ଇସ୍ଲାମାବାଦ୍: ଗୁପ୍ତଚର ବ୍ୟାପାର ନିମନ୍ତେ ସାମରିକ ଅଦାଲତ ଦ୍ୱାରା ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମର୍ସି ପିଟିସନ୍ ଉପରେ ନିଷ୍ପତ୍ତି ନେବା ନିମନ୍ତେ ଚୂଡ଼ାନ୍ତ ପର୍ଯ୍ୟାୟ ନିକଟତର ହୋଇଥିବା କଥା ଗୁରୁବାର ଦିନ ପାକିସ୍ତାନ ସେନା କହିଛି।
ଅବସରପ୍ରାପ୍ତ ଭାରତୀୟ ନୌବାହିନୀ ଅଧିକାରୀ ୪୬ ବର୍ଷିୟ ଯାଦବଙ୍କୁ ଏପ୍ରିଲ୍ ମାସରେ ପାକିସ୍ତାନର ଫିଲ୍ଡ୍ ଜେନେରାଲ୍ କୋର୍ଟ ମାର୍ସାଲ୍ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। ପାକିସ୍ତାନ ବିପକ୍ଷରେ ଯାଦବଙ୍କ ଗୁପ୍ତଚର ବ୍ୟପାର ଏବଂ ଅନ୍ତର୍ଘାତି କାର୍ଯ୍ୟକଳାପରେ ଲିପ୍ତ ଥିଲେ ବୋଲି ଅଭିଯୋଗ ହୋଇଥିଲା।
କୁଳଭୂଷଣ ଯାଦବଙ୍କ ମର୍ସି ପିଟିସନ୍ ସେନା ମୁଖ୍ୟଙ୍କ ନିକଟକୁ ଆସିଛି। କିଛି ରୀତିନୀତି ଅଛି, ସବୁ ଜିନିଷ ଏକ ପ୍ରକ୍ରିୟା ମଧ୍ୟ ଦେଇ ଗତି କରେ। କିନ୍ତୁ, ମୁଁ ଭରଷା ଦେଇ କହୁଛି ମାମଲା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଗଲାଣି। ଏ ସଙ୍କ୍ରାନ୍ତରେ ଆମେ ଖୁବ୍ ଶୀଘ୍ର ଆପଣମାନଙ୍କୁ ସମ୍ବାଦ ଦେବୁ ବୋଲି ଏକ ସମ୍ବାଦିକ ସମ୍ମିଳନୀରେ ଚୁମ୍ବକେ କହିଛନ୍ତି ପାକିସ୍ତାନୀ ସେନାର ମୁଖପାତ୍ର ମେଜର୍ ଜେନେରାଲ୍ ଆସିଫ୍ ଘଫୂର।
ଏ ସମ୍ବନ୍ଧରେ ଆଉ ବିଶେଷ କିଛି ପୂର୍ଣ୍ଣ ବିବରଣୀ ଦେଇ ନ ଥିଲେ ଘଫୂର।
ଏକ ଅପିଲେଟ୍ କୋର୍ଟରେ ତାଙ୍କର ଆବେଦନ ଖାରଜ ହୋଇଯିବା ପରେ ଜୁନ୍ ମାସରେ ଯାଦବ ପାକିସ୍ତାନୀ ସେନାମୁଖ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶରୁ ବର୍ତ୍ତିବା ପାଇଁ କ୍ଷମା ଯାଚନା ପତ୍ର ଦାଖଲ କରିଥିଲେ।
ଆଇନ୍ ଅନୁସାରେ ସେ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ଙ୍କୁ କ୍ଷମା ଯାଚନା ପତ୍ର ପଠାଇବାକୁ ଯୋଗ୍ୟ। ଯଦି ସେ ତାହାକୁ ଖାରଜ କରନ୍ତି ତେବେ କୁଳଭୂଷଣ ପାକିସ୍ତାନର ରାଷ୍ଟ୍ରପତିଙ୍କୁ କ୍ଷମା ଯାଚନା ପତ୍ର ପଠାଇ ପାରିବେ।
ସେ ଇରାନ୍ରୁ ପ୍ରବେଶ କରିଥିବା ଖବର ମିଳିବା ପରେ ଗତ ବର୍ଷ ମାର୍ଚ ମାସରେ ତାଙ୍କୁ ଅଶାନ୍ତ ବାଲୋଚିସ୍ତାନ ପ୍ରଦେଶରୁ ନିରାପତ୍ତା ବଳ ତାଙ୍କୁ ଗିରଫ କରିଥିଲା ବୋଲି ପାକିସ୍ତାନ ଦାବି କରୁଛି।
ସେ ଯାହାହେଉ, ଭାରତ କହୁଛି ଯେ, ଭାରତୀୟ ନୌବାହିନୀରୁ ଅବସର ନେବା ପରେ ସେ ଇରାନ୍ରେ ବାଣିଜ୍ୟ କରୁଥିଲେ। ସେଠାକାର ବନ୍ଦର ଚବାହର୍ରୁ ତାଙ୍କୁ ଅପହରଣ କରାଯାଇଛି।
ଯାଦବଙ୍କୁ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରାଇବା ପାଇଁ ଥରକୁ ଥର ମନା କରିଦେଉଥିବାରୁ ପାକିସ୍ତାନ ଭିଏନା କନ୍ଭେନ୍ସନ୍ର ଉଲ୍ଲଂଘନ କରୁଛି ବୋଲି ଭାରତ ତା’ ଉପରେ ଦୋଷାରପ କରୁଛି।
ଏହି ମାମଲାକୁ ଭାରତ ହଗ୍ସ୍ଥିତ ଇଣ୍ଟର୍ନ୍ୟାସ୍ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ଙ୍କ ନିକଟକୁ ନେବା ପରେ ଏହା ଉପରେ ସ୍ଥଗିତାଦେଶ ହୋଇଥିଲା। ମେ ୧୮ ତାରିଖ ଦିନ ମାମଲାର ଶୁଣାଣିବେଳେ ଆଇସିଜେର ଏକ ୧୦ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଯାଦବଙ୍କୁ ମୃତ୍ୟୁଦଣ୍ଡ ଦେବାରୁ ପାକିସ୍ତାନକୁ ବିରତ କରାଇଥିଲା। ଆଇସିଜେ କହିଥିଲା ଯେ ଏହି ମାମଲାରେ ଚୂଡ଼ାନ୍ତ ରାୟ ନ ଶୁଣାଇବା ଯାଏଁ ଯାଦବଙ୍କୁ ନିହତ କରାଯାଇ ପାରିବ ନାହିଁ।
ଗତମାସରେ ବୈଦେଶିକ ମନ୍ତ୍ରୀ ଖ୍ଵାଜା ଅସିଫ୍ ଦାବି କରିଥିଲେ ଯେ, ୨୦୧୪ ମସିହାରେ ପେଶ୍ଓ୍ଵାର୍ସ୍ଥିତ ଏକ ସେନା ସ୍କୁଲ୍ରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଯାଦବଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ସେ ଆଫଗାନ୍ କର୍ତ୍ତୃପକ୍ଷଙ୍କ ହାଜତରେ ଅଛନ୍ତି। କିନ୍ତୁ, ଆଫଗାନିସ୍ତାନ ଏହାକୁ ଖଣ୍ଡନ କରିଥିଲା।
ପାକିସ୍ତାନ କହିଛି ଯେ, କ୍ଷମା ଆବେଦନ ଶେଷ ନ ହେବା ଯାଏଁ ଭାରତୀୟ ନାଗରିକଙ୍କୁ ନିହତ କରାଯିବ ନାହିଁ।