ପାକିସ୍ତାନ ଜେଲରୁ ମୁକ୍ତ ହେଲେ ୨୦ ଭାରତୀୟ, ରବିବାର ଓ୍ବାଘା-ଅଟାରି ସୀମା ଦେଇ ଭାରତରେ ପହଞ୍ଚିବେ

ଲାହୋର : ପାକିସ୍ତାନରେ ଜେଲ ଦଣ୍ଡ ଭୋଗିସାରିଥିବା ଗୁଜୁରାଟର ୨୦ ଜଣ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ସରକାର ମୁକ୍ତ କରିଦେଇଛନ୍ତି । ରବିବାର ସକାଳେ ସେମାନଙ୍କୁ ଓ୍ବାଘା-ଅଟାରି ସୀମା ଦେଇ ଭାରତକୁ ପଠାଇଦିଆଯିବ ।

ମିଳିଥିବା ସୂଚନା ଅନୁସାରେ ମୋଟ ୩୫୦ ଜଣ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ସରକାର ମୁକ୍ତ କରିଛନ୍ତି । ସେମାନଙ୍କୁ ପର୍ଯ୍ୟାୟକ୍ରମେ ମୁକ୍ତ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦ ଜଣଙ୍କୁ ମୁକ୍ତ କରାଯାଇଛି । ସେମାନଙ୍କୁ ଆସନ୍ତା କାଲି ଅର୍ଥାତ ରବିବାର ସକାଳେ ଓ୍ବାଘା-ଅଟାରି ସୀମାରେ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ।

ଏହି ଭାରତୀୟଙ୍କ ସୁରକ୍ଷିତ ପରିବହନ ପାଇଁ ପାକିସ୍ତାନର ଏକ ଏନଜିଓ ଇଧି ଫାଉଣ୍ଡେସନ ବ୍ୟବସ୍ଥା କରିଛି । ଏହି ଫାଉଣ୍ଡେସନର ଅବଦୁଲ ସତ୍ତାର ଇଧିଙ୍କ ପୁଅ ଫୈଜଲ ଇଧି କହିଛନ୍ତି ଯେ ଫାଉଣ୍ଡସେନ ପକ୍ଷରୁ ଏହି କଏଦୀମାନଙ୍କୁ ଏକ ବସରେ ଓ୍ବାଘା ସୀମା ପର୍ଯ୍ୟନ୍ତ ଅଣାଯିବ । ସେଠାରେ ସେମାନଙ୍କୁ ଉପହାର ଓ କିଛି ଟଙ୍କା ଦେଇ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ।

ଏହି କଏଦୀମାନେ କରାଚୀର ଲାଣ୍ଢି ଜେଲରେ ବନ୍ଦୀ ଥିଲେ । ପାକିସ୍ତାନୀ ଜଳସୀମାରେ ମାଛ ମାରୁଥିବାରୁ ସେମାନଙ୍କୁ ପାକିସ୍ତାନ ମାରିଟାଇମ ସିକ୍ୟୁରିଟି ଫୋର୍ସ ଗିରଫ କରିଥିଲା ।

୩୫୦ ଜଣ ଭାରତୀୟ ମତ୍ସ୍ୟଜୀବୀ ମୁକ୍ତ ହୋଇଥିଲେ ବି ଆହୁରି ପ୍ରାୟ ୬ ଶହ ଗରିବ ଭାରତୀୟ ମତ୍ସ୍ୟଜୀବୀ ପାକିସ୍ତାନୀ ଜେଲରେ ଅକଥନୀୟ ଯନ୍ତ୍ରଣା ମଧ୍ୟରେ ରହୁଛନ୍ତି ।

ସମ୍ବନ୍ଧିତ ଖବର