ନୂଆଦିଲ୍ଲୀ: ଭାରତର ୧୫ଟି ସହରର୧୬ଟି ସାମରିକ ଘାଟି ଉପରେ ପାକିସ୍ତାନର ଆକ୍ରମଣ ଉଦ୍ୟମକୁ ସେନା ପଣ୍ଡ କରିଦେଇଛି। ଭାରତୀୟ ସେନାର ସମନ୍ବିତ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ବିଫଳ ହୋଇଥିବା ବେଳେ ଭାରତୀୟ ବାୟୁସେନାର ଡ୍ରୋନ୍ ଆକ୍ରମଣରେ ଆଜି ପାକିସ୍ତାନର ଲାହୋରରେ ମୁତୟନ ହୋଇଥିବା ଏୟାର ଡିଫେନ୍ସ ସିଷ୍ଟମ୍ ଧ୍ବଂସ ହୋଇଯାଇଛି। ପାକିସ୍ତାନ ଚୀନ୍ଠାରୁ ହାସଲ କରିଥିବା ଏଚ୍କ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମ୍ ଓ ରାଡାର ଧ୍ବଂସ ହୋଇଥିବା ସ୍ପଷ୍ଟ ହୋଇଛି। ମୋଟ୍ ୩ଟି ସିଷ୍ଟମ ନଷ୍ଟ ହୋଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଲାହୋର, କରାଚୀ ଓ ରାୱଲପିଣ୍ଡି ଭଳି ପ୍ରମୁଖ ସହରଗୁଡ଼ିକରେ ଭାରତୀୟ ଡ୍ରୋନ୍ର ତାଣ୍ଡବ ପାକିସ୍ତାନରେ ଆତଙ୍କ ଖେଳାଇ ଦେଇଛି। ଲାହୋର ଓ ରାୱଲପିଣ୍ଡିରେ ଭାରତୀୟ ଡ୍ରୋନ୍ର ପ୍ରବେଶ ଏବଂ ଏହାକୁ ରୋକିବାରେ ପାକିସ୍ତାନର ବିଫଳତା ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡିଆରେ ପାକ୍ ସେନାର ବିଫଳତାକୁ କଡ଼ା ସମାଲୋଚନା କରି ପାକ୍ ନେଟିଜେନ ନିଜ ରାଷ୍ଟ୍ରକୁ ଘେରିଛନ୍ତି। ଅନ୍ୟପକ୍ଷରେ ଭାରତର ୫୦ଟି ଡ୍ରୋନ୍କୁ ପାକିସ୍ତାନ ଖସାଇ ଦେଇଥିବା ଦାବି କରିଛି।
ପାକିସ୍ତାନର ଗୁଜରାନୱାଲା, ଚକ୍ୱାଲ, ବାହାଵଲପୁର, ମିଆନୋ, ଛୋର୍, ଏବଂ ଆଟକ୍ ସହରରେ ମଧ୍ୟ ଡ୍ରୋନ୍ ଆକ୍ରମଣ ହୋଇଥିବା ଖବର ମିଳିଛି। ଗତରାତିରେ ଭାରତର ଅବନ୍ତିପୋରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ଫାଲୋଦି, ନାଲ, ଉତ୍ତର ଲଇ ଓ ଭୁଜ ସହରର ସାମରିକ ପ୍ରତିଷ୍ଠାନ ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବାକୁ ପାକିସ୍ତାନ ଚେଷ୍ଟା କରିଥିଲା। ତେବେ ଆଲର୍ଟରେ ଥିବା ଭାରତର ଏସ୍-୪୦୦ ଓ ଇଣ୍ଟିଗ୍ରେଟେଡ୍ କାଉଣ୍ଟର୍ ୟୁଏଏସ୍ ଗ୍ରିଡ୍ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଏହି ଆକ୍ରମଣକୁ ନିଷ୍କ୍ରିୟ କରାଯାଇଥିଲା। ଭାରତର ୧୫ଟି ସହରକୁ ଟାର୍ଗେଟ୍ କରି ପାକିସ୍ତାନ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଥିବା ବେଳେ ଏହାର ଭଗ୍ନାବଶେଷ ଏବେ ଅନେକ ସ୍ଥାନରୁ ଉଦ୍ଧାର କରାଯାଉଛି ଯାହା ପାକିସ୍ତାନୀ ଆକ୍ରମଣକୁ ପ୍ରମାଣିତ କରିଛି। ଭାରତର ଏସ୍-୪୦୦ (ରୁଷ୍ ନିର୍ମିତ) ହେଉଛି ବିଶ୍ୱର ସବୁଠାରୁ ଉନ୍ନତ ଏୟାର ଡିଫେନ୍ସ ସିଷ୍ଟମ ଏବଂ ଏହା ଭାରତର ସବୁଠାରୁ ବଡ଼ ରକ୍ଷା କବଚ ସାବ୍ୟସ୍ତ ହୋଇଛି।
ପାକିସ୍ତାନ ଆକ୍ରମଣର ଜବାବରେ ଭାରତୀୟ ସେନା ପାକିସ୍ତାନର ବିଭିନ୍ନ ସ୍ଥାନରେ ଏୟାର ଡିଫେନ୍ସ ରାଡାର ଏବଂ ସିଷ୍ଟମ୍କୁ ଟାର୍ଗେଟ କରିଥିଲା। ଇସ୍ରାଏଲ ନିର୍ମିତ ହାରୋପ ଡ୍ରୋନ୍ ଦ୍ବାରା ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏଚ୍କ୍ୟୁ-୯(ଚୀନ୍ ନିର୍ମିତ)କୁ ଭାରତ ଧ୍ବଂସ କରିଥିବା ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ପାକିସ୍ତାନ ଭାରତର ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ୍ କରିବା ସମ୍ଭାବନା ଥିବାରୁ ଆଗୁଆ ସତର୍କତା ପଦକ୍ଷେପ ଯୋଗୁଁ ଭାରତର କୌଣସି କ୍ଷୟତି ହୋଇନାହିଁ। ଅନ୍ୟପକ୍ଷରେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ସମଗ୍ର ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ପାକିସ୍ତାନ ଦାବି କରିଛି ଯେ ଭାରତର ପ୍ରାୟ ୫୦ ଡ୍ରୋନ୍କୁ ସେମାନେ ଖସାଇବାକୁ ସକ୍ଷମ ହୋଇଛନ୍ତି। ଲାହୋରରେ ୪ ଜଣ ସୈନିକ ଆହତ ହୋଇଥିବା ବେଳେ ସିନ୍ଧର ମିଆନୋରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ବୋଲି ପାକିସ୍ତାନ ଦାବି କରିଛି।
ସୂଚନାଯୋଗ୍ୟ, ଦୁଇଦିନ ମଧ୍ୟରେ ନିୟନ୍ତଣ ରେଖା ଅଞ୍ଚଳରେ ପାକ୍ ଗୁଳିଗୋଳା ବର୍ଷା ଯୋଗୁଁ ୧୫ ଜଣ ସୀମାନ୍ତ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିବାରୁ ଭାରତ ଆଜି ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ ଗୋଳାମାଡ଼ ବନ୍ଦ ନକଲେ ଏହାର ଚରମ ପରିଣତି ଭୋଗିବ ବୋଲି ସେନାମୁଖ୍ୟ ଚେତାଇ ଦେଇଥିବା ବେଳେ ଭାରତର ଡ୍ରୋନ୍ ଅଭିଯାନରେ ପୂରା ପାକିସ୍ତାନ ଥରୁଛି। ଲାହୋର, କରାଚୀ ଓ ରାୱଲପିଣ୍ଡିରେ ଲୋକେ ବିସ୍ଫୋରଣ ଶବ୍ଦରେ ଆତଙ୍କିତ ହୋଇଛି ଦୌଡ଼ୁଥିବା ଭିଡିଓ ଭାଇରାଲ୍ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/09/qYB8lqxOzuefOmjgcfNA.jpg)