ନୂଆଦିଲ୍ଲୀ: ଏପ୍ରିଲ ୨୨ ତାରିଖର ଜଘନ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ୯୭ ଦିନ ବିତିଛି। ୯୭ ଦିନ ପରେ ଭାରତୀୟ‌ ସେନାକୁ ବଡ଼ ସଫଳତା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦ୍‌ଲା ନେଇଛି ସେନା। ଶ୍ରୀନଗର ଉପକଣ୍ଠ ଲିଡ଼ବାସ ପାହାଡ଼ରେ ସେନାବାହିନୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଶୀର୍ଷ ଲସ୍କର କମାଣ୍ଡର ସୁ‌ଲେମାନ ଶାହ ଓରଫ ମୁସା ଫୌଜି ସମେତ ୩ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛି। ନିପାତ ହୋଇଥିବା ଅନ୍ୟ ୨ ଆତଙ୍କବାଦୀ ହେଉଛନ୍ତି ଅବୁ ହମ୍‌ଜା ଏବଂ ୟସିର। ଗତବର୍ଷ ଶ୍ରୀନଗର-‌ସୋନମାର୍ଗ ରାଜପଥରେ ଏକ ଟନେଲ୍‌ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୭ ଜଣ ଲୋକଙ୍କ ହତ୍ୟା ଘଟଣାରେ ମଧ୍ୟ ମୁସା ସମ୍ପୃକ୍ତ ଥିଲା।  

Advertisment

ଜମ୍ମୁ କାଶ୍ମୀର ପୁଲିସ, ସିଆର୍‌ପିଏଫ୍‌ ଓ ସେନାର ଏକ ମିଳିତ ବାହିନୀ ଆଜି ସକାଳେ ‘ଅପରେସନ୍‌ ମହାଦେବ’ ଆରମ୍ଭ କରିଥିଲେ। ୩ ବିଦେଶୀ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ପାଇବା ପରେ ମହାଦେବ ପର୍ବତ ନିକଟସ୍ଥ ଶ୍ରୀନଗରର ଦଚିଗାମ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା। ଜବରବନରୁ ମହାଦେବ ପର୍ବତମାଳା ମଧ୍ୟରେ ଏହି ଅପରେସନ୍‌ କରାଯାଇଥିବାରୁ ଏହାର ନାଁ ଦିଆଯାଇଛି ‘ଅପରେସନ୍‌ ମହାଦେବ’। ଆତଙ୍କବାଦୀ ଲୁଚିଥିବା ସ୍ଥାନରୁ ୧୭ଟି ରାଇଫଲ୍‌ ଗ୍ରେନେଡ୍‌, ଗୋଟିଏ ଏମ୍‌୪ କାରବାଇନ୍‌, ୨ଟି ଏକେ-୪୭ ରାଇଫଲ୍‌ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।  

ଅପରେସନ୍‌ ମହା‌ଦେବ, ଅନ୍ୟ ୨ ଆତଙ୍କୀଙ୍କୁ ମାରିଲେ ଯବାନ

ସୂଚନାନୁଯାୟୀ ଜୁଲାଇ ଆରମ୍ଭରେ ଦଚିଗାମ୍‌ ଜଙ୍ଗଲରେ ସେନା ଏକ ସନ୍ଦେହଜନକ ଗତିବିଧି ଚିହ୍ନଟ କରିଥିଲା। ଏହାପରେ ଉକ୍ତ ଅଞ୍ଚଳରେ ଲସ୍କର ଏବଂ ‌ଜୈସ୍‌ ଆତଙ୍କବାଦୀମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଟ୍ରାକ୍‌ କରାଯାଇଥିଲା। ତେବେ ସ୍ଥାନୀୟ କିଛି ଯାଯାବର ଲୋକଙ୍କ ସୂଚନା‌ ଆଧାରରେ ଆତଙ୍କବାଦୀଙ୍କୁ ଚିହ୍ନଟ କରିବା ସହଜ ହୋଇଥିଲା। ଏହାପରେ ଏକାଧିକ ସେନା ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୋମବାର ପୂର୍ବାହ୍‌ଣ ପ୍ରାୟ ୧୧ଟା ୩୦ ସମୟରେ ୨୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୪ ପାରା ସ୍ପେସାଲ ଫୋର୍ସ କମାଣ୍ଡୋକୁ ନେଇ ଏକ ଟିମ୍‌ ୩ ଆତଙ୍କବାଦୀଙ୍କୁ ଚିହ୍ନଟ କରି ନିପାତ କରିଥିଲେ। ମିଳିଥିବା ସୂଚନାନୁଯାୟୀ ଆତଙ୍କବାଦୀମାନେ ବିଶ୍ରାମ ନେଉଥିବାବେଳେ ଧରା ପଡ଼ିଥିଲେ। ତେବେ ଔପଚାରିକ ଭାବେ ଏ ନେଇ କିଛି ଘୋଷଣା କରାଯାଇନି।  ଜମ୍ମୁ କାଶ୍ମୀର ପୁଲିସ ଅନୁଯାୟୀ ଅପରେସନ୍‌ ଏବେ ବି ଜାରି ରହିଛି ଏବଂ ଏହା ଶେଷ ହେବାପରେ ଏନେଇ ବିବୃତି ଜାରି କରାଯିବ। ଗୋଟିଏ ପଟେ ସଂସଦରେ ଆଜି ଅପରେସନ ସିନ୍ଦୂର ଉପରେ ବିତର୍କ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ସେନାକୁ ଶ୍ରୀନଗରରେ ଏହି ସଫଳତା ମିଳିଛି।