ଇସ୍ଲାମାବାଦ : କାତାରରେ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ବିଶ୍ବକପ ଫୁଟବଲ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଆଗେଇ ଚାସିଛି । ଏହି ବିଶ୍ବକପର ସୁରକ୍ଷା ପାଇଁ କାତାର ସରକାର ବିଶେଷ ବନ୍ଦୋବସ୍ତ କରିଛନ୍ତି । ସୁରକ୍ଷା ପାଇଁ ପାକିସ୍ତାନ ସେନାରୁ ନିୟୋଜନ କରାଯିବ । ଏଥିପାଇଁ ପାକିସ୍ତାନ ସରକାର ଅନୁମତି ଦେଇଛନ୍ତି । କେବଳ ପାକିସ୍ତାନ ନୁହେଁ, ତୁର୍କୀର ପ୍ରାୟ ୩୨୫୦ ସୈନ୍ୟ କତାର ଯିବେ । କାତାର ଆମେରିକାର ମିତ୍ର ଦେଶ ହୋଇଥିବାରୁ ନାଟୋ ପକ୍ଷରୁ ସୁରକ୍ଷା ପରମର୍ଶ ଦିଆଯିବ । ତେବେ ପାକିସ୍ତାନ କେତେକ ସଂଖ୍ୟକ ସୈନ୍ୟ ପଠାଇବ ତାହା ଜଣାପଡ଼ିନାହିଁ ।
କିନ୍ତୁ ଏହାକୁ ନେଇ ପାକିସ୍ତାନରେ ବିତର୍କ ଆରମ୍ଭ ହୋଇଯାଇଛି । କେତେକ ଦେଶଭକ୍ତ ପାକିସ୍ତାନୀ ଏହାକୁ ସୋସିଆଲ ମିଡିଆରେ ସମାଲୋଚନା କରୁଛନ୍ତି । ଦେଶର ସେନା କଣ ଭଡ଼ାରେ ଯାଇପାରିବ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି । ଆଉ କେତେକ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି ।
ତେବେ ପାକିସ୍ତାନ ସରକାର ଏଥିପାଇଁ ରାଜି ହେଲେ କିପରି ? କଥା ହେଉଛି ଆର୍ଥିକ ସଂକଟରେ ପଡ଼ିଥିବା ପାକିସ୍ତାନକୁ ୨ ବିଲିୟନ ଡଲାର ଆର୍ଥିକ ସହାୟତା ଦେବାକୁ କାତାର ରାଜି ହୋଇଛି । ଏଥିପାଇଁ ପାକିସ୍ତାନ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।
ବିଶ୍ବକପ ଫୁଟବଲ ୨୦ ନଭେମ୍ବରରୁ ୧୮ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।