ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ନେଦରଲାଣ୍ଡ ଗସ୍ତରେ ଥିବାବେଳେ ସେଠାରୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ନେଦରଲାଣ୍ଡର ଡଚ୍ ବ୍ରଡ୍କାଷ୍ଟର୍ ଏନ୍ଓଏସ୍କୁ ଜୟଶଙ୍କର କହିଛନ୍ତି, ଯଦି ପାକିସ୍ତାନ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବ ତେବେ ଏହା ପରିଣାମ ଭୋଗିବ। ଜୟଶଙ୍କର କହିଛନ୍ତି, ପାକିସ୍ତାନର ସାମରିକ ନେତୃବୃନ୍ଦ ଚରମପନ୍ଥୀ ଓ ଜିହାଦୀ ଚିନ୍ତାଧାରାରେ ପରିଚାଳିତ ହେଉଛନ୍ତି। ପାକ୍ ସେନାମୁଖ୍ୟ ଅସୀମ ମୁନିରଙ୍କ ଅତ୍ୟଧିକ ଧର୍ମାନ୍ଧତା ଓ ଉଗ୍ର ମାନସିକତା ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ପ୍ରଭାବିତ କରିଥିଲା। ଜୟଶଙ୍କର କହିଛନ୍ତି, ଏହା ଅତ୍ୟନ୍ତ ବର୍ବର ଆକ୍ରମଣ ଥିଲା। ୨୬ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ନିଜ ପରିବାର ସଦସ୍ୟଙ୍କ ଆଖି ଆଗରେ ହତ୍ୟା କରାଗଲା। କେବଳ ପର୍ଯ୍ୟଟନକୁ କ୍ଷତି କରିବା ଲକ୍ଷ୍ୟରେ ଏହା କରାଯାଇଥିଲା।
ଧାର୍ମିକ ଉଗ୍ରବାଦ ଆତଙ୍କବାଦୀଙ୍କୁ ପ୍ରଭାବିତ କରିଥିଲା
ଆମେରିକା ମଧ୍ୟସ୍ଥତାକୁ ଖଣ୍ଡନ କଲେ ଜୟଶଙ୍କର
ପହଲଗାମ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ପାକ୍ ସେନା ମୁଖ୍ୟ ଦେଇଥିବା ଏକ ବିବାଦୀୟ ଟିପ୍ପଣୀକୁ ଉଦ୍ଧାର କରି ଜୟଶଙ୍କର କହିଛନ୍ତି-‘ମୁନିର ପାକିସ୍ତାନୀ ନାଗରିକଙ୍କୁ ଅନୁରୋଧ କରିଥିଲେ ଯେ ସେମାନଙ୍କ ପିଲା ହିନ୍ଦୁଙ୍କଠାରୁ ସବୁଦିଗରୁ ଭିନ୍ନ ବୋଲି ସେମାନେ ଶିଖାନ୍ତୁ।’ ଜୟଶଙ୍କର କହିଛନ୍ତି, ଆମେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ହେବା ଚାହୁ । ଯଦି ପାକିସ୍ତାନରୁ ଆତଙ୍କବାଦୀ ଆକ୍ରମଣ ଯଦି ଜାରି ରହେ ତେବେ ସେମାନେ ପରିଣାମ ଭୋଗିବାକୁ ବାଧ୍ୟ ବୋଲି ଜୟଶଙ୍କର କହିଛନ୍ତି। ଅନ୍ୟପକ୍ଷେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଆମେରିକା ମଧ୍ୟସ୍ଥି କରିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର ଦାବି କରିଥିବାବେଳେ ଆଜି ଜୟଶଙ୍କର ଏସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛନ୍ତି। ଜୟଶଙ୍କର ଆମେରିକାକୁ କଟାକ୍ଷ କରିଛନ୍ତି, ଅସ୍ତ୍ରବିରତି ଆଲୋଚନା ବେଳେ ‘ୟୁଏସ୍ ଯୁକ୍ତରାଷ୍ଟ୍ର ଆମେରିକାରେ ଥିଲା।’ ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ପାଇଁ ସିଧାସଳଖ କଥା ହୋଇଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ୪ ଦିନର ଉତ୍ତେଜନା ସମୟରେ ଅନେକ ରାଷ୍ଟ୍ର ଭାରତ ସହ ଯୋଗାଯୋଗରେ ଥିଲେ। ତେବେ ଭାରତ-ପାକିସ୍ତାନ-ଡିଜିଏମ୍ଓସ୍ତରୀୟ କଥାାବର୍ତ୍ତାରେ ହିଁ ଏ ନେଇ ସହମତି ପ୍ରକାଶ ପାଇଥିଲା ବୋଲି ଜୟଶଙ୍କର କହିଛନ୍ତି।