ଭାରତକୁ ପାକ୍‌ ସେନାର ଚେତାବନୀ: ଯୁଦ୍ଧ ହେଲେ କଡ଼ା ଜବାବ ଦେବୁ

ଇସ୍‌ଲାମାବାଦ: ପୁଲ୍‌ୱାମା ଆକ୍ରମଣ ପରେ ଉପୁଜିଥିବା ପରିସ୍ଥିତି ନେଇ ଆଜି ପାକିସ୍ତାନୀ ସେନା ଏକ ସାମ୍ବାଦିକ ସମ୍ମିଳନୀରେ ଭାରତକୁ ଚେତାବନୀ ଦେଇଛି। ମେଜର ଜେନେରାଲ ଆସିଫ୍‌ ଗଫୁର୍‌ କହିଛନ୍ତି ଯେ ପୁଲ୍‌ୱାମା ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଲଗାତାର ଧମକ ଦେଇ ଚାଲିଛି। ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉନାହୁଁ, କିନ୍ତୁ ଭାରତ ପଟୁ ଯୁଦ୍ଧ ଆରମ୍ଭ ହେଲେ ଏହାର କଡ଼ା ଜବାବ ଦିଆଯିବ ବୋଲି ସେ କହିଛନ୍ତି। ପାକିସ୍ତାନରୁ କୌଣସି ଆତଙ୍କବାଦୀ ଯାଇ ପୁଲ୍‌ୱାମାରେ ବିସ୍ଫୋରଣ ଘଟାଇ ନାହାନ୍ତି ଏବଂ ଏ ସଂପର୍କରେ ଭାରତୀୟ ସେନା ସ୍ଥିତି ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଛନ୍ତି। ଯେଉଁ କଶ୍ମୀରୀ ଯୁବକ ଆକ୍ରମଣ କରିଛି, ତାହାର ଇତିହାସକୁ ଭାରତ ଦେଖିବା ଉଚିତ ଏବଂ ସେ ୨୦୦୭ରେ ମଧ୍ୟ ଗିରଫ ହୋଇଥିଲା ବୋଲି ଗଫୁର୍ କହିଛନ୍ତି। ପାକିସ୍ତାନ ଆଫ୍‌ଗାନିସ୍ତାନରେ ଅଲ୍‌ କାଏଦା ବିରୋଧରେ ଲଢ଼ି ସଫଳତା ପାଇଛି ଏବଂ ଅନ୍ତର୍ଜାତୀୟ ସେନାକୁ ସହାୟତା କରିଛି। ଭାରତ କେବଳ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା ପାଇଁ କହୁଥିବା ବେଳେ ଏବେ ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଥିବାରୁ କଥାବାର୍ତ୍ତା ତୁରନ୍ତ ଆରମ୍ଭ ହେଉ ବୋଲି ସେ କହିଛନ୍ତି। ଗଫୁର କହିଛନ୍ତି, ଆମେ ୧୯୯୮ରେ ପରମାଣୁ ଅସ୍ତ୍ର ହାସଲ କରିଛୁ ଏବଂ ୨୦୦୧ରୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ଅବତୀର୍ଣ୍ଣ ହୋଇଛୁ। ଭାରତର ନିୟନ୍ତ୍ରଣ ବାହାରକୁ ଏବେ କଶ୍ମୀର ଚାଲିଯାଇଛି ଏବଂ କଶ୍ମୀରବାସୀ ଏବେ ଭାରତୀୟ ସେନା ବିରୋଧରେ ଲଢ଼ୁଛନ୍ତି। ଏଭଳି ସ୍ଥିତିରେ ଭାରତ ଆମକୁ ବିଶ୍ବରେ ଏକଘରିଆ କରିବାକୁ ଚଳାଇଥିବା ପ୍ରୟାସ ସଫଳ ହେବନାହିଁ ବୋଲି ଗଫୁର କହିଛନ୍ତି।

ସମ୍ବନ୍ଧିତ ଖବର