ପାକ୍‌ ସେନାର ଗୁଳିବର୍ଷା, ୩ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଳଂଘନ କରି ପ୍ରବଳ ଗୁଳି ବର୍ଷା କରିଛି। ଦୁଇଟି ପୃଥକ୍‌ ଅସ୍ତ୍ରବିରତି ଉଲ୍ଲଂଘନରେ ୩ ଜଣ ଯବାନ ସହିଦ ହୋଇଯାଇଛନ୍ତି ଏବଂ ୫ ଜଣ ଆହତ ହୋଇଛନ୍ତି। ଜମ୍ମୁ କାଶ୍ମୀର ନୌଗାମ୍‌ ସେକ୍ଟରରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ୨ ଯବାନ ସହିଦ ହୋଇଥିବା ବେଳେ ପୁଞ୍ଚ୍‌ ଜିଲ୍ଲାର କ୍ରୀଷ୍ଣା‌ ଘାଟି ସେକ୍ଟର୍‌ରେ ମଧ୍ୟ ପାକ୍‌ ସେନାର ଗୁଳିମାଡ଼ରେ ଅନ୍ୟ ଜଣେ ଯବାନ ସହିଦ ହୋଇଛନ୍ତି। ଶ୍ରୀନଗରରେ ସେନା ପ୍ରବକ୍ତା କର୍ନେଲ୍‌ ରାଜେଶ କାଲିଆ କହିଛନ୍ତି, ପାକ୍‌ ସେନା ଆଜି ସକାଳେ କୁପ୍‌ୱାଡ଼ାର‌ ନୌଗାମ୍‌ ‌ସେକ୍ଟର୍‌ ସ୍ଥିତ ଏଲ୍‌ଓସି ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଥିଲା। ବୁଧବାର ରାତିରେ ମଧ୍ୟ କ୍ରୀଷ୍ଣା ଘାଟି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।

ଗତକାଲିର ଘଟଣାରେ ଜଣେ ଯବାନ ସହିଦ ହୋଇଥିବାବେଳେ ଆଜି ଆଉ ୨ ଯବାନ ସହିଦ ହୋଇଛନ୍ତି। ତେବେ ଭାରତ ମଧ୍ୟ ଏହାର ଉଚିତ୍‌ ଜବାବ ଦେଇଛି ବୋଲି ସେନା ପକ୍ଷରୁ କୁହାଯାଇଛି। କିନ୍ତୁ ଏଥିଯୋଗୁଁ ପାକିସ୍ତାନର କ’ଣ କ୍ଷତି ହୋଇଛି ତାହା ଜଣାପଡ଼ିନି। ଉଲ୍ଲେଖଯୋଗ୍ୟ , ଗତ କିଛି ଦିନ ଧରି ପାକିସ୍ତାନ ପୁଞ୍ଚ୍‌ରେ ଗ୍ରାମ ଗୁଡ଼ିକୁ ଟା‌ର୍ଗେଟ୍‌ କରୁଛି। ସେପ୍ଟେମ୍ବର ୫ରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଜଣେ ଯବାନ ସହିଦ ହୋଇଥିଲେ। ସେପ୍ଟେମ୍ବର ୨ରେ ମଧ୍ୟ ଅନ୍ୟ ଏକ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଜଣେ ଜେସିଓ ସହିଦ ହୋଇଥିଲେ। ଗତ ୮ ମାସ ମଧ୍ୟରେ ପାକିସ୍ତାନ ୩ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହା ୧୭ ବର୍ଷ ମଧ୍ୟରେ ସବୁଠୁ ଅଧିକ। କେବଳ ସେପ୍ଟେମ୍ବରରେ ପାକିସ୍ତାନ ୪୭ ଥର ଅସ୍ତ୍ରବିରତି ଉଲ୍ଳଂଘନ କରିଛି।

ସମ୍ବନ୍ଧିତ ଖବର