କାବୁଲ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ  ଥିବା ଡୁରାଣ୍ଡ ଲାଇନ୍‌ ସୀମାରେ ଆଜି ସକାଳେ ଭୟଙ୍କର ସଂଘର୍ଷ ହୋଇଛି। କାନ୍ଦାହାର ପ୍ରଦେଶସ୍ଥିତ ସ୍ପିନ୍‌ ବୋଲ୍‌ଡାକ ଜିଲ୍ଲାରେ ପାକିସ୍ତାନୀ ସେନା ଆଜି ସକାଳେ ପ୍ରଥମେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଉତ୍ତେଜନା ଚରମରେ ପହଞ୍ଚିଥିଲା। ଏହି ଆକ୍ରମଣରେ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଫଗାନ ସେନା ଏହାର ପାଲଟା ଜବାବ ଦେଇ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଛି। ସୀମାରେ ୨୦ରୁ ଅଧିକ ପାକିସ୍ତାନ ପୋଷ୍ଟ୍‌ ଉପରେ  ଆକ୍ରମଣ ହୋଇଥିବା ବେଳେ ଅତି କମ୍‌ରେ ୧୦ ଜଣ ପାକ୍‌ ସୈନିକ ନିହତ ହୋଇଥିବା ଜଣାପଡ଼ିଛି। ଏହାସହିତ ଅନେକ ପାକ୍‌ ପୋଷ୍ଟ୍‌କୁ ଆଫଗାନିସ୍ତାନ ନିଜ ଅକ୍ତିଆରକୁ ନେଇଥିବା ଦାବି କରିଛି।
Advertisment
ତାଲିବାନର ପାଲଟା ଆକ୍ରମଣରେ 
୧୦ ପାକ୍‌ ସୈନିକ ନିହତ
ଅନେକ ପୋଷ୍ଟ୍‌ ଧ୍ବଂସ, ଟ୍ୟାଙ୍କ ଜବତ
୪୮ ଘଣ୍ଟିଆ ଅସ୍ତ୍ରବିରତି ଲାଗୁ
ଉଲ୍ଲେଖ‌ଯୋଗ୍ୟ, ସ୍ପିନ୍‌ ବୋଲ୍‌ଡାକ୍‌ ବର୍ଡର କ୍ରସିଂ ହେଉଛି ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ରଣନୈତିକ ତଥା ସର୍ବାଧିକ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳ। ଏକ ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ତାଲିବାନ ‌ସୈନିକମାନେ ଜବତ କରିଥିବା ପାକିସ୍ତାନୀ ଟି-୫୫ ଟ୍ୟାଙ୍କ ଚଳାଉଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ଦାବି ମୁତାବକ ଚମନ ଜିଲ୍ଲାରେ ତାଲିବାନ ଆକ୍ରମଣରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ‌ହୋଇଛି। ଦୁଇ ରାଷ୍ଟ୍ର ମଧ୍ୟରେ ହିଂସା ବଢ଼ୁଥିବାରୁ କତର ଓ ସାଉଦି ଆରବ ତୁରନ୍ତ ହସ୍ତକ୍ଷେପ କରିଥିବା ଜଣାପଡ଼ିଛି। ଫଳରେ ବୁଧବାର ସନ୍ଧ୍ୟା ୬ଟାରୁ ୪୮ ଘଣ୍ଟା ପାଇଁ ଅସ୍ଥାୟୀ ଅସ୍ତ୍ରବିରତି ପାଳନ କରିବାକୁ ପାକିସ୍ତାନ ଓ  ତାଲିବାନ ପ୍ରଶାସନ ରାଜି ହୋଇଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଥିବା ଏହି ଅସ୍ତ୍ରବିରତି ସମୟସୀମା ମଧ୍ୟରେ ଉଭୟ ପକ୍ଷ ଶାନ୍ତି ଆଲୋଚନା କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। 
ଆଫଗାନିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ପାକିସ୍ତାନୀ ସେନାବାହିନୀ ଉଭୟ ହାଲୁକା ଓ ଭାରୀ ଯୁଦ୍ଧାସ୍ତ୍ର ବ୍ୟବହାର କରି ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରୁଛି ଏବଂ ଆମେ ଏହାର ଉଚିତ ମୁକାବିଲା କରୁଛୁ। ପାକିସ୍ତାନ ନିଜର ସୀମା ପୋଷ୍ଟ୍‌ ଧ୍ୱଂସ, ଟ୍ୟାଙ୍କ ଜବତ ଓ ସୈନ୍ୟ କେନ୍ଦ୍ର ଉପରେ ଆକ୍ରମଣ ନେଇ ଆଫଗାନିସ୍ତାନକୁ ଦୋଷାରୋପ କରିଥିବା ବେଳେ ଆଫ୍‌ଗାନ ମୁଖପାତ୍ର କହିଛନ୍ତି ଯେ ପାକ୍‌ର ବିମାନ ଆକ୍ରମଣ ପରେ ହିଁ ଉତ୍ତେଜନା ବଢ଼ିଥିଲା। ସୂଚନାଯୋଗ୍ୟ, ଏହା ପୂର୍ବରୁ ଦୁଇ ଦିନ ତଳେ ଡୁରାଣ୍ଡ ସୀମାରେ ହୋଇଥିବା ସଂଘର୍ଷରେ ୫୮ ପାକିସ୍ତାନୀ ସୈନିକ ନିହତ ହୋଇଥିବା ତାଲିବାନ ଦାବି କରିଥିଲା। ତେବେ ପାକିସ୍ତାନ କହିଥିଲା ଯେ କେବଳ ୨୩ ଜଣ ସୈନିକ ନିହତ ହୋଇଛନ୍ତି। ଏବେ ଡୁରାଣ୍ଡ ଲାଇନ୍‌ରେ ସୀମା ବାଡ଼ ନିର୍ମାଣ ଓ ଶରଣାର୍ଥୀ ସମସ୍ୟା ମଧ୍ୟ ଉତ୍ତେଜନା ବଢ଼ାଇଛି।