ରାଓ୍ବଲପିଣ୍ଡି: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଫଳରେ ପାକିସ୍ତାନର ଚାମ୍ପିୟନ ଟ୍ରଫି ଯାତ୍ରା ନିରାଶାରେ ଶେଷ ହୋଇଛି ।
ରାୱଲପିଣ୍ଡିରେ ହେବାକୁ ଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ କରିବାକୁ ପଡ଼ିଛି। ଅର୍ଥାତ୍ ପାକିସ୍ତାନ କ୍ରିକେଟ୍ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଜିତିବାର ଶେଷ ସୁଯୋଗ ହରାଇଛି ଏବଂ କୌଣସି ମ୍ୟାଚ୍ ନ ଜିତି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି। ୨୯ ବର୍ଷ ପରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିଲା। ତେବେ ମାତ୍ର ୮ ଦିନ ଭିତରେ ପାକିସ୍ତାନର ଚାମ୍ପିୟନ୍ସ ଟ୍ରଫି ଯାତ୍ରା ଅତ୍ୟନ୍ତ ଲଜ୍ଜାଜନକ ଢଙ୍ଗରେ ଶେଷ ହୋଇଛି। ସୂଚନାଯୋଗ୍ୟ, ଉଭୟ ଦଳ ଗ୍ରୁପ୍ 'ଏ'ର ଅଂଶ ହୋଇଥିବା ବେଳେ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ଏହି ମ୍ୟାଚ୍ ଖେଳା ହୋଇଥିଲେ ବି ଟୁର୍ଣ୍ଣାମେଣ୍ଟ ଉପରେ ବି ଏହାର କୌଣସି ପ୍ରଭାବ ପଡ଼ିନଥାନ୍ତା । ତେବେ ନିଜ ଦେଶରେ ନିଜ ଲୋକଙ୍କ ଆଗରେ ସମ୍ମାନ ରକ୍ଷା ପାଇଁ ପାକିସ୍ତାନ ଆଗରେ ଏହା ଶେଷ ସୁଯୋଗ ଥିଲା । ଏବେ ଏହି ଶେଷ ଆଶାଟି ନିରାଶାରେ ପରିଣତ ହୋଇଛି ।