ଶ୍ରୀନଗର: ଜମ୍ମୁ-କାଶ୍ମୀରର ରାଜୌରୀରେ ଗତକାଲି ସେନାର ଦୁଇଟି ଗାଡ଼ି ଉପରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣ ଯୋଗୁଁ ୫ ଜଣ ଯବାନ ସହିଦ ହୋଇଯାଇଥିବା ବେଳେ ଏହା ପଛରେ ଚୀନ୍‌ ଓ ପାକିସ୍ତାନର ଏକ ବଡ଼ ଷଡ଼୍‌ଯନ୍ତ୍ର ସାମ୍ନାକୁ ଆସିଛି। ନିୟନ୍ତ୍ରଣ ରେଖା ଅଞ୍ଚଳରେ ଏଭଳି ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧି ଘଟାଇ ଲଦାଖ ଅଂଚଳରୁ ଭାରତୀୟ ସେନା ମୁତୟନ ହ୍ରାସ କରିବା ପାଇଁ ଚୀନ୍‌ ନୂଆ ରଣନୀତିରେ କାମ କରୁଛି ଏବଂ ଏଥିରେ ପାକିସ୍ତାନ ସେନା ଓ ଆତଙ୍କୀ ସଂଗଠନଗୁଡ଼ିକ ଚୀନ୍‌ ସହିତ ହାତ ମିଳାଇଛନ୍ତି। ଜମ୍ମୁ-କାଶ୍ମୀର କ୍ଷେତ୍ରରେ ଭାରତୀୟ ସେନା ଅଧିକ ସଂଖ୍ୟାରେ ନିୟୋଜିତ ହେବା ସହ ଲଦାଖକୁ ଯେଭଳି କମ୍‌ ଗୁରୁତ୍ବ ଦେବ ସେଥିପାଇଁ ଏକ ଭିନ୍ନ ଚାପ କୌଶଳ ଚୀନ୍‌ ଅବଲମ୍ବନ କରୁଛି। ଲଦାଖ ଅଂଚଳରେ ଚୀନ୍‌ର ସବୁ ଅତିକ୍ରମଣକୁ ଭାରତ କିଛି ବର୍ଷ ହେଲା ପଣ୍ଡ କରିଆସୁଛି ଏବଂ ଚୀନ୍‌ ସେଠାରେ ଇଂଚେ ବି ଆଗକୁ ବଢ଼ିବାକୁ ସକ୍ଷମ ହେଉନାହିଁ। ଏହି କାରଣ ପାଇଁ ଚୀନ୍‌ ଏବେ ପାକ୍‌ ସେନା ଓ ଆତଙ୍କୀ ସଂଗଠନର ସହାୟତାରେ ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଅଧିକ ଆକ୍ରମଣ ପାଇଁ ଷଡ଼୍‌ଯନ୍ତ୍ର ରଚିଛି। ରାଜୌରୀ ଜଙ୍ଗଲରେ ଏବେ ୩୦ରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ବିଶାଳ ତଲାସୀ ଅଭିଯାନ ଆରମ୍ଭ ହୋଇଛି।

Advertisment

ଭାରତୀୟ ସେନା ଗତ ୨୪ ଘଣ୍ଟା ମଧ୍ୟରେ ରାଜୌରୀରେ ସେନା ମୁତୟନରେ ବୃଦ୍ଧି ଘଟାଇବା ସହ ପୁଞ୍ଚରେ ସୁରକ୍ଷା କଡ଼ାକଡ଼ି କରିଛି । ରାଜୌରୀ ଅଞ୍ଚଳରେ ଥିବା ଆତଙ୍କବାଦୀମାନେ ସପ୍ତାହକ ମଧ୍ୟରେ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ସହାୟତା ଦେଉଥିବା ଦୁଇ ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ଆଜି ସୁରକ୍ଷା ବାହିନୀ ଅଟକ ରଖିଛି। ଏଭଳି ପରିସ୍ଥିତିରେ ଲଦାଖରୁ ଭାରତ ସେନା ମୁତୟନରେ ହ୍ରାସ ଘଟାଇ କାଶ୍ମୀର ଉପରେ ଫୋକସ୍‌ କରିବ ଏବଂ ଚୀନ୍‌ ଏହି ମଉକାରେ ଭାରତୀୟ ଅଞ୍ଚଳକୁ ନିଜ ଦଖଲକୁ ନେବା ପାଇଁ ତା’ର ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ପାକିସ୍ତାନରେ ୮ ଫ୍ରେବୁଆରିରେ ସାଧାରଣ ନିର୍ବାଚନ ହେଉଥିବାରୁ ଏହା ପୂର୍ବରୁ ଭାରତ ବିରୋଧୀ ବାତବରଣ ସୃଷ୍ଟି କରି ଉତ୍ତେଜନା ବଢ଼ାଇବାକୁ ପାକ୍‌ ସେନା ଚାହୁଛି। ଏଭଳି ସ୍ଥିତି ଉପୁଜି‌ଲେ ପାକ୍‌ ସେନା ନିଜ ସମର୍ଥିତ ପ୍ରାର୍ଥୀଙ୍କ ବିଜୟକୁ ସୁଗମ କରିଦେଇପାରିବ ବୋଲି ଲକ୍ଷ୍ୟ ରଖିଛି।