ଲାହୋର: ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଦାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନାକୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାର କିଛି ଘଣ୍ଟା ପରେ ପାକିସ୍ତାନର ଅନ୍ୟ ଏକ ଅଦାଲତ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୮ଟି ଆତଙ୍କବାଦ ମାମଲା ଏବଂ ଅନ୍ୟ ଏକ ଦେୱାନି ମାମଲାରେ ସୁରକ୍ଷାମୂଳକ ଜାମିନ ପ୍ରଦାନ କରିଛନ୍ତି।
ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ପାର୍ଟିର ମୁଖ୍ୟ ୭୦ ବର୍ଷୀୟ ଇମ୍ରାନ ଖାନ ୯ଟି ମାମଲାରେ ସୁରକ୍ଷାମୂଳକ ଜାମିନ ପାଇବା ପାଇଁ ଲାହୋର ହାଇକୋର୍ଟ ଯାଇଥିଲେ।
ଜିଓ ଟିଭି ଅନୁଯାୟୀ, ଜଷ୍ଟିସ ତାରିକ୍ ସଲିମ ଶେଖ୍ ଏବଂ ଜଷ୍ଟିସ୍ ଫାରୁକ୍ ହାଇଦରଙ୍କୁ ନେଇ ଗଠିତ ଲାହୋର ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଆତଙ୍କବାଦ ଧାରାରେ ଦାୟର ହୋଇଥିବା ମାମଲା ବିରୋଧରେ ଦାଖଲ ହୋଇଥିବା ଜାମିନ ଆବେଦନର ଶୁଣାଣି କରିଥିଲେ।
ଇସଲାମାବାଦର ପାଞ୍ଚଟି ମାମଲା ପାଇଁ କୋର୍ଟ ପିଟିଆଇ ମୁଖ୍ୟଙ୍କୁ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ଏବଂ ଲାହୋରର ତିନିଟି ମାମଲା ପାଇଁ ଇମ୍ରାନଙ୍କୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି।
ଅନ୍ୟପକ୍ଷରେ ଜଷ୍ଟିସ୍ ସଲିମ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଦେୱାନି ମାମଲା ବିରୋଧରେ ଇମ୍ରାନ୍ ଖାନ୍ ଦାଖଲ କରିଥିବା ଜାମିନ ଆବେଦନର ଶୁଣାଣି କରିଛନ୍ତି। ଏହା ପୂର୍ବରୁ ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରଓ୍ଵାନାକୁ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।