ତୁର୍କୀକୁ ଚିକିତ୍ସା ସହାୟତା ନେଇ ଯାଉଥିବା ଏନଡିଆରଏଫ୍ ଟିମକୁ ଏୟାରସ୍ପେସ୍ ଦେଲାନାହିଁ ପାକ୍, ତଥାପି ପହଞ୍ଚିଲା ସହାୟତା

ଇସ୍ତାନବୁଲ: ତୁର୍କୀ ଓ ସିରିଆରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୫୦୦୦ ଟପିଯାଇଛି। ୨୪ ଘଣ୍ଟା ଭିତରେ ଲଗାତାର ୩ ଥର ଭୂକମ୍ପ ହେବା ପରେ ତୁର୍କୀବାସୀଙ୍କ ମନୋବଳ ଦୋହଲି ଯାଇଥିବା ବେଳେ ସାହାଯ୍ୟର ହାତ ବଢ଼ାଇଛି ଭାରତ। ତୁର୍କୀକୁ ଉଦ୍ଧାର କାର୍ଯ୍ୟ ପାଇଁ ଉଦ୍ଧାରକାରୀ ଦଳ ଓ ଡାକ୍ତରୀ ଦଳକୁ ପଠାଯାଇଛି। ଏହି ଉଦ୍ଧାରକାରୀ ଦଳ ମଧ୍ୟରେ ୧୦୦ ଜଣ ସଦସ୍ୟଙ୍କୁ ନେଇ ୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌, ତାଲିମପ୍ରାପ୍ତ କୁକୁର ଦଳ ସାମିଲ ରହିଥିବା ବେଳେ ଆବଶ୍ୟକୀୟ ଉପକରଣ ବି ପଠାଯାଇଥିବା ଜଣାପଡ଼ିଛି।

ତେବେ ସହାୟତା ନେଇ ଭାରତୀୟ ବାୟୁସେନାର ବିମାନ ତୁର୍କୀ ପହଞ୍ଚିସାରିଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ତୁର୍କୀକୁ ଯିବା ପାଇଁ ଭାରତ, ପାକିସ୍ତାନର ଆକାଶ ସୀମାରେ ପ୍ରବେଶ କରିବ ବୋଲି ଅନୁମତି ମାଗିଥିଲା। ତୁର୍କୀକୁ ଭାରତ ପଠାଉଥିବା ଚିକିତ୍ସା ସହାୟତା ବିମାନରେ ଯାଉଥିବା ଜାଣି ବି ପାକିସ୍ତାନ ନିଜ ଆକାଶ ସୀମାରେ ପ୍ରବେଶ ପାଇଁ ଅନୁମତି ଦେଇନଥିଲା। ଏଭଳି କରି ପାକିସ୍ତାନ, ଭାରତର ସାହାଯ୍ୟ କରିବାର ଉଦ୍ୟମକୁ ବିଫଳ କରିଦେବ ବୋଲି ଭାବିଥିବା ବେଳେ ଶେଷରେ ନିଜେ ବିଫଳତାର ସ୍ବାଦ ଚାଖିଥିଲା ପାକ୍। ଭାରତୀୟ ବାୟୁସେନାର ବିମାନ ଯାତ୍ରା ବାତିଲ ନକରି ଅନ୍ୟ ଆକାଶ ପଥରେ ତୁର୍କୀ ଅଭିମୁଖେ ଉଡ଼ାଣ କରିଥିଲା ବୋଲି ଜଣାପଡ଼ିଛି।

ଭାରତୀୟ ଏନଡିଆରଏଫ ଦଳ ଏବେ ଆଧୁନିକ ଡ୍ରିଲିଂ ଉପକରଣ, ଚିକିତ୍ସା ସହାୟତା ଏବଂ ତାଲିମପ୍ରାପ୍ତ କୁକୁର ଦଳ ସହିତ ଆଡାନା ବିମାନବନ୍ଦରରେ ଅବତରଣ କରିସାରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଭାରତୀୟ ସେନା ସେଠାରେ ଏକ ଅସ୍ଥାୟୀ ହସ୍ପିଟାଲ ତିଆରି କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର