ଭାରତର ଶତ୍ରୁମାନଙ୍କୁ ପୋଷୁଛି ତାଲିବାନ, ଆଫଗାନିସ୍ତାନରେ ଲସ୍କର ଓ ଜୈସ କ୍ୟାମ୍ପ

ନୂଆଦିଲ୍ଲୀ : ଗୋଟିଏ ପଟେ ଭାରତ ଖାଦ୍ୟ ସଂକଟର ସମ୍ମୁଖୀନ ହେଉଥିବା ଆଫଗାନିସ୍ତାନକୁ ମାନବୀୟ ସହାୟତା ପଠାଉଥିବାବେଳେ ତାଲିବାନ ସେଠାରେ ଭାରତର ଶତ୍ରୁମାନଙ୍କୁ ପାଳୁଛି ।  ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା, ଜୈସ-ଇ-ମହମ୍ମଦର ତାଲିମ ଶିବିର ଚାଲିଛି ଓ ସେଗୁ଼ଡ଼ିକ ତାଲିବାନ ନିୟନ୍ତ୍ରଣରେ ରହିଛି ।

ଜାତିସଂଘର ଆନାଲିଟିକାଲ ସପର୍ଟ ଏଣ୍ଡ ସାଙ୍କସନ୍ସ ମନିଟରିଂ ଟିମର ୧୩ତମ ରିପୋର୍ଟରେ କୁହାଯାଇଛି ଯେ, ଆଫଗାନିସ୍ତାନର ନଙ୍ଗରନାର ଜିଲ୍ଲାରେ  ଜୈସର ୮ଟି ତାଲିମ ଶିବିର ରହିଛି ଓ ସେଗୁଡ଼ିକ ତାଲିବାନ ନିୟନ୍ତ୍ରଣରେ ରହିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ମାସୁଦ ଆଝାର ଦ୍ବାରା ପରିଚାଳିତ ଜୈସ-ଇ-ମହମ୍ମଦ ଓ ତାଲିବାନ ଦେଓବନ୍ଦୀ ଗ୍ରୁପ ହୋଇଥିବାରୁ ପରସ୍ପର ସହ ଆଦର୍ଶଗତ ଭାବେ ନିକଟତର ଅଟନ୍ତି ।

ଅନ୍ୟପକ୍ଷରେ ଲସ୍କର-ଇ-ତୋଇବା ପୂର୍ବରୁ ତାଲିବାନକୁ ଆର୍ଥିକ ଓ ତାଲିମ ସହାୟତା ପ୍ରଦାନ କରିଥିବାରୁ ଉଭୟ ପରସ୍ପରର ନିକଟତର । ଏଣୁ ଆଫଗାନିସ୍ତାନରେ ତାଲିବାନପକ୍ଷରୁ ଲସ୍କର କ୍ୟାମ୍ପଗୁଡ଼ିକୁ ଅନୁମତି ଦିଆଯାଇଛି । ଗତ ଜାନୁଆରିମାସରେ ତାଲିବାନର ଏକ ପ୍ରତିନିଧିମଣ୍ଡଳ ନଙ୍ଗରନାର ଜିଲ୍ଲାର ହସକା ମୀନା ଠାରେ ଥିବା ଲସ୍କର ତାଲିମ ଶିବିର ପରିଦର୍ଶନ କରିଥିଲା ।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନମାଟିକୁ ଭାରତ ବିରୋଧୀ କାର୍ୟ୍ୟ ପାଇଁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ତାଲିବାନ ପୂର୍ବରୁ ଅନେକ ଥର ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏହା ଏବେ ମିଥ୍ୟା ପ୍ରମାଣିତ ହୋଇଛି ।

ସମ୍ବନ୍ଧିତ ଖବର