ନିୟନ୍ତ୍ରଣରେଖା ନିକଟରେ ସୈନ୍ୟ ସଂଖ୍ୟା ବଢାଇଚାଲିଛି ପାକିସ୍ତାନ, ଭାରତୀୟ ସେନାର ସତର୍କ ଦୃଷ୍ଟି

ଶ୍ରୀନଗର : ଗତ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତ ବିରୋଧରେ କିଛି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ କରିବା ଲକ୍ଷ୍ୟରେ ରହିଛି । ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ସେନାର ବଢିଚାଲିଥିବା ଗତିବିଧି ଲକ୍ଷ୍ୟ କଲେ ଏହା ମନେହେଉଛି । ମିଳିଥିବା ସୂଚନା ମୁତାବକ ପାକିସ୍ତାନୀ ସେନାର ଗୋଟିଏ ବ୍ରିଗେଡ ( ପ୍ରାୟ ୨ ହଜାର ସୈନ୍ୟ) ନିୟନ୍ତ୍ରଣ ରେଖା ନିକଟରେ ପହଞ୍ଚିଥିବା ଭାରତୀୟ ସେନା ଜାଣିବାକୁ ପାଇଛି ।

ଏମାନେ ଏବେ ନିୟନ୍ତ୍ରଣ ରେଖାଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ରହିଛନ୍ତି । ଏହି ସୂଚନା ମିଳିବା ପରେ ଭାରତୀୟ ସେନା ଆହୁରି ସତର୍କ ହୋଇଉଠିଛି । ପାକିସ୍ତାନ କଶ୍ମୀର ଘାଟିରେ ଆତଙ୍କବାଦକୁ ପୁଣି ବଢାଇବାକୁ ଯୋଜନା କରୁଥିବା ବେଳେ ପାକିସ୍ତାନୀ ସେନାର ଏହି ଗତିବିଧି ଚିନ୍ତାର କାରଣ ହୋଇଛି । କିଛିଦିନ ତଳେ ଖବର ଆସିଥିଲା ଯେ ଆତଙ୍କବାଦୀମାନଙ୍କୁ ଭାରତରେ ପ୍ରବେଶ କରାଇବା ପାଇଁ ପାକିସ୍ତାନୀ ସେନା ନିଜର କମାଣ୍ଡୋ ବାହିନୀ ଏସଏସଜିକୁ ପାକ-ଅଧିକୃତ କଶ୍ମୀରରେ ମୁତୟନ କରିଛି ।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରରେ ଗତ ମାସ ୫ ତାରିଖରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବାପରେ ସେଠାରେ ମୋବାଇଲ ଏବଂ ଫୋନ୍ ସେବା ବନ୍ଦ ଥିଲା। ହେଲେ ଗତକାଲି ମଧ୍ୟରାତ୍ରିରୁ  ମୋବାଇଲ ଏବଂ ଫୋନ୍ ପୁଣି ଚାଲିବା ଆରମ୍ଭ କରିଛି। ମାସକପରେ ଜମ୍ମୁ-କଶ୍ମୀରରେ ଗତକାଲି ମଧ୍ୟରାତ୍ରିରୁ ଫୋନ୍ ଘଣ୍ଟି ବାଜିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ଵାଭାବିକ ହେବାରେ ଲାଗିଛି। ମଧ୍ୟରାତ୍ରିରେ ଜମ୍ମୁ-କଶ୍ମୀରର ଅଧିକାଂଶ ଲୋକଙ୍କ ଘରେ ଫୋନ୍ ଘଣ୍ଟି ବାଜିଥିଲା। ଏହାପରେ ଲୋକେ ନିଜର ଆତ୍ମୀୟ ସ୍ବଜନମାନଙ୍କୁ ଫୋନ୍ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର