ଏଲ୍‌ଓସି ସ୍ଥିତି ଜଟିଳ: ପାକ୍‌ ଗୁଳିରେ ଜଣେ ଯବାନ ସହିଦ, ୪ ଆହତ

ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ, ୨ ପାକ୍‌ ଘାଟି ଧ୍ବସ୍ତ

ଶ୍ରୀନଗର: ଭାରତ-ପାକ୍‌ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଉଭୟପଟୁ ପ୍ରବଳ ଗୁଳିଗୋଳା ବର୍ଷା ଜାରି ରହିଛି। ସୀମାବର୍ତ୍ତୀ ଲୋକେ ଭୟରେ ଘରଦ୍ବାର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି। ଜମ୍ମୁ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଆଜି ପାକ୍‌ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିବର୍ଷା କରିଛି। ପାକ୍‌ ଗୁଳିମାଡ଼ରେ ଭାରତର ଜଣେ ଯବାନ ସହିଦ ହୋଇ ଯାଇଛନ୍ତି ଏବଂ ଆହୁରି ୪ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ପୂର୍ବାହ୍ନ ୧୧ଟାରେ ଆଜି ପୁଞ୍ଚ୍‌ର କ୍ରୀଷ୍ଣା ଘାଟି ସେକ୍ଟରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ଆରମ୍ଭ ହୋଇଥିଲା। ପାକିସ୍ତାନ ସ୍ବୟଂଚାଳିତ ବନ୍ଧୁକରୁ ଗୁଳିଚାଳନା କରିବା ସହ ମୋର୍ଟାର ମାଡ଼ ମଧ୍ୟ କରିଥିଲା। ଭାରତ ମଧ୍ୟ ପାଲଟା ଜବାବ ଦେଇ ପ୍ରବଳ ଗୁଳିଗୋଳା ମାଡ଼ କରିଛି। ଭାରତର ଗୋଳା ମାଡ଼ରେ ପାକିସ୍ତାନର ୨ଟି ଆଗୁଆ ଘାଟି ଧ୍ବଂସ ହୋଇଯାଇଛି ଏବଂ ଏଥିରେ କେତେକ ପାକ୍‌ ସୈନିକ ମଧ୍ୟ ନିହତ ହୋଇଥିବା ଜଣାପଡ଼ିଛି।

ଆଜି ପାକିସ୍ତାନ ଗୁଳିରେ ସହିଦ ହୋଇଥିବା ଯବାନ ହେଉଛନ୍ତି ନାଏକ ରବି ରଂଜନ କୁମାର ସିଂହ। ୩୬ ବର୍ଷୀୟ ସିଂହଙ୍କ ଘର ବିହାରର ଗୋପ ବିଘାରେ। ଉଲ୍ଲେଖଯୋଗ୍ୟ, ପାକିସ୍ତାନ ସୀମା ନିକଟସ୍ଥ ଗ୍ରାମ ଏବଂ ଆଗୁଆ ଘାଟି ଗୁଡ଼ିକୁ ଟ‌ାର୍ଗେଟ୍‌ କରି ପ୍ରବଳ ଗୁଳିଗୋଳା ମାଡ଼ କରୁଛି। ଏହାଦ୍ବାରା ସୀମାବର୍ତ୍ତୀ ଗ୍ରାମର ଜନତା ଭୟ ଓ ଆତଙ୍କରେ ରହୁଛନ୍ତି। ଗତକାଲି ପାକିସ୍ତାନର ଗୁଳିମାଡ଼ରେ ସୀମାବର୍ତ୍ତୀ ଗ୍ରାମର ଜଣେ ୧୦ ବର୍ଷୀୟା ନାବାଳିକା ଆହତ ହୋଇଥିବା ସେନା ସୂତ୍ରୁ ପ୍ରକାଶ।

ସମ୍ବନ୍ଧିତ ଖବର