ରୋମ୍‌: ଘର ଲୋକେ ଠିକ୍‌ କରିଥିବା ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା ଝିଅକୁ ହତ୍ୟା କରିଥିବା ଅପରାଧ ଲାଗି ମଙ୍ଗଳବାର ଦିନ ଇଟାଲିର ଏକ ଅଦାଲତ ଏକ ପାକିସ୍ତାନୀ ଦମ୍ପତିଙ୍କୁ ଯାବଜ୍ଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।

Advertisment

ଇଟାଲି ଅନ୍ତର୍ଗତ ବଲଗ୍‌ନା ନିକଟ ନଭେଲେରାରେ ବାସ କରୁଥିବା ସେମାନଙ୍କ ୧୮ ବର୍ଷୀୟ ଝିଅ ସମନ୍‌ ଆବ୍‌ବାସ୍‌ ୨୦୨୧ ମେ’ରୁ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ। ପାକିସ୍ତାରେ ଥିବା ସମନ୍‌ର ଜଣେ ସମ୍ପର୍କୀୟ ଭାଇ ସହିତ ବାପାମାଆ ତା’ର ବିବାହ ସ୍ଥିର କରିଥିଲେ। କିନ୍ତୁ, ସମନ୍‌ ଏ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା।

କେନ୍ଦ୍ରୀୟ ଇଟାଲିସ୍ଥିତ ରେଗିଓ ଏମିଲିଆ ସ୍ଥିତ ଏକ ଟ୍ରାଇବୁନାଲ୍‌ ରାୟ ଶୁଣାଇବା ବେଳେ କହିଲେ, ବାପାମାଆଙ୍କ ଆଦେଶକ୍ରମେ ସମନ୍‌ର ଜଣେ ଦାଦା ତା’ର ତଣ୍ଟିଚିପି ହତ୍ୟା କରିଥିଲେ। ଦାଦାଙ୍କୁ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।

ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ସମନ୍‌ ବାପାମାଆଙ୍କୁ ଛାଡ଼ି ଚାଲିଯାଇଥିଲେ। ନଭେମ୍ବର ୨୦୨୦ ପୁଲିସ ଓ ସାମାଜିକକର୍ମୀମାନେ ତାଙ୍କୁ ନେଇ ସେଲ୍‌ଟର୍‌ରେ ରଖିଥିଲେ।

publive-image Image Courtesy of Khaleej Times

କିନ୍ତୁ, ୨୦୨୧ ଏପ୍ରିଲ୍‌ରେ ପୁଣି ସେ ବାପାମାଆଙ୍କୁ ପାଖକୁ ଆସିଥିଲେ। ଉଦ୍ଦେଶ୍ୟ ଥିଲା ତାଙ୍କପାଖରୁ ତା’ର ପାସ୍‌ପୋର୍ଟ ନେଇ ‘ବୟଫ୍ରେଣ୍ଡ୍‌’ ସହିତ ନୂଆ କରି ଜୀବନ ଆରମ୍ଭ କରିବା। କିନ୍ତୁ, ସମନ୍‌ଙ୍କ ପରିବାର ଲୋକେ ତା’ର ‘ବୟଫ୍ରେଣ୍ଡ୍‌’କୁ ପସନ୍ଦ କରୁ ନ ଥିଲେ।

ସମନ୍‌ ନିରୁଦ୍ଦିଷ୍ଟ ହେବା କଥା ଉକ୍ତ ‘ବୟଫ୍ରେଣ୍ଡ୍‌’ଠାରୁ ସୂଚନା ପାଇ ପୁଲିସ ମେ ମାସରେ ସମନ୍‌ଙ୍କ ବାପାମାଆଙ୍କ ଘରେ ଚଢ଼ଉ କଲା। କିନ୍ତୁ, ସେତେବେଳକୁ ସେମାନେ ପାକିସ୍ତାନ ଚାଲି ଆସିଥିଲେ।

ସମ୍ଭବତଃ ଏପ୍ରିଲ୍‌ ୩୦ରୁ ମେ ୧ ତାରିଖ ମଧ୍ୟରେ ସମନ୍‌ଙ୍କୁ ହତ୍ୟା କରାଯାଇଥିବା କଥା ‘ସିସିଟିଭି’ ଫୁଟେଜ୍‌ରୁ ଜଣାପଡ଼ିଛି। ସେଥିରେ ଦେଖାଯାଉଛି, ତାଙ୍କ ଘରୁ ୫ଜଣ ଲୋକ ବେଲ୍‌ଚା, ଶାବଳ ଓ ବାଲ୍‌ତି ଧରି ବାହାରକୁ ଯାଉଛନ୍ତି ଓ ଅଢ଼େଇ ଘଣ୍ଟା ପରେ ଫେରୁଛନ୍ତି।

ବର୍ଷେ ପରେ ଗୋଟାଏ ପରିତ୍ୟକ୍ତ ଫାର୍ମହାଉସ୍‌ରୁ ବେକ ଭାଙ୍ଗିଯାଇଥିବା ସମନ୍‌ଙ୍କ ଶବ ଉଦ୍ଧାର କରାଯାଇଥିଲା। ପୁଲିସକୁ ସମନ୍‌ଙ୍କ ଭାଇ କହିଛନ୍ତି ଯେ, ହତ୍ୟାକାଣ୍ଡ ବିଷୟରେ ବାପା କହୁଥିବା ସେ ଶୁଣିଛନ୍ତି। ଦାଦା ହିଁ ଭଉଣୀକୁ ହତ୍ୟା କରିଛନ୍ତି।

ସମନ୍‌ଙ୍କ ବାପା ଶବ୍ବର୍ ଆବ୍ବାସ୍‌ଙ୍କୁ ପାକିସ୍ତାନରେ ଗିରଫ କରାଯାଇ ୨୦୨୩ ଅଗଷ୍ଟରେ ଇଟାଲିକୁ ପ୍ରତ୍ୟର୍ପଣ କରାଯାଇଥିଲା। ଦାଦା ଡାନିସ୍‌ ହସ୍‌ନୈନ୍‌ଙ୍କୁ ଫରାସୀ କର୍ତ୍ତୃପକ୍ଷ ଧରି ପ୍ରତ୍ୟର୍ପଣ କରିଥିଲେ। କିନ୍ତୁ, ସମନ୍‌ଙ୍କ ମାଆ ନାଜିଆ ଶାହୀନ ଫେରାର୍‌ ଅଛନ୍ତି।