ଇସଲାମାବାଦ: ସାଉଦି ଆରବ ସହ ଏକ ଐତିହାସିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିବାର ୪ ଦିନ ପରେ ଆଜି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି ଯେ ଏହି ବ୍ୟବସ୍ଥାରେ ଯୋଗଦେବା ପାଇଁ ଅନ୍ୟ ଦେଶ ପାଇଁ ଦ୍ୱାର ବନ୍ଦ ହୋଇନାହିଁ। ଭାରତ ବିରୋଧରେ ଏକ ଶକ୍ତିଶାଳୀ ଇସ୍ଲାମିକ ସାମରିକ ମେଣ୍ଟ ପାଇଁ ଆସିଫ୍ ଗୁରୁତ୍ବାରୋପ କରିବା ସହ ସାମରିକ ମେଣ୍ଟର ବିସ୍ତାର ପାଇଁ ଆହ୍ବାନ ଦେବା ଭାରତକୁ ପ୍ରତ୍ୟକ୍ଷ ଧମକ ବୋଲି ମଧ୍ୟ ବିବେଚନା କରାଯାଉଛି।
ଚଳିତ ସପ୍ତାହ ପ୍ରାରମ୍ଭରେ ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ ଏକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଉଭୟ ଦେଶ ମଧ୍ୟରୁ କୌଣସି ଗୋଟିଏ ରାଷ୍ଟ୍ର ବିରୋଧରେ ଆକ୍ରମଣ ଉଭୟ ରାଷ୍ଟ୍ର ବିରୋଧରେ ଆକ୍ରମଣ ବୋଲି ବିବେଚନା କରାଯିବ। ଇସ୍ରାଏଲ ବିରୋଧୀ ‘ଇସ୍ଲାମିକ ନାଟୋ’ ପ୍ରତିଷ୍ଠା ପାଇଁ ଏକ ବ୍ୟାପକ ପ୍ରୟାସର ଏକ ଅଂଶ ବୋଲି କୁହାଯାଉଛି ଏବଂ ଏହି ଚୁକ୍ତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ରିୟାଦରେ ସ୍ୱାକ୍ଷର କରିଛନ୍ତି।
ଜିଓ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଆସିଫ୍ କହିଛନ୍ତି ଯେ ଏହି ଚୁକ୍ତିରେ ଯୋଗଦେବା ପାଇଁ ଅଧିକ ମୁସଲମାନ ଦେଶ ପାଇଁ ସର୍ବଦା ରାସ୍ତା ଉନ୍ମୁକ୍ତ ରହିଛି। ସେ କହିଛନ୍ତି, ‘ମୁଁ ଭାବୁଛି ମୁସ୍ଲିମ ଜନସଂଖ୍ୟାର ଏକ ମୌଳିକ ଅଧିକାର ହେଉଛି ସେମାନେ ଏକତ୍ରିତ ହୋଇ ନିଜ ଅଞ୍ଚଳ, ଦେଶ ତଥା ରାଷ୍ଟ୍ରକୁ ରକ୍ଷା କରିବା।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୪୦ରୁ ୫୦ ବର୍ଷ ମଧ୍ୟରେ ଏହି ଅଞ୍ଚଳର ଇତିହାସକୁ ଦୃଷ୍ଟିରେ ରଖି ପାକିସ୍ତାନ ପାଇଁ ଏକ ସୁରକ୍ଷା ବଳୟ ତିଆରି କରିବା ଜରୁରୀ। ଆସିଫ୍ ସ୍ପଷ୍ଟ ଭାବରେ ଭାରତ ସହିତ ପାକିସ୍ତାନର ଐତିହାସିକ ବିବାଦ ବିଷୟରେ ଉଲ୍ଲେଖ କରି କହିଛନ୍ତି ଉଭୟ ଦେଶ ସ୍ୱାଧୀନତା ପରଠାରୁ କାଶ୍ମୀରକୁ ନେଇ ଚାରିଟି ଯୁଦ୍ଧ ଲଢ଼ିଛନ୍ତି। ଇସଲାମାବାଦ ମଧ୍ୟ ଭାରତକୁ ଏକ ‘ଅସ୍ତିତ୍ୱ ପ୍ରତି ବିପଦ’ ଭାବରେ ଦେଖେ ବୋଲି ସେ କହିଛନ୍ତି।
ସେ ଦାବି କରିଛନ୍ତି ଯେ ପାକିସ୍ତାନ ସର୍ବଦା ଏହାର ଆଣବିକ ନୀତିରେ କାଏମ ରହିଛି, ଏବଂ ଏ କ୍ଷେତ୍ରରେ କୌଣସି ଉଲ୍ଲଂଘନ କରିନାହିଁ। ସୂଚନାଯୋଗ୍ୟ, ଅପରେସନ୍ ସିନ୍ଦୂର ଅଭିଯାନରେ ଚାରି ଦିନିଆ ସାମରିକ ସଂଘର୍ଷ ପରେ ପାକିସ୍ତାନ ଏବେ ନିଜ ଅସ୍ତିତ୍ବ ପ୍ରତି ବଡ଼ ବିପଦ ଅନୁଭବ କରୁଛି ଏବଂ ପ୍ରତିରକ୍ଷା ମେଣ୍ଟ ପାଇଁ ସବୁ ପ୍ରୟାସ ଜାରି ରଖିଛି। ଏପ୍ରିଲ ୨୨ ତାରିଖରେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତର ଅପରେସନ୍ ସିନ୍ଦୂରରେ ଯେଉଁ କାର୍ଯ୍ୟାନୁଷ୍ଠାନ ହୋଇଥିଲା, ତାହା ବିରୋଧରେ ସାଉଦି ଆରବ କୌଣସି ସିଧାସଳଖ ବିବୃତି ଜାରି କରିନାହିଁ।