ପାକ୍‌ ଦର୍ଘାରେ ବିସ୍ଫୋରଣ, ୧୦ ନିହତ

ଲାହୋର: ଲାହୋରସ୍ଥିତ ସୁଫି ଦର୍ଘାରେ ବୁଧବାର ସକାଳୁ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୧୦ ଜଣ ନିହତ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ବୋଲି ପଞ୍ଜାବ ଆଇନ ମନ୍ତ୍ରୀ ବଶରତ୍‌ ରାଜା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଦକ୍ଷିଣ ଏସିଆର ସବୁଠୁ ବଡ ସୁଫି ଦର୍ଘା ଦାତା ଦରବାର୍‌ର ୨ ନମ୍ବର ଗେଟ୍‌ ନିକଟରେ ସକାଳ ୮.୪୫ରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ସୁଫି ସନ୍ଥ ଅଲି ହଜଭରୀଙ୍କ ଦର୍ଘା ବାହାରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଆତ୍ମଘାତୀ ଆତଙ୍କବାଦୀ ଟାର୍ଗେଟ କରିଥିଲେ ବୋଲି ଲାହୋର ପୁଲିସ ଆଇଜି ଅରିଫ୍‌ ନୱାଜ ସୂଚନା ଦେଇଛନ୍ତି। ଏହି ବିସ୍ଫୋରଣରେ ୧୦ ଜଣ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୫ ଜଣ ପୁଲିସ କମାଣ୍ଡୋ ଅଛନ୍ତି। ବିସ୍ଫୋରଣରେ ୭ କିଲୋ ବିସ୍ଫୋରକ ବ୍ୟବହାର କରାଯାଇଥିବା ବେଳେ ଆତ୍ମଘାତୀ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ନୱାଜ କହିଛନ୍ତି। ଉଲ୍ଲେଖନୀୟ, ଏହି ଦର୍ଘାକୁ ପ୍ରତି ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ୨୦୧୦ ମସିହାରେ ଏଠାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର