ଦୋହା: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସୀମା ସଂଘର୍ଷ ମଧ୍ୟରେ କତର ରାଜଧାନୀ ଦୋହାରେ ଗତରାତିରେ ଏକ ଅସ୍ଥାୟୀ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଚୁକ୍ତିକୁ ଉଭୟ ପକ୍ଷ ସ୍ବାଗତ କରିଥିବା ବେଳେ ସୀମା ସଂଘର୍ଷ ପାଇଁ ପରସ୍ପରକୁ ଦାୟୀ କରି ଉତ୍ତେଜକ ବୟାନ ଦେଇଥିବାରୁ ଯେ କୌଣସି ସମୟରେ ଏହା ଭଣ୍ଡୁର ହେବା ଆଶଙ୍କା ପ୍ରକାଶ ପାଇଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ ଦାର୍ କହିଛନ୍ତି, ପାକିସ୍ତାନ ଅଂଚଳରେ ତାଲିବାନର ବର୍ବରତା ପାଇଁ ଏଭଳି ସଂଘର୍ଷ ଉପୁଜିଛି। ତେବେ ଏହି ଚୁକ୍ତିକୁ ସେ ସଠିକ ପଦକ୍ଷେପ ବୋଲି ଅଭିହିତ କରି ମଧ୍ୟସ୍ଥତା ପାଇଁ କତର, ସାଉଦି ଆରବ ଓ ତୁର୍କୀକୁ ଧନ୍ୟବାଦ ଜଣାଇଛନ୍ତି। ସେ ତୁର୍କୀରେ ଆଉ ଏକ ବୈଠକ ଆୟୋଜନ କରି ଆଫଗାନିସ୍ତାନରୁ ଅନୁପ୍ରବେଶ କରୁଥିବା ଆତଙ୍କବାଦୀ ଆକ୍ରମଣ ରୋକିବା ପାଇଁ ଏକ ‘ନିରୀକ୍ଷଣ ବ୍ୟବସ୍ଥା” ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଦାର୍ କହିଛନ୍ତି ଯେ ଏହି ପଦକ୍ଷେପ ପାକିସ୍ତାନରେ ନାଗରିକଙ୍କ ଜୀବନ ରକ୍ଷା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ହେବ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ଆଜି ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଆଲୋଚନା କରି ସୀମା ସଂଘର୍ଷ ଓ ଆତଙ୍କବାଦ ପାଇଁ ଆଫଗାନିସ୍ତାନକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଆଫଗାନିସ୍ତାନରୁ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି), ବଲୁଚିସ୍ତାନ ଲିବରେସନ ଆର୍ମୀ, ଫିତ୍ନା-ଅଲ୍-ଖ୍ୱାରିଜ ଓ ଫିତ୍ନା-ଅଲ-ହିନ୍ଦୁସ୍ତାନ ଭଳି ସଂଗଠନମାନେ ଆମ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି। ଆଫଗାନିସ୍ତାନର ଅନୁରୋଧରେ ପାକିସ୍ତାନ ଅସ୍ଥାୟୀ ଯୁଦ୍ଧବିରତିରେ ସହମତି ଦେଇଥିଲେ ମଧ୍ୟ, ସରିଫ ଏହି ସଂଗଠନଗୁଡ଼ିକ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ଆଫଗାନିସ୍ତାନ ପ୍ରଧାନମନ୍ତ୍ରୀ ମୁଲ୍ଲା ମୋହମ୍ମଦ ହାସନ ଆଖୁନ୍ଦ ପାକିସ୍ତାନକୁ ଏକ ଅତିକ୍ରମଣକାରୀ ରାଷ୍ଟ୍ର ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଆଫଗାନିସ୍ତାନର ସୀମା ଉଲ୍ଲଂଘନ କରି ପାକିସ୍ତାନ ସଂଘର୍ଷ ଆରମ୍ଭ କରିଛି ଏବଂ ଏହାର ପରିଣାମ ଭୋଗିବା ନିଶ୍ଚିତ।
ତାଲିବାନର କଠୋର ଚେତାବନୀ
ପାକିସ୍ତାନ ସୈନ୍ୟଙ୍କୁ ଭାରତ ସୀମା ପର୍ଯ୍ୟନ୍ତ ତଡ଼ିବୁ
କାବୁଲ: ଆଫଗାନିସ୍ତାନ ସରକାରର ଗୃହମନ୍ତ୍ରୀ ମହମ୍ମଦ ନବୀ ଓମ୍ରୀ ପାକିସ୍ତାନ ସେନାକୁ ଆଜି କଠୋର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ‘ଯଦି ଆଫଗାନିସ୍ତାନ ପାକ୍ ସେନାକୁ ଧର୍ମୀୟ ଫତୱା ଦ୍ୱାରା ଆକ୍ରମଣକାରୀ ଘୋଷଣା କରିବ, ତାହେଲେ ବିଶ୍ବର କୌଣସି ଶକ୍ତି ସେମାନଙ୍କୁ ରକ୍ଷା କରିପାରିବ ନାହି। ପାକ୍ ସେନାକୁ ଆମେ ଭାରତୀୟ ସୀମା ପର୍ଯ୍ୟନ୍ତ ଗୋଡ଼ାଇବୁ ଏବଂ ସେମାନେ କେଉଁଠି ବି ନିସ୍ତାର ପାଇବେ ନାହିଁ।’ ପାକ୍ ସେନାକୁ ଟାର୍ଗେଟ କରି ଓମ୍ରୀଙ୍କ ଏହି ବୟାନ ପୁଣି ଉତ୍ତେଜନା ବଢ଼ାଇ ଦେଇଛି।
ଆଫଗାନିସ୍ତାନ-ପାକିସ୍ତାନ ସୀମାନ୍ତରେ ତୀବ୍ର ଉତ୍ତେଜନା ଲାଗି ରହିଛି ଏବଂ ଏବେ ଅସ୍ଥାୟୀ ଅସ୍ତ୍ରବିରତି ଲାଗୁ ସତ୍ତ୍ବେ ଆକ୍ରମଣ ଆଶଙ୍କାରେ ଉଭୟ ପକ୍ଷ ହାଇଆଲର୍ଟରେ ଅଛନ୍ତି। କତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଅସ୍ଥାୟୀ ଶାନ୍ତି ଚୁକ୍ତିକୁ ସମ୍ମାନ ଦେଲେ ହିଁ ଏହା ଦୀର୍ଘସ୍ଥାୟୀ ଶାନ୍ତି ଦିଗରେ ବାଟ ଖୋଲିବ। ସୂଚନାଯୋଗ୍ୟ, ଏହି ସୀମା ବିବାଦ ୧୮୯୩ରେ ବ୍ରିଟିଶ୍ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସ୍ଥାପିତ ଡୁରାଣ୍ଡ ରେଖା ସହ ଜଡ଼ିତ, ଯାହାକୁ ନେଇ ଆଫଗାନିସ୍ତାନ ଦୀର୍ଘଦିନରୁ ଆପତ୍ତି ଉଠାଇ ଆସିଛି ଏବଂ ପାକିସ୍ତାନ ଏହାକୁ ପ୍ରତ୍ୟାଖ୍ୟାନ କରିଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/20/fhfhshfsxvbvb-2025-10-20-01-48-32.jpg)