଂ ପାକିସ୍ତାନ ବିରୋଧରେ ଭାରତର ପ୍ରାରମ୍ଭିକ କାର୍ଯ୍ଯାନୁଷ୍ଠାନ ଦେଖି ଆଜି ଏ ବହୁ ଚର୍ଚ୍ଚିତ ଡାଇଲଗ ମନେପଡିଯାଉଛି... କାରଣ ପହଲଗାମ୍ ହମଲାର ବଦଲା ନେବା ଆରମ୍ଭ କରିଛି ଭାରତ । 

Advertisment

ଆତଙ୍କୀଙ୍କୁ ଖୋଜି ଖୋଜି ମାରିବା ଏବଂ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ଦେଶକୁ ପାନେ ଚଖେଇବାକୁ ଭାରତ ଆରମ୍ଭ କରିଛି ତାର ପ୍ରହାର । ପ୍ରଥମେ କୂଟନୈତିକ ପ୍ରହାର କରି ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଥିବା ଭାରତ ଆଜି ସିଧା ମୈଦାନକୁ ଓହ୍ଲାଇ ଠୋ ଠା କରି ଆତଙ୍କୀଙ୍କ ଛାତିରେ ଗୁଳି ଭରିଛି ଆଉ ଟପ୍ ଆତଙ୍କୀକୁ ମାରି ଗଡାଇଛି । ଖାଲି ସେତିକି ନୁହେଁ ଆତଙ୍କୀଙ୍କ ଘରକୁ ବି ବୋମାମାଡ କରି ଉଡାଯାଇଛି । ଆତଙ୍କୀଙ୍କୁ ଦଣ୍ଡ ଏମିତି ଦିଆଯିବ ଯେମିତି ସେମାନେ କଳ୍ପନା ବି କରିନଥିବେ ଯେ ଦଣ୍ଡ ଏମିତି ବି ହୁଏ ।

ତେବେ ବାନ୍ଦିପୁରାରେ ଏନକାଉଣ୍ଟରରେ ଲସ୍କରର ଟପ୍ କମାଣ୍ଡର ଅଲତାଫ୍ ଲଲ୍ଲୀକୁ ହତ୍ୟା କରିଛନ୍ତି ସୁରକ୍ଷାକର୍ମୀ । ଯବାନଙ୍କ ଗୁଳିରେ ଟଳିଛି ଟପ୍ କମାଣ୍ଡର । ଅନ୍ୟପଟେ ଅନନ୍ତନାଗ ଜିଲ୍ଲାର ବିଜବେହରା ଗୋରୀ ଅଞ୍ଚଳରେ ରହୁଥିବା ଆତଙ୍କବାଦୀ ଆଦିଲ ହୁସେନ ଥୋକରର ଘରକୁ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି ଭାରତୀୟ ସୁରକ୍ଷାକର୍ମୀ । ଖାଲି ସେତିକି ନୁହେଁ ଆଉ ଜଣେ ଆତଙ୍କବାଦୀ ଆଶିଫ ଶେଖ୍ ର ଘରକୁ ବି ଭାଙ୍ଗି ଦେଇଛନ୍ତି ସୁରକ୍ଷାକର୍ମୀ । ତ୍ରାଲରେ ଥିବା ଘରକୁ ବୁଲଡୋଜର ଚଳାଇ ଭାଙ୍ଗିଛନ୍ତି ସ୍ଥାନୀୟ ପ୍ରଶାସନ । 

ତେବେ ଦୁହେଁ ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଥିବା କୁହାଯାଉଛି । ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏମାନେ ସାହାଯ୍ୟ କରି ପହଲଗାମ ବୈସରନରେ ବଡ ଆକ୍ରମଣ କରିବାରେ ସାହାଯ୍ୟ କରିଥିବା ଅଭିଯୋଗ ଥିବାରୁ ସେମାନଙ୍କ ଉପରେ ଆକ୍ସନ ହୋଇଛି ।

ସେପଟେ ଏଲଓସିରେ ପାକିସ୍ତାନ ଆଗୁଆ ଗୁଳିମାଡ କରିଥିବା ସୂଚନା ରହିଛି । ଭାରତର ଆକ୍ସନ ପରେ ବିଳିବିଳେଇ ଯାଇଥିବା ପାକିସ୍ତାନ ଭୟରେ ସୀମାରେ ଆଗୁଆ ଫାୟାରିଂ କରିଥିଲା । ଏହା ପରେ ଭାରତ - ପାକିସ୍ତାନ ସୀମାରେ ଆରମ୍ଭ ହୋଇଯାଇଛି ଗୁଳିବିନିମୟ ।  ରାତି ସାରା ଫାୟାରିଂ ଚାଲିଥିବା ବେଳେ ପ୍ରଥମେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା ।  ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ କଡା ଆକ୍ସନ ପରେ ଛାନିଆ ହୋଇ ପଡିଛି ପଡୋଶୀ । ତେଣୁ ଭୟରେ ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି । ଯାହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । ଯଦିଓ କୌଣସି ମୃତାହତର ଖବର ନାହିଁ କିନ୍ତୁ ଛକପଞ୍ଝା ଜାରି ରହିଛି ।

୨୬ ନିରୀହ ଜୀବନର ପ୍ରତିଶୋଧ ନେବାକୁ କିଛି ବି କରିପାରେ ଭାରତ । ତେଣୁ ପାକିସ୍ତାନ ଏବଂ ପାକିସ୍ତାନୀ ଆତଙ୍କୀଙ୍କୁ ତଡ଼ି ତଡି ମାରିବାକୁ ଆରମ୍ଭ ହୋଇଛି ଆକ୍ସନ । ପାକିସ୍ତାନକୁ ପାନେ ଚଖେଇବା ପାଇଁ ଭାରତର ପ୍ରସ୍ତୁତି ଜୋରଦାର ହୋଇଛି । ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକକୁ ସଜ୍ଜା ଦେବାକୁ ସଜବାଜ ହେଲାଣି ଭାରତ । ଆଜି ସିଧା ଆକ୍ସନ ଆରମ୍ଭ ହୋଇଥିବା ବେଳେ ଦୁଇଦିନ ତଳେ ଭାରତ ନେଇ କୂଟନୈତିକ ଆକ୍ସନ । ପାକିସ୍ତାନର ପାଣି ବନ୍ଦ କରିଛନ୍ତି ସରକାର । ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛନ୍ତି । ଏହାଦ୍ବାରା ସିନ୍ଧୁ ଘାଟିର ସମସ୍ତ ନଦୀର ପାଣି ପାକ୍ ଭିତରକୁ ଛଡ଼ାଯିବନି ।

ସୀମାରେ ଥିବା ଅଟାରୀ-ୱାଘାର ଗେଟ୍ ବି ବନ୍ଦ ହେଲା । ଦୁଇ ଦେଶ ମଧ୍ୟରେ ହେବନାହିଁ ବାଣିଜ୍ୟ କାରବାର । ପାକିସ୍ତାନ ନାଗରିକଙ୍କୁ ସାର୍କ ଭିସା ବାତିଲ, ଦେଶ ଛାଡ଼ିବାକୁ ନିର୍ଦ୍ଦେଶ । ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ୩ ଦିନର ମହଲତ ଦିଆଯାଇଛି । ଦୂତାବାସରୁ ଅଧାରୁ ଅଧିକ କର୍ମଚାରୀଙ୍କୁ ହଟାଯାଇଛି । ପାକିସ୍ତାନ ସରକାରଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବି ଭାରତରେ ବ୍ୟାନ୍ ହୋଇଛି । ଆଉ ଏସବୁ ବଡ଼ ବଡ଼ କାର୍ଯ୍ଯାନୁଷ୍ଠାନ ପରେ ପ୍ରଳାପ କରୁଛି ପାକିସ୍ତାନ ।