ବାଲାକୋଟ ଆକ୍ରମଣକୁ ୩ ମାସ : ତଥାପି ଖୋଲୁନି ପାକ ବାୟୁସୀମା, ଜୁନ ୧୪ ପର୍ଯ୍ୟନ୍ତ ବନ୍ଦ ରହିବ

ନୂଆଦିଲ୍ଲୀ : ଭାରତର ବାଲାକୋଟ ଏୟାରଷ୍ଟ୍ରାଇକକୁ ୩ ମାସ ବିତିଥିଲେ ମଧ୍ୟ ପାକିସ୍ତାନ ମନରୁ ଭୟ ଯାଇନାହିଁ । ଏଥିପାଇଁ ପାକିସ୍ତାନ ନିଜର ଆକାଶସୀମାକୁ ଭାରତୀୟ ବିମାନ ପାଇଁ ଆଜି ପର୍ଯ୍ୟନ୍ତ ବନ୍ଦ ରଖିଛି । ପୂର୍ବରୁ ଏହି ସମୟସୀମା ମେ ୩୦ ପର୍ଯ୍ୟନ୍ତ ଥିବାବେଳେ ଆଜି ଏହାକୁ ପୁଣି ଜୁନ ୧୪ ପର୍ଯ୍ୟନ୍ତ ବଢାଇଦିଆଯାଇଛି ।
ଆକାଶସୀମା ବନ୍ଦ ଫଳରେ ବେସାମରିକ ବିମାନ ପାକିସ୍ତାନ ଉପରଦେଇ ଉଡିପାରୁନାହିଁ । ଏଥିପାଇଁ ପାକିସ୍ତାନ କୋଟି କୋଟିି ଡଲାର ରାଜସ୍ୱ ହରାଉଛି । ଏପ୍ରିଲରେ ପାକିସ୍ତାନ ନିଜର ଆକାଶସୀମାର ମୋଟ ୧୧ଟି ରୁଟରୁ ଗୋଟିଏ ରୁଟ ଖୋଲିଥିଲା । କିନ୍ତୁ ଏବେବି ଆହୁରି ୧୦ଟି ରୁଟ ବନ୍ଦ ଅଛି । ଏହା ଦ୍ୱାରା ଭାରତ ସମେତ ଅନେକ ବିଦେଶୀ ବିମାନକମ୍ପାନି ମଧ୍ୟ କ୍ଷତି ସହୁଛନ୍ତି । ଏହା ସତ୍ତ୍ୱେ ପାକିସ୍ତାନ ବାୟୁସୀମାକୁ ଖୋଲିବାକୁ ସାହସ ଜୁଟାଇପାରୁନାହିଁ ।
ଆଜିକୁ ଠିକ ୩ ମାସ ତଳେ, ଫେବ୍ରୁଆରୀ ୨୬ରେ ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିଥିଲା । ତା’ପରଦିନ ଅର୍ଥାତ ଫେବ୍ରୁଆରୀ ୧୭ରେ ପାକିସ୍ତାନ ବାୟୁସେନା ଏଫ-୧୬ ବିମାନ ସମେତ ଆଉ କେତେକ ବିମାନ ଭାରତୀୟ ବାୟୁସେନାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ସତର୍କ ଭାରତୀୟ ବାୟୁସେନା ସେଗୁଡ଼ିକର ମୁହାଁମୁହିଁ ସାମନା କରି ଘଉଡେଇଦେଇଥିଲା ।

ସମ୍ବନ୍ଧିତ ଖବର