ଇସ୍ଲାମାବାଦ: ଫେବ୍ରୁଆରିରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଯାଇଛି। ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ବୁଧବାର ସମ୍ଭାବ୍ୟ ପ୍ରାର୍ଥୀଙ୍କ ଠାରୁ ନାମାଙ୍କନ ପତ୍ର ଗ୍ରହଣ କରିବା ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ବହୁ ସଂଖ୍ୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହାକୁ ମିଶାଇ ଫେବ୍ରୁଆରି ୮ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ପତ୍ର ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବା ସଂପର୍କରେ ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) କହିଛନ୍ତି ଯେ ସେମାନେ ସକାଳ ସାଢ଼େ ୮ଟାରୁ ଅପରାହ୍ନ ସାଢ଼େ ୪ଟା ମଧ୍ୟରେ ଫର୍ମ ଗ୍ରହଣ କରିପାରିବେ।
ତେବେ ଏଠାରେ ପ୍ରଶ୍ନ ଉଠେ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିର୍ବାଚନ ଲଢିବେ କି ? ମିଳିଥିବା ସୂଚନା ଅନୁସାରେ ଇମ୍ରାନ ପାକିସ୍ତାନର ୩ଟି ସ୍ଥାନରେ ଛି଼ଡ଼ା ହୋଇପାରନ୍ତି ।
ପାକିସ୍ତାନ ନିର୍ବାଚନ କମିଶନଙ୍କ କହିବା ଅନୁଯାୟୀ, ଡିସେମ୍ବର ୨୨ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ଡିସେମ୍ବର ୨୩ରେ ଇସିପି ପ୍ରାର୍ଥୀଙ୍କ ପ୍ରାରମ୍ଭିକ ତାଲିକା ପ୍ରକାଶ କରିବ ଏବଂ ଡିସେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଯାଞ୍ଚ ହେବ। ନୂଆ ସୀମା ନିର୍ଦ୍ଧାରଣ ପରେ ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବ୍ଲିରେ ୨୬୬ ସାଧାରଣ ଆସନ, ମହିଳାଙ୍କ ପାଇଁ ୬୦ ଓ ଅଣମୁସଲମାନମାନଙ୍କ ପାଇଁ ୧୦ ଟି ଆସନ ସଂରକ୍ଷିତ ସମେତ ୩୩୬ ଟି ଆସନ ରହିବ ।