ଇସ୍ଲାମାବାଦ : ଭାରତର ଏକ କ୍ଷେପଣାସ୍ତ୍ର ପାକିସ୍ତାନରେ ପଡ଼ିବା ଘଟଣାର ଯୁଗ୍ମ ତଦନ୍ତ ପାଇଁ ଦାବି କରିଛି ପାକିସ୍ତାନ । ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏପରି ଏକ ଗୁରୁତର ଘଟଣା ପାଇଁ ଭାରତ ଦ୍ବାରା ଦିଆଯାଇଥିବା ସରଳ ସ୍ପଷ୍ଟୀକରଣ ଯଥେଷ୍ଟ ନୁହେଁ । ଏଣୁ ଏହି ଘଟଣାର ପ୍ରକୃତ କାରଣ ଜାଣିବାକୁ ଏକ ଯୁଗ୍ମ ତଦନ୍ତ ପାଇଁ ପାକିସ୍ତାନ ଦାବି କରୁଛି ।
ଅନ୍ୟପକ୍ଷରେ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଡ. ମୋଇଦ ୟୁସୁଫ କହିଛନ୍ତି ଯେ ଭାରତ ଦକ୍ଷିଣ ଏସିଆ ପାଇଁ ଏକ ବିପଦରେ ପରିଣତ ହୋଇଛି, କାରଣ ଏହା ନିଜର ସାମରିକ ଅସ୍ତ୍ରଶସ୍ତ୍ରକୁ ସମ୍ଭାଳି ପାରୁନାହିଁ ।
ସୂଚନାଯୋଗ୍ୟ, ଗତ ୯ ତାରିଖ ସଂଧ୍ୟା ୬ଟା ୪୫ ମିନିଟ୍ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରତର ଏକ କ୍ଷେପଣାସ୍ତ୍ର ସୀମାଠାରୁ ପ୍ରାୟ ୧୨୩ କିଲୋମିଟର ଭିତରକୁ ଯାଇ ପାକିସ୍ତାନର ଖାନେଓ୍ବାଲ ଜିଲ୍ଲାର ମିଆଁ ଚାନୁ ଅଞ୍ଚଳରେ ଯାଇ ପଡ଼ିଥିଲା । ତେବେ ଏହି ଘଟଣାକୁ ନେଇ କୌଣସି ଧନଜୀବନ ହାନୀ ହୋଇନଥିବା ଜଣାଯାଇଛି । ବୈଷୟିକ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଥିଲା ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ କହିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି । ତେବେ ଏହାକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ମିଶନ ମୁଖ୍ୟଙ୍କୁ ଡକାଇ ପ୍ରତିବାଦ ଜଣାଇଥିଲା ।