ସୀମା ସୁରକ୍ଷା ବଳ ଗୁଳି ଚଳାଇବାରୁ ଫେରିଗଲା ଜମ୍ମୁକୁ ଆସିଥିବା ପାକିସ୍ତାନୀ ଡ୍ରୋନ୍‌

ଜମ୍ମୁ: ଶନିବାର ଦିନ ଜମ୍ମୁ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍‌ ଉଡୁଥିବା ଦେଖି ‘ସୀମା ସୁରକ୍ଷା ବଳ’ (ବିଏସ୍ଏଫ୍‌) କେତେ ରାଉଣ୍ଡ୍‌ ଗୁଳି ଚଳାଇଥିଲେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଗୁଳି ଚାଳନା ଦେଖି ଡ୍ରୋନ୍‌ଟି ତୁରନ୍ତ ପାକିସ୍ତାନ ପଟକୁ ଚାଲି ଯାଇଥିଲା। କିନ୍ତୁ, ଉକ୍ତ ଡ୍ରୋନ୍‌ରୁ କାଳେ କୌଣସି ସାମଗ୍ରୀ ସେ ଅଞ୍ଚଳରେ ପକାଯାଇଥିବ ତାହା ଖୋଜି ବାହାର କରିବା ଲାଗି ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଥିଲା।

ଜମ୍ମୁ ସୀମାନ୍ତର ‘ବିଏସ୍‌ଏଫ୍‌’ ଡେପୁଟି ଇନ୍ସପେକ୍ଟର୍‌ ଜେନେରାଲ୍‌ ଏସ୍.ପି. ସାନ୍ଧୁ କହିଛନ୍ତି, ସନ୍ଧ୍ୟା ୭.୨୫ରେ ଆର୍ଣ୍ଣିଆ ଅଞ୍ଚଳରେ ପାକିସ୍ତାନ ପଟୁ ଗୋଟାଏ ଡ୍ରୋନ୍‌ ଆଲୁଅ ଦପ୍‌ଦପ୍‌ କରି ଭାରତ ପଟକୁ ଆସୁଥିବା ଦେଖାଯାଇଥିଲା।

Image Courtesy of Greater Kashmir

ଉକ୍ତ ଡ୍ରୋନ୍‌ଟି ଭାରତ ପଟକୁ ପ୍ରବେଶ କରିବା କ୍ଷଣି ‘ବିଏସ୍‌ଏଫ୍‌’ ଯବାନମାନେ ତାହାକୁ ଖସାଇବା ପାଇଁ ୮ ରାଉଣ୍ଡ୍‌ ଗୁଳି ଚଳାଇଥିଲେ। କିନ୍ତୁ, ଉକ୍ତ ଡ୍ରୋନ୍‌ଟି କୌଣସିମତେ ଉଡ଼ି ପାକିସ୍ତାନ ପଟକୁ ଚାଲିଗଲା।

ଡ୍ରୋନ୍‌ରୁ କାଳେ କୌଣସି ସାମଗ୍ରୀ ପକାଯାଇଥିବ, ସେ ବିଷୟରେ ନିଶ୍ଚିତ ହେବା ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ୍‌ କରାଯାଇ ତଲାସ ଅଭିଯାନ ଚାଲିଥିଲା।

ସୂଚନାଯୋଗ୍ୟ, ‘ବିଏସ୍‌ଏଫ୍‌’ ଯବାନମାନେ ସାମ୍ବା ଜିଲ୍ଲାର ଚକ୍‌ ଫକିରାରେ ଗୋଟାଏ ସୀମାପାରି ସୁଡ଼ଙ୍ଗ ଚିହ୍ନଟ କରିବାର ୩ ଦିନ ପରେ ପାକିସ୍ତାନର ଏହି ଡ୍ରୋନ୍‌ କାର୍ଯ୍ୟକଳାପ ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର