ଏନ୍‌ଆଇଏ ଓ୍ଵାଣ୍ଟେଡ୍‌ ଲିଷ୍ଟ୍‍ରେ ପାକ୍‌ କୂଟନୀତିଜ୍ଞ : ଭାରତରେ ଆକ୍ରମଣ ଷଡ଼ଯନ୍ତ୍ର

ନୂଆଦିଲ୍ଳୀ: ପ୍ରଥମ ଥର ପାଇଁ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଜଣେ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଓ୍ଵାଣ୍ଟେଡ୍‌ ଲିଷ୍ଟ୍‍ରେ ସାମିଲ କରିଛି ଏବଂ ଉକ୍ତ କୂଟନୀତିଜ୍ଞଙ୍କ ଫଟୋ ମଧ୍ୟ ଜାରି କରିଛି। କଲୋମ୍ବୋରେ ପାକିସ୍ତାନୀ ହାଇ କମିସନ୍‌ରେ ଭିସା କାଉନ୍‌ସେଲର ଭାବେ ନିଯୁକ୍ତ କୂଟନୀତିଜ୍ଞ ଅମିର୍‌ ଜୁବେର ସିଦ୍ଦିକିଙ୍କ ସହ ଅନ୍ୟ ଦୁଇଜଣ ପାକିସ୍ତାନୀ ଅଧିକାରୀ ଏନ୍‌ଆଇଏ ଓ୍ଵାଣ୍ଟେଡ୍‌ ଲିଷ୍ଟ୍‍ରେ ସାମିଲ ହୋଇଛନ୍ତି। ୨୦୧୪ ମସିହାରେ ଦକ୍ଷିଣ ଭାରତରେ ସ୍ଥଳସେନା ଏବଂ ନୌସେନା କମାଣ୍ଡ୍‌ରେ ଆକ୍ରମଣ ଯୋଜନା ଏବଂ ଭାରତରେ ଆମେରିକା ଓ ଇସ୍ରାଏଲ୍‌ ବାଣିଜ୍ୟିକ ଦୂତାବାସ ଉପରେ ୨୬/୧୧ ଭଳି ଆକ୍ରମଣ ପାଇଁ ପାକ୍‌ କୂଟନୀତିଜ୍ଞ ଷଡ଼ଯନ୍ତ୍ର କରିଥିଲେ ବୋଲି ଏନ୍‌ଆଇଏ ସୁତ୍ରରୁ ଜଣାଯାଇଛି। ସେହିପରି ଶ୍ରୀଲଙ୍କା ସ୍ଥିତ ପାକ୍‌ ହାଇକମିସନ୍‌ର ଜଣେ ଅଧିକାରୀ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ ବୋଲି ଏନ୍‌ଆଇଏ ସୁତ୍ରରୁ ଜଣାଯାଇଛି। ତେବେ ଏହି ଅଧିକାରୀମାନେ ଏବ ଇସ୍‌ଲାମାବାଦ୍‌ ଫେରୁଥିବା ଖବର ମିଳିଥିବିା ବେଳେ ଏନଆଇଏ ସେମାନଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିବାପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି।
ଏନ୍‌ଆଇଏ ଗତ ଫେବ୍ରୁଆରି ମାସରେ ସିଦ୍ଦିକିଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିବାବେଳେ ଅନ୍ୟ ୩ ଜଣ ପାକିସ୍ତାନୀ ଅଧିକାରୀ ଚିହ୍ନଟ ହୋଇନାହାନ୍ତି। ଓ୍ଵାଣ୍ଟେଡ୍‌ ଲିଷ୍ଟ୍‍ରେ ରହିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ଜଣେ ପାକ୍‌ ଅଧିକାରୀ ‘ବସ୍‌ ଓରଫ୍‌ ଶାହ’ ଭାବେ ଜଣାଶୁଣା। ପ୍ରଥମ ଥର ପାଇଁ ଭାରତ ଜଣେ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଓ୍ଵାଣ୍ଟେଡ୍‌ ଲିଷ୍ଟ୍‍ରେ ସାମିଲ୍‌ କରିବା ଘଟଣା ଅନ୍ତର୍ଜାତୀୟ କୂଟନୀତିକୁ ସରଗରମ କରିଛି । ଏହି ପାକିସ୍ତାନୀ ଅଧିକାରୀମାନେ ୨୦୦୯ରୁ ୨୦୧୬ ମସିହା ମଧ୍ୟରେ କଲୋମ୍ବୋରେ କାର୍ଯ୍ୟରତ ଥିବାବେଳେ ଦକ୍ଷିଣ ଭାରତର ଚେନ୍ନାଇ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ସେମାନଙ୍କ ଏଜେଣ୍ଟ୍‌ ସହାୟତାରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଏନଆଇଏ ଦ୍ୱାରା ଗିରଫ ହୋଇଥିବା ଅରୁଣ ସେଲଭରଜ୍‌ଠାରୁ ଏ ବାବଦ ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ ମିଳିବା ପରେ ଏନ୍‌୍‌ଆଇଏ ଅଧିକ ପ୍ରମାଣ ସଂଗ୍ରହ କରିଥିଲା। ଭାରତର ପ୍ରତିରକ୍ଷା ସଂସ୍ଥାନ, ପରମାଣୁ ପ୍ରତିଷ୍ଠାନ ଏବଂ କ୍ଷେପଣାସ୍ତ୍ର ଗତିବିଧି ଉପରେ ଖବର ସଂଗ୍ରହ କରିବା ସହ ଉକ୍ତ ସ୍ଥାନଗୁଡ଼ିକର ଫଟୋ ଉଠାଇବାରେ ମଧ୍ୟ ପାକ୍‌ କୂଟନୀତିଜ୍ଞଙ୍କ ଏଜେଣ୍ଟ୍‌ମାନେ ସଫଳ ହୋଇଥଲେ। ପାକିସ୍ତାନୀ ଅଧିକାରୀମାନେ ବରିଷ୍ଠ ସେନା ଅଧିକାରୀମାନଙ୍କ ଲ୍ୟାପ୍‌ଟପ୍‌ ଚୋରି କରିବାକୁ ଏଜେଣ୍ଟ୍‌ମାନଙ୍କୁ ଦାୟିତ୍ୱ ଦେଇଥିଲେ। ଏହା ସହିତ ସେମାନଙ୍କୁ ନକଲି ଭାରତୀୟ ନୋଟ୍‌ ଯୋଗାଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ମିଳିଥିଲା। ପାକ୍‌ ଏଜେଣ୍ଟମାନେ ଚେନ୍ନାଇରେ ଆମେରିକାର ବାଣିଜ୍ୟିକ ଦୂତାବାସ, ବେଙ୍ଗାଲୁରୁରେ ଇସ୍ରାଏଲ୍‌ ବାଣିଜ୍ୟିକ ଦୂତାବାସ ଏବଂ ବିଶାଖାପାଟନମ୍‌ରେ ଇଷ୍ଟର୍ଣ୍ଣ ନାଭାଲ୍‌ କମାଣ୍ଡ ସହ ବିଭିନ୍ନ ବନ୍ଦର ଉପରେ ଆକ୍ରମଣ ଯୋଜନା କରିଥିଲେ ବୋଲି ଏନ୍‌ଆଇଏ କହିଛି।

ସମ୍ବନ୍ଧିତ ଖବର