ମଝିରାତିରେ ଜମ୍ମୁ ସହରରେ ଅସ୍ତ୍ରଶସ୍ତ୍ର ପକାଇ ପାକିସ୍ତାନୀ ଡ୍ରୋନ୍‌ ଉଭାନ୍

ଶ୍ରୀନଗର: ଜମ୍ମୁ ଜିଲ୍ଲାର ଆର୍‌ଏସ୍‌ ପୁର ସେକ୍ଟର୍‌ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତସ୍ଥିତ ଅକ୍ଟ୍ରୋଇ ପୋଷ୍ଟ୍‌ରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କଦ୍ବାରା ଉଦ୍‌ଘାଟିତ ‘ବର୍ଡର୍‌ ସିକ୍ୟୁରିଟି ଫୋର୍ସ’ର ପ୍ରତ୍ୟାବର୍ତ୍ତନ ଉତ୍ସବ ଶେଷ ହେବାର ୭ ଘଣ୍ଟା ନ ପୂରୁଣୁ ଗୋଟାଏ ପାକିସ୍ତାନୀ ଡ୍ରୋନ୍‌ ଶନିବାର ବିଳମ୍ବିତ ରାତ୍ରରେ ଜମ୍ମୁ ସହର ଉପକଣ୍ଠରେ ଥିବା ସୋହଞ୍ଜାନା ଗ୍ରାମରେ କିଛି ଅସ୍ତ୍ରଶସ୍ତ୍ର ପକାଇଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିଛନ୍ତି, ଆତଙ୍କବାଦୀମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ପାକିସ୍ତାନୀ ଡ୍ରୋନ୍‌ ଅସ୍ତ୍ରଶସ୍ତ୍ର ପକାଇଥିବା ସ୍ପଷ୍ଟ ଜଣାପଡୁଛି। ସୋହଞ୍ଜାନା ହେଉଛି ଚତୁର୍ଥ ତାୱି ପୋଲ ପାର୍ଶ୍ବସ୍ଥ ସୁପ୍ରସସ୍ଥ ଅଞ୍ଚଳ। ରାଜନୈତିକ ପୃଷ୍ଠପୋଷକତାରେ ସେ ଅଞ୍ଚଳରେ ବ୍ୟାପକ ବେଆଇନ ଦଖଲ ହୋଇଛି। ବେଆଇନ ଦଖଲକାରୀଙ୍କ ମଧ୍ୟରେ ଆତଙ୍କବାଦୀଙ୍କୁ ସମର୍ଥନ ଦେଉଥିବା ଲୋକଙ୍କ କଥା ଏଡ଼ାଇ ଦିଆଯାଇ ନ ପାରେ। ପାକିସ୍ତାନୀ ଡ୍ରୋନ୍‌ ଜମ୍ମୁ ସହର ମଧ୍ୟକୁ ପ୍ରବେଶ କରି ଅସ୍ତ୍ରଶସ୍ତ୍ର ପକାଇ ଯିବା ବଡ଼ ଚିନ୍ତାର ବିଷୟ।

ଜମ୍ମୁ ଜିଲ୍ଲା ପୁଲିସ ମୁଖ୍ୟ ଚନ୍ଦନ କୋହଲି କହିଛନ୍ତି, ମଧ୍ୟରାତ୍ର‌ ପରେ ଘଟଣାଟି ଘଟିଛି। ଘଟଣାସ୍ଥଳରୁ ଆମେ ଗୋଟିଏ ଏକେ-୪୭ ଆସଲ୍‌ଟ୍‌ ରାଇଫଲ୍‌, ତିନୋଟି ଏକେ ମାଗାଜିନ୍, ୩୦ ରାଉଣ୍ଡ୍‌ ଏକେ ଏବଂ ଗ‌ୋଟିଏ ଦୂରବୀକ୍ଷଣ ଯନ୍ତ୍ର ଉଦ୍ଧାର କରିଛୁ।

ଏସବୁ ହଳଦିଆ ରଙ୍ଗର ଜରିରେ ଗୁଡ଼ାହୋଇ ନାଇଲନ୍‌ ରଶିରେ ବନ୍ଧା ହୋଇ ସୋହଞ୍ଜାନାର ଆଲୋରା ମଣ୍ଡଳରେ ପଡ଼ିଥିବା କଥା ଗ୍ରାମବାସୀମାନେ କହୁଛନ୍ତି।

ସମ୍ବନ୍ଧିତ ଖବର