ଭାରତର ସ୍ପାଇସ୍‌ ଜେଟ୍‌କୁ ବିମାନକୁ ଏକ ଘଣ୍ଟା ଘେରିଥିଲା, ପାକ୍‌ ଏଫ୍‌-୧୬ ଯୁଦ୍ଧ ବିମାନ

କମ୍‌ ଉଚ୍ଚତାରେ ଉଡ଼ିବାକୁ ବାଧ୍ୟ କରିଥିଲା

ନୂଆଦିଲ୍ଲୀ: ଦିଲ୍ଲୀ-କାବୁଲ୍‌ ଯାତ୍ରୀବାହୀ ସ୍ପା‌ଇସ୍‌ ଜେଟ୍‌ ବିମାନକୁ ଗତ ମାସରେ ଘଣ୍ଟାଏ କାଳ ପାକିସ୍ତାନୀ ଏଫ୍‌-୧୬ ଫାଇଟର୍‌ ଜେଟ୍‌ ଘେରାବନ୍ଦୀରେ ରଖିଥିବା ତଥ୍ୟ ଏବେ ପଦାକୁ ଆସିଛି। ବିମାନକୁ କମ୍‌ ଉଚ୍ଚତାରେ ଉଡ଼ିବା ପାଇଁ ଏଫ୍‌-୧୬ ପାଇଲଟ୍‌ ବାଧ୍ୟ କରିଥିଲେ ବୋଲି ଜଣାପଡ଼ିଛି। ଯେଉଁ ସମୟରେ ପାକିସ୍ତାନ ନିଜର ଆକାଶ ପଥକୁ ଭାରତ ପାଇଁ ବନ୍ଦ ଘୋଷଣା କରି ନଥିଲା, ସେତେବେଳେ କାହିଁକି ପାକିସ୍ତାନୀ ଯୁଦ୍ଧ ବିମାନ ଭାରତର ଯାତ୍ରୀବାହୀ ବିମାନକୁ ଅଟକାଇଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ, ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୩ ସେପ୍‌ଟେମ୍ବରରେ ଦିଲ୍ଲୀ-କାବୁଲ୍‌ ସ୍ପାଇସ୍‌ ଜେଟ୍‌ ବିମାନ ‌ଯେତେବେଳେ ପାକିସ୍ତାନ ରଆକାଶ ମାର୍ଗରେ ଯାଉଥିଲା, ପାକିସ୍ତାନୀ ଏଫ୍‌-୧୬ ଜେଟ୍‌ ଏହାକୁ ଘେରି ଯାଇ ଚାରିପଟେ ଚକ୍କର ଦେଇଥିଲା। ସେତେବେଳେ ପାକିସ୍ତାନର ପାଇଲଟ୍‌ଙ୍କୁ ଯାତ୍ରୀମାନେ ସ୍ପଷ୍ଟ ଦେଖିପାରିଥିଲେ। ପାକିସ୍ତାନୀ ବିମାନର ପାଇଲଟ୍‌ ସ୍ପାଇସ୍‌ ଜେଟ୍‌ ପାଇଲଟ୍‌ଙ୍କୁ କମ୍‌ ଉଚ୍ଚତାରେ ଉଡ଼ିବାକୁ କହିଥିଲେ। ଏହି ଦୁଇ ପାଇଲଟ୍‌ଙ୍କ କଥାବାର୍ତ୍ତାକୁ ଯାତ୍ରୀମାନେ ଶୁଣିଥିଲେ। ବିମାନର ସମସ୍ତ ତଥ୍ୟ ଦେବାକୁ ପାକ୍‌ ଏଫ୍‌-୧୬ ଜେଟ୍‌ ପାଇଲଟ୍‌ ଦିଲ୍ଲୀ-କାବୁଲ୍‌ ବିମାନ ପାଇଲଟ୍‌ଙ୍କୁ କହିଥିଲେ। ‌ ସେ‌ତେବେଳେ ଏହି ବିମାନରେ ୧୨୦ ଯାତ୍ରୀ ଥିଲେ। ପାକିସ୍ତାନର ଆକାଶ ପଥ ଭାରତୀୟ ବିମାନ ପାଇଁ ବନ୍ଦ ନଥିବା ସମୟରେ ପାକିସ୍ତାନର ଏଭଳି ଆଚରଣ ଉତ୍ତେଜନା ସୃ‌ଷ୍ଟିକାରୀ ଥିଲା। ତେବେ ଭାରତର ହସ୍ତକ୍ଷେପ ପରେ ସ୍ପାଇସ୍‌ ଜେଟ୍‌ ବିମାନ ସୁରକ୍ଷିତ ଭାବେ ଆଫ୍‌ଗାନିସ୍ତାନରେ ପ୍ରବେଶ କରିଥିଲା ଏବଂ ନିରାପଦରେ ଅବତରଣ କରିଥିଲା

ସମ୍ବନ୍ଧିତ ଖବର